ଅନୁଗୁଳ : ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥଗୁଡ଼ିକର ଅବସ୍ଥା ଭଲ ନାହିଁ। ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାମ ଶେଷ ହେଉ ନ ଥିଲାବେଳେ ୫୩ ଓ ୧୪୯ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏଥିନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହାର ମରାମତି ପ୍ରତି ଧ୍ୟାନ ଦିଆଯାଉନି। ଫଳରେ ଦୁର୍ଘଟଣା ଘଟି ରାସ୍ତାରେ ଅକାଳରେ ଲୋକଙ୍କ ଜୀବନ ଯାଉଛି। କେନ୍ଦ୍ର ସରକାରଙ୍କ ଏହି ଅବହେଳା ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ସୋମବାର ଦିନ ରାସ୍ତାକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ। ଜିଲ୍ଲା ଦେଇ ଯାଇଥିବା ବିଭିନ୍ନ ଜାତୀୟ ରାଜପଥରେ ଆଜି ଏକ ଘଣ୍ଟା ପାଇଁ ରାସ୍ତା ଅବରୋଧ କରିଛନ୍ତି।
ସୂଚନା ଅନୁସାରେ, ଅନୁଗୁଳର ହୁଲୁରିସିଂହା ଓ ବଅଁରପାଳଠାରେ ସାଂସଦଙ୍କ ସମର୍ଥକମାନେ ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବିରୋଧରେ ମତ ରଖିଥିଲେ। ସେହିପରି ତାଳଚେର ବାଇପାସଠାରେ ଓ ପାଳଲହଡ଼ା ଉପକଣ୍ଠ ବାଇପାସ ଛକଠାରେ ୧୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ଏପଟେ ଢେଙ୍କାନାଳ ସହରର ବାଇପାସ୍ ଛକଠାରେ ଓ ଓଡ଼ାପଡ଼ାରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ସେହିପରି ଭୁବନରେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ସାଂସଦଙ୍କ ସମର୍ଥକ।
ଫଳରେ ସୋମବାର ସକାଳେ ୧ ଘଣ୍ଟା ପାଇଁ ଜାତୀୟ ରାଜପଥ ଅଚଳ ହୋଇପଡ଼ିଥିଲା। କେବଳ ଜରୁରୀ ସେବାରେ ନିୟୋଜିତ ଗାଡ଼ିକୁ ଛାଡ଼ିଦେଲେ ଅନ୍ୟ କୌଣସି ଗାଡ଼ି ଚଳାଚଳ କରିନଥିଲା। ସେଥିପାଇଁ ହଜାର ହଜାର ଗାଡ଼ି ଜାତୀୟ ରାଜପଥରେ ଅଟକି ରହିଥିଲା।