ସମ୍ବଲପୁର: ବିଜେଡି ସରକାରର ୨୪ ବର୍ଷର ଶାସନ କାଳରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ବରେ ଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ପଶ୍ଚିମ ଓଡ଼ିଶାର ନେତା ଥିଲେ। ତଥାପି, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଶ୍ଚିମ ଓଡ଼ିଶା ପ୍ରତି ଅବହେଳା କରାଯାଇଥିଲା। ଅତ୍ୟାଧୁନିକ ଚିକିତ୍ସା ସେବାରୁ ଏହି ଅଞ୍ଚଳର ରୋଗୀମାନେ ବଞ୍ଚିତ ହୋଇଥିଲେ। ବିଜେପି କ୍ଷମତାକୁ ଆସିବା ପରେ ଏହି ଗୁରୁତ୍ବପୂର୍ଣ୍ଣ ବିଭାଗ ପୁଣି ପଶ୍ଚିମ ଓଡ଼ିଶାର ଜଣେ ନେତାଙ୍କୁ ମିଳିଛି।‌ ଇତିମଧ୍ୟରେ ବିଜେପି ତାର ଶହେ ଦିନ ପୂରଣ କରିଛି। ନିର୍ବାଚନରେ ଦେଇଥିବା ଅନେକ ପ୍ରତିଶ୍ରୁତି ବି ପାଳନ କରିଛି। ହେଲେ ସ୍ବାସ୍ଥ୍ୟସେବାର ଉନ୍ନତି ଦିଗରେ ପଶ୍ଚିମ ଓଡ଼ିଶାବାସୀ ସେତେଟା ଅନୁଭବ କରୁନାହାନ୍ତି।

Advertisment

ସ୍ବାସ୍ଥ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର, ତଥାପି ସେବା ଅପହଞ୍ଚ   
ଘରୋଇ କ୍ଲିନିକ୍‌କୁ ଦୌଡ଼ି ଖର୍ଚ୍ଚାନ୍ତ ହେଉଛନ୍ତି ରୋଗୀ

ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ବିଜେଡି ସରକାରଙ୍କ ଦ୍ୱାରା ବିଭିନ୍ନ ପଦକ୍ଷେପ ମଧ୍ୟରୁ ଏମ୍‌ଆର୍‌ଆଇ ସୁବିଧା ରାଜ୍ୟର ବିଭିନ୍ନ ମୁଖ୍ୟ ଚିକିତ୍ସାଳୟରେ ଯୋଗାଇ ଦେବାକୁ ସ୍ଥିର ହୋଇଥିଲା। ରାଜ୍ୟର ୬ଟି ଜିଲ୍ଲା ମୟୂରଭଞ୍ଜ, ଅନୁଗୁଳ, କଟକ, ପୁରୀ, ଭୁବନେଶ୍ୱର ଏବଂ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସହଭାଗିତାରେ (ପିପିପି ମୋଡ୍‌ରେ) ଏମ୍‌ଆର୍‌ଆଇ ସୁବିଧା ଉପଲବ୍‌ଧ କରାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି ମାଗଣା ସୁବିଧାରୁ ପଶ୍ଚିମ ଓଡ଼ିଶାକୁ ବଞ୍ଚିତ କରାଯାଇଥିଲା। ତତ୍କାଳୀନ ସରକାର ଦ୍ୱାରା ପଶ୍ଚିମ ଓଡ଼ିଶା ପ୍ରତି ଥିବା ଆଞ୍ଚଳିକ ବୈଷମ୍ୟ ଯୋଗୁ ଏଭଳି କରାଯାଇଥିବା ଲୋକେ ଅନୁଭବ କରିଥିଲେ। ତେବେ ବର୍ତ୍ତମାନ ସରକାରରେ ଏହି ଅଞ୍ଚଳରେ ଜଣେ ପ୍ରଭାବଶାଳୀ ନେତା ସ୍ବାସ୍ଥ୍ୟମନ୍ତ୍ରୀ ଥିବା ସ‌ତ୍ତ୍ବେ ଲୋକଙ୍କ ମନରେ ଜମାଟ ବାନ୍ଧିଥିବା ଏଭଳି ଅସନ୍ତୋଷ ଦୂର କରିବା ଦିଗରେ ଏପର୍ଯ୍ୟନ୍ତ ପଦକ୍ଷେପ ନେଇପାରିନାହାନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ବି ଏମ୍ଆର୍‌ଆଇ ସେବା ଉପଲବ୍‌ଧ କରାଇବାରେ ପଦକ୍ଷେପ ନିଆଯାଇନାହିଁ। ଏପଟେ ‘ଭିମ୍‌ସାର’ରେ ମଧ୍ୟ ଏହି ସେବା ଉପଲବ୍‌ଧ ନାହିଁ। ନିଜସ୍ବ ଏମ୍‌ଆର୍‌ଆଇ ମେସିନ ବସାଇବା ଲକ୍ଷ୍ୟରେ ପିପିପି ମୋଡ୍‌ରେ ସେବା ଦେଉଥିବା ସଂସ୍ଥାକୁ ହଟାଇବା ପରେ ରୋଗୀମାନଙ୍କୁ ବେଶ୍‌ ହଇରାଣ ହେବାକୁ ପଡ଼ୁଛି। ଏକ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହେବା ପରେ ବି ଏପର୍ଯ୍ୟନ୍ତ ନିଜସ୍ବ ଏମ୍‌ଆର୍‌ଆଇ ସ୍ଥାପନ କରାଯାଇପାରିନାହିଁ। ଏବେ ଡାକ୍ତରଖାନା ବାହାରେ ଥିବା ବୁର୍ଲାର ଏକ ଘରୋଇ ନର୍ସିଂହୋମ୍‌ ସହ ଚୁକ୍ତି କରାଯାଇଛି। ସଂପୃକ୍ତ ନର୍ସିଂହୋମ୍‌ରେ ଅଳ୍ପ‌ କେଇ ଜଣ ରୋଗୀଙ୍କ ପରୀକ୍ଷା ପରେ ଅନ୍ୟମାନଙ୍କୁ ଫେରାଇ ଦିଆଯାଉଥିବାରୁ ରୋଗୀ ଓ ସେମାନଙ୍କ ପରିଜନଙ୍କୁ ହଇରାଣ ହେବାକୁ ପଡ଼ୁଛି। 

ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଭଳି ପଶ୍ଚିମ ଓଡ଼ିଶାର ପ୍ରମୁଖ ଜିଲ୍ଲାଗୁଡ଼ିକର ରୋଗୀ ସଂଖ୍ୟା ବହୁତ ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏସବୁ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଏମ୍‌ଆର୍‌ଆଇ ସେବା ଉପଲବ୍ଧ କରାଇ ରୋଗୀମାନଙ୍କୁ ହଇରାଣ ତଥା ବାହାର ଘରୋଇ କ୍ଲିନିକ୍‌କୁ ଯାଇ ଖର୍ଚ୍ଚାନ୍ତ ହେବାରୁ ରକ୍ଷା କରାଯାଇପାରନ୍ତା। ଘରୋଇ କ୍ଲିନିକ୍‌ଗୁଡ଼ିକରେ ପ୍ରତି ଏମ୍‌ଆର୍‌ଆଇ ପରୀକ୍ଷା ପାଇଁ ୨୫୦୦ରୁ ୩୦୦୦ ଟଙ୍କା ଖର୍ଚ୍ଚ ହେଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଡାଇଲେସିସ୍ ସେବା ଯୋଗାଇବା ଭଳି ପିପିପି ‌ମୋଡ୍‌ରେ ଏହି ସେବା ଉପଲବ୍‌ଧ କରାଗଲେ ସରକାରଙ୍କୁ ‌ତୁଳନାତ୍ମକ ଭାବେ ଘରୋଇ କ୍ଲିନିକ୍‌ଠାରୁ ବହୁତ କମ୍‌ ଖର୍ଚ୍ଚ ହେବ। କେବଳ ସେତିକି ନୁହେଁ, କମ୍ ଖର୍ଚ୍ଚରେ ୨୪ ଘଣ୍ଟିଆ ନିରନ୍ତର ସେବା ମଧ୍ୟ ଯୋଗାଇ ଦିଆଯାଇପାରିବ। ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟି‌ରେ ରଖି ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ଦରଦ ଥିବା ଅବଗତ କରାଇପାରିବ।