ଭିମସାର୍‌ରେ ଏମ୍‌ଆର୍‌ଆଇ ମହାଦୁର୍ନୀତି : ମିଛ ବିଲ୍‌ କରି ରାଜକୋଷ ଲୁଟୁଛି ଘରୋଇ ସଂସ୍ଥା

ସଂଦେହ ଘେରରେ ବିଲ୍ ପାସ୍‌ କରୁଥିବା ଅଧିକାରୀ ଓ କର୍ମଚାରୀ

ସମ୍ବଲପୁର : ବିଭିନ୍ନ ଡାକ୍ତରୀ ପରୀକ୍ଷା ପାଇଁ ଖର୍ଚ୍ଚାନ୍ତ ହେଉଥିବା ସାଧାରଣ ରୋଗୀଙ୍କୁ ପାଇଁ ରାଜ୍ୟ ସରକାର ‘ନିଦାନ’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ସବୁ ରୋଗୀଙ୍କର ଏମ୍‌ଆର୍‌ଆଇ ସ୍କାନ୍‌ଠୁ ଆରମ୍ଭ କରି ସିଟି ସ୍କାନ୍‌, ଅଲ୍‌ଟ୍ରାସାଉଣ୍ଡ, ଏକ୍ସ-ରେ, ସବୁ ପ୍ରକାର ପାଥୋଲୋଜି ପରୀକ୍ଷା ଆଦି ସଂପୂର୍ଣ୍ଣ ମାଗଣାରେ କରିବା ବ୍ୟବସ୍ଥା ହୋଇଥିଲା। ତେବେ ଏହାର ଲାଭ ଉଠାଇ ଭିମସାର୍‌ରେ ଏମ୍‌ଆର୍‌ଆଇ ପରିଚାଳନା ଦାୟିତ୍ବରେ ଥିବା ଏକ ଘରୋଇ ସଂସ୍ଥା ସରକାରୀ ରାଜକୋଷକୁ ଲୁଟି ଚାଲିଛି। ବର୍ଷାଧିକ କାଳ ଏହି ସଂସ୍ଥା ମିଛ ବିଲ୍‌ କରି ସରକାରୀ ରାଜକୋଷରୁ କୋଟିକୋଟି ଟଙ୍କା ହଡ଼ପ କରି ଚାଲିଛି। ଏଥିରେ ମିଛ ବିଲ୍‌ରେ ଦସ୍ତଖତ କରୁଥିବା ଅଧିକାରୀଙ୍କ ସମେତ ଅନେକଙ୍କ ଭୂମିକା ସଂଦେହ ପରିସରକୁ ଆସିଛି। ଘଟଣାର ପ୍ରାଥମିକ ପ୍ରମାଣ ମିଳିଥିଲେ ବି ତଦନ୍ତ ପରେ ଦୁର୍ନୀତିର ଚେର କେତେ ଲମ୍ବା ତାହା ଜଣା ପଡ଼ିବ।

ଭିମ୍‌ସାର୍‌ରେ ଏଚ୍‌ଏଲ୍‌ଏଲ୍‌ ନାମକ ଏକ ଘରୋଇ ସଂସ୍ଥା ଏମ୍‌ଆର୍‌ଆଇ ପରିଚାଳନା ଦାୟିତ୍ବରେ ଥିଲା। ଏଚ୍‌ଏଲ୍‌ଏଲ୍‌ ପାଇଁ ପୁନେର କ୍ରିଷ୍ଣା ଡାଇଗ୍ନୋଷ୍ଟିକ୍‌ ନାମକ ଆଉ ଏକ ଘରୋଇ ସଂସ୍ଥା ବୁର୍ଲା ଓ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଏମ୍‌ଆର୍‌ଆଇ ମେସିନ୍‌ ସ୍ଥାପନ କରି ଏହାର ପରିଚାଳନା କରୁଥିଲା। ପୂର୍ବରୁ ଏହି ସଂସ୍ଥା ରୋଗୀଙ୍କଠାରୁ ଟଙ୍କା ନେଇ ଏମ୍‌ଆର୍‌ଆଇ ସ୍କାନ୍‌ କରୁଥିଲା। ହେଲେ ୨୦୧୮ରେ ‘ନିଦାନ ଯୋଜନା ଲାଗୁ ହେବା ପରେ ଏହା ରୋଗୀଙ୍କ ମାଗଣା ସ୍କାନ୍‌ କରି ପରେ ବିଲ୍‌ କରି ସରକାରଙ୍କଠାରୁ ସେ ବାବଦ ଅର୍ଥ ପାଉଥିଲା। ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ ଆଧାରରେ ଏହି ଘରୋଇ ସଂସ୍ଥା ରୋଗୀର ଏମ୍‌ଆର୍‌ଆଇ ସ୍କାନ୍‌ କରିବା କଥା। ମାତ୍ର ଡାକ୍ତର ଗୋଟିଏ ସ୍କାନ୍‌ ପାଇଁ ପ୍ରେସ୍‌କ୍ରିପ୍‌ସନ୍‌ରେ ଲେଖିଥିଲା ବେଳେ ଏହି ସଂସ୍ଥାର କର୍ମଚାରୀମାନେ ଏକାଧିକ ସ୍କାନ୍‌ କରି ଅଧିକ ବିଲ୍‌ କରୁଥିବାର ପ୍ରମାଣ ମିଳିଛି। ଡାକ୍ତରଖାନା କର୍ତ୍ତୃପକ୍ଷ ବିନା ଯାଞ୍ଚରେ ସେହି ବିଲ୍‌ ଗୁଡ଼ିକ ପାସ୍‌ କରି ଅର୍ଥ ପଇଠ ପାଇଁ ସରକାରଙ୍କ ନିକଟକୁ ପଠାଉଛନ୍ତି।

Cleveland Clinic

ଗତ ମାର୍ଚ୍ଚ ୧୯ ତାରିଖ ଦିନ ମେଡିସିନ୍‌ ବିଭାଗର ମୁଖ୍ୟ ପ୍ରଫେସର ପିକେ ମହାନ୍ତି ଶୋଭାରାମ ଚୌହାନ (୪୫) ନାମକ ଜଣେ ରୋଗୀଙ୍କର ମସ୍ତିଷ୍କ (ବ୍ରେନ୍‌)ର ଏମ୍‌ଆର୍‌ଆଇ ସ୍କାନିଂ ପାଇଁ ଲେଖିଥିଲେ। କିନ୍ତୁ ଉକ୍ତ ରୋଗୀ ଏମ୍‌ଆର୍‌ଆଇ କେନ୍ଦ୍ରକୁ ଆସିବା ପରେ ବିନା କାରଣରେ ତାଙ୍କର ବ୍ରେନ୍‌, ସର୍ଭିକାଲ୍ ସ୍ପାଇନ୍, ଡୋର୍ସାଲ ସ୍ପାଇନ୍ ଓ ଲୁମ୍ବାର ସ୍ପାଇନ୍‌ର ସ୍କାନ୍‌ କରା ଯାଇଥିଲା। ଖାଲି ବ୍ରେନ୍‌ ସ୍କାନିଂ ହୋଇଥିଲେ ୪ ହଜାର ଟଙ୍କାର ବିଲ୍‌ ହୋଇଥାଆନ୍ତା। କିନ୍ତୁ ୪ଟି ଯାକ ସ୍କାନିଂ ପାଇଁ ୪ ହଜାର ଲେଖାଏଁ କରି ମୋଟ ୧୬ ହଜାର ଟଙ୍କାର ବିଲ୍‌ କରାଯାଇଛି। ଗତ ମେ ୨୮ ତାରିଖ ଦିନ ଇନ୍ଦୁମତୀ ପାଲ୍ (୬୦) ନାମ୍ନୀ ଜଣେ ରୋଗୀଙ୍କର ଏଲ୍‌ଏସ୍‌ ସ୍ପାଇନ୍‌ ଏମ୍‌ଆର୍‌ଆଇ କରିବା ପାଇଁ ରେଡିଓ ଡାଇଗ୍ନୋସିସ୍‌ ବିଭାଗର ମୁଖ୍ୟ ପ୍ର. ପ୍ରଭାତୀ ଦତ୍ତ ଲେଖିଥିଲେ। କିନ୍ତୁ କେନ୍ଦ୍ରକୁ ଯିବା ପରେ ଉକ୍ତ ରୋଗୀଙ୍କର ଲୁମ୍ବାର ସ୍ପାଇନ୍‌, ସେର୍ଭିକାଲ୍ ସ୍ପାଇନ୍‌ ଓ ଡୋର୍ସାଲ୍‌ ସ୍ପାଇନ୍‌ ଆଦି ୩ ପ୍ରକାରର ସ୍କାନ କରି ଗୋଟିଏ ସ୍କାନ୍‌କୁ ୪ ହଜାର ହିସାବରେ ୧୨ ହଜାର ଟଙ୍କାର ବିଲ୍ କରାଯାଇଛି।

ଏ ସଂପର୍କରେ ଜଣା ପଡ଼ିବା ପରେ ୨୦୧୬ରେ ଭିମସାର୍‌କୁ ଏମ୍‌ଆର୍‌ଆଇ ମେସିନ୍‌ ଆଣିବାକୁ ହୋଇଥିବା ଆନ୍ଦୋଳନର ନେତୃତ୍ବ ନେଇଥିବା ଡା. ଶଂକର ରାମଚନ୍ଦାନୀଙ୍କ ସମେତ ଯୁବ ଡାକ୍ତର ମାନେ ଅଧୀକ୍ଷକଙ୍କୁ ଭେଟି ଏହାର ତଦନ୍ତ ଦାବି କରିଛନ୍ତି। ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଏହା ଏକ ମହାଦୁର୍ନୀତିର ଏକ ବିନ୍ଦୁ ମାତ୍ର, ପ୍ରତିଟି ବିଲ୍‌ ଓ ପ୍ରେସ୍‌କ୍ରିପ୍‌ସନ ଯାଞ୍ଚ ହେଲେ କେତେ ଟଙ୍କାର ଦୁର୍ନୀତି ହୋଇଛି ତାହା ସ୍ପଷ୍ଟ ହେବ ବୋଲି ସେମାନେ କହିଛନ୍ତି। ପ୍ରେସ୍‌କ୍ରିପ୍‌ସନ ଲେଖିଥିବା ପ୍ର. ମହାନ୍ତି ଏବଂ ପ୍ର. ଦତ୍ତ ମଧ୍ୟ ଏଭଳି ଦୁର୍ନୀତିର ଯାଞ୍ଚ ହେବା ଦରକାର ବୋଲି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର