ମୃତ୍ୟୁଞ୍ଜୟ ଆଇଏମଡି ମହାନିର୍ଦ୍ଦେଶକ

ପ୍ରଥମ ଓଡ଼ିଆ, ଗୁରୁତ୍ବପୂର୍ଣ୍ଣ ପଦବିରେ ୫ ବର୍ଷ ରହିବେ, ‘ସାଇକ୍ଲୋନ ମ୍ୟାନ ଅଫ୍ ଇଣ୍ଡିଆ’ ରୂପେ ଜଣାଶୁଣା

ନୂଆଦିଲ୍ଲୀ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ରୂପେ ଓଡ଼ିଆ ଅଫିସର ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ ଆଜି ଡ. ମହାପାତ୍ରଙ୍କ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଡକ୍ଟର ମହାପାତ୍ର ଏହି ମର୍ଯ୍ୟାଦାଜନକ ପଦରେ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ବର୍ତ୍ତମାନ ସେ ଆଇଏମଡିରେ ସାଇନଟିଷ୍ଟ ଜି’ ରୂପେ ଏଡିଜି ପଦବିରେ ଅବସ୍ଥାପିତ ଅଛନ୍ତି। ଆସନ୍ତା ଅଗଷ୍ଟମାସରୁ ସେ କାର୍ଯ୍ୟଭାର ଗ୍ରହଣ କରିବେ। ଡକ୍ଟର ମହାପାତ୍ର ୧୯୯୨ରେ

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ଚାକିରି ଯୋଗ ଦେଇ ଓଡ଼ିଶାରେ କାର୍ଯ୍ୟ କରୁଥିଲେ। ୨୦୦୨ରେ ତାଙ୍କୁ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା। ସେ ସାଇକ୍ଲୋନ ଵାର୍ଣ୍ଣିଂ ବିଭାଗର ମୁଖ୍ୟ ରୂପେ କାର୍ଯ୍ୟ କରି ଫାଇଲିନ୍, ତିତିଲି ଓ ଫନି ବାତ୍ୟାର ସଠିକ ପୂର୍ବାନୁମାନ କରି ଚର୍ଚ୍ଚାର କେନ୍ଦ୍ରକୁ ଆସିଥିଲେ। ଭାରତୀୟ ପାଣିପାଗ ବିଭାଗରେ ବର୍ତ୍ତମାନ କାର୍ଯ୍ୟରତ ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ‘ସାଇକ୍ଲୋନ ମ୍ୟାନ ଅଫ୍ ଇଣ୍ଡିଆ’ ରୂପେ ପରିଚିତ। ଅକ୍ଟୋବର ୧୨, ୨୦୧୩ ର ଫାଇଲିନ୍ ବାତ୍ୟା, ଅକ୍ଟୋବର ୧୨, ୨୦୧୪ ହୁଡ୍ ହୁଡ୍ ବାତ୍ୟା ଓ ଅକ୍ଟୋବର ୧୧, ୨୦୧୮ ର ତିତଲି ବାତ୍ୟାର ସଠିକ ଆକଳନ କରିବାରେ ସଫଳତା ହାସଲ କରିଥିଲେ। ଏହି ତିନୋଟି ପ୍ରମୁଖ ବାତ୍ୟାରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଆଗୁଆ ସୂଚନାର ଆକଳନ ସଠିକ ରହିଥିଲା ଏବଂ ତାଙ୍କ ଦ୍ବାରା ଜାରି କରାଯାଇଥିବା ସୂଚନା ଅନୁସାରେ ଅନେକ ଧନଜୀବନ ରକ୍ଷା ହୋଇପାରିଥିଲା।

ସାଇକ୍ଲୋନ ଵାର୍ଣ୍ଣିଂ ଡିଭିଜନର ମୁଖ୍ୟ ରୂପେ ମତ୍ୟୁଞ୍ଜୟ ମହାପାତ୍ର ଏବଂ ତାଙ୍କର ଟିମ ଦ୍ବାରା ପ୍ରତ୍ୟେକ ଘଣ୍ଟାରେ ସୂଚନା ଗୁଡ଼ିକୁ ଆକଳନ କରାଯାଇ ବାତ୍ୟାର ପୂର୍ବାନୁମାନ କରାଯାଇଥାଏ। ବାତ୍ୟା ୫ ଦିନ ପୂର୍ବରୁ କେଉଁ ଅଞ୍ଚଳରେ ହେବ, କେଉଁଠାରେ ଲ୍ୟାଣ୍ଡଫଲ ହେବ, ବାତ୍ୟାର ତୀବ୍ରତା ସହ ଜୁଆରର ଉଚ୍ଚତା ସମ୍ପର୍କରେ ସଠିକ ବିବରଣୀ ହାସଲ କରିବା େକ୍ଷତ୍ରରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କର ସ୍ବତନ୍ତ୍ର ଦକ୍ଷତା ରହିଛି। ଗତ ମାସ ୨୫ରେ ମୃତ୍ୟୁଞ୍ଜୟ ମହାପାତ୍ର ସାମ୍ଭବ୍ୟ ଫନି ବାତ୍ୟା ସମ୍ପର୍କରେ ପୂର୍ବାନୁମାନ କରିଥିଲେ। ସାେଟଲାଇଟ୍, ରାଡ଼ାର, ସ୍କାଟର ମିଟର୍ସ ଓ ସୁପର କମ୍ପ୍ୟୁଟର ଉପଯୋଗ କରାଯାଇ ହାସଲ କରାଯାଉଥିବା ଡାଟା ବାତ୍ୟାର ପୂର୍ବାନୁମାନ କରିବାରେ ବିଶେଷ ସହଯୋଗ ହେଉଛି ବୋଲି ମହାପାତ୍ର କହିଛନ୍ତି। ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ତାଙ୍କର ଚାକିରି ଜୀବନରେ ୪୦ ରୁ ଅଧିକ ବାତ୍ୟାର ପୂର୍ବାନୁମାନ କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି, ୧୯୭୧ରେ ଓଡ଼ିଶାରେ ଆସିଥିବା ପ୍ରଳୟଙ୍କରୀ ବାତ୍ୟା ତାଙ୍କର ଏବେ ବି ମନେ ଅଛି। ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୭ ବର୍ଷ। ବାତ୍ୟା ଦ୍ବାରା ତାଙ୍କ ପରିବାର ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଥିଲା ଏବଂ ସେହି ଦିନଠାରୁ ସେ ସଙ୍କଳ୍ପ କରିଥିଲେ ଯେ ଆଗକୁ ବାତ୍ୟା ଆସିବାର ପ୍ରାକ୍ ସୂଚନା ଦିଆଯାଇ ପାରିବ ଓ ଧନ ଜୀବନ ରକ୍ଷା କରାଯାଇ ପାରିବ ଏ ଦିଗରେ ସେ କାର୍ଯ୍ୟ କରିବେ । ଆଜି ସେ ତାଙ୍କ ସଙ୍କଳ୍ପରେ ଠିଆ ହୋଇ କାର୍ଯ୍ୟ କରି ଚାଲିଛନ୍ତି ଏବଂ ଆଗକୁ ତାଙ୍କ କାର୍ଯ୍ୟ ଜାରି ରହିବ ବୋଲି ସେ ଆଜି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ରୂପେ ନିଯୁକ୍ତି ପାଇବା ପରେ ନିଜ ପ୍ରତିକ୍ରିୟାରେ ‘ସମ୍ବାଦ’କୁ କହିଛନ୍ତି। ଡ. ମହାପାତ୍ର ଭଦ୍ରକର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ରାଜଗୁରୁପୁର ଅଞ୍ଚଳରେ ଜନ୍ମ ଗ୍ରହଣ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ପ୍ରାଥମିକ ଶିକ୍ଷା େଶଷ ପରେ ସେ ଭଦ୍ରକ କଲେଜରେ ପଦାର୍ଥ ବିଜ୍ଞାନ ଅନର୍ସ ରଖି ବିଏସସି ପାସ କରିଥିଲେ। ପରେ ବାଣୀବିହାରରେ ଏମଏସସି ପାସ ପରେ ଡିଆରଡିଓରେ ଚାକିରି ଆରମ୍ଭ କରିଥିଲେ। ସେଠାରେ ଦୁଇବର୍ଷ କାର୍ଯ୍ୟ କରିଥିଲେ। େସଠାରୁ ସେ ଅଧ୍ୟାପନାକୁ େଫରିଥିଲେ। ୧୯୯୨ ମସିହାରେ କିନ୍ତୁ ଆଇଏମଡିରେ ନିଯୁକ୍ତି ମିଳିଥିଲା।
ଉଲ୍ଲେଖଯୋଗ୍ୟ, ଆଇଏମଡି ମହାନିର୍ଦେଶକ ଭଳି ଗୁରୁତ୍ବପୂର୍ଣ୍ଣ ପଦବି ମିଳିବା େକ୍ଷତ୍ରରେ ଡ. ମହାପାତ୍ର ପ୍ରଥମ ଓଡ଼ିଆ।

ସମ୍ବନ୍ଧିତ ଖବର