ଭଞ୍ଜନଗର: ଧର୍ମ ହବିଷର ମାସ ହେଉଛି କାର୍ତ୍ତିକ। ସଂକୀର୍ତ୍ତନ ହେଉଛି ଆଧ୍ୟାତ୍ମିକ ଜାଗରଣର ବାର୍ତାବହ। ଏହି ମାସରେ ଗାଁ ଗହଳି ମନ୍ଦିର ତଥା ତୁଳସୀ ଚଉରା ମୂଳେ ହରେ ରାମ, ହରେ କୃଷ୍ଣ ନାମ ସଂକୀର୍ତ୍ତନ ଗୁଞ୍ଜରିତ ହୋଇଥାଏ। ବିଭିନ୍ନ ଗ୍ରାମାଞ୍ଚଳରେ ଅଷ୍ଟପ୍ରହର ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ମଧ୍ୟ ଆୟୋଜନ ହୋଇଥାଏ। ଯାହା ଦ୍ୱାରା ଗ୍ରାମବାସୀମାନଙ୍କ ମଧ୍ୟରେ ଭାଇଚାର ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ହେଲେ ମହାମାରୀ କରୋନା ଯୋଗୁ ଗାଁଠୁ ସହର ସବୁଠି ନିରବି ଯାଇଛି ମୃଦଙ୍ଗର ତାଳ। ଶୁଭୁନି ସଂକୀର୍ତ୍ତନର ଗୁଞ୍ଜରଣ । ନା ଶୁଭୁଛି ହରିବୋଲ ହୁଳହୁଳିର ଶଦ୍ଦ। କିଛି ଗ୍ରାମରେ ପରମ୍ପରାକୁ ବଜାୟ ରଖିବା ନ୍ୟାୟରେ ସୀମିତ ଆୟୋଜନରେ ସଂକୀର୍ତ୍ତନ ଜାରି ରହିଛି। ପ୍ରତି ଗାଁରେ ହେଉଥିବା ଆଡମ୍ବରପୂର୍ଣ୍ଣ ଅଷ୍ଟପ୍ରହର, ଚବିଶ ପ୍ରହର ନାମଯଜ୍ଞ ଆଉ ଆୟୋଜନ ହେଉନି। ଆଉ ଏଥିରେ ପ୍ରଭାବିତ ହୋଇଛନ୍ତି ଶତାଧିକ କଳାକାର ଓ କାରିଗର ମାନେ।
କାର୍ତ୍ତିକ ଓ ମାଘ ମାସରେ ପ୍ରାତଃ ଓ ସନ୍ଧ୍ୟାରେ ସଂକୀର୍ତ୍ତନ ମଣ୍ଡଳୀ ମୃଦଙ୍ଗ ଘଣ୍ଟ ଗିନିର ତାଳେ ତାଳେ ରାମ ନାମ, ହରି ନାମ ବୋଲି ଗ୍ରାମ ସାରା ବୁଲି ସଂକୀର୍ତ୍ତନ କରିଥାନ୍ତି। ଆଉ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରେ ମୃଦଙ୍ଗ ବାଦ୍ୟ। ଚଳିତ ବର୍ଷ ବିନା ସଂକୀର୍ତ୍ତନ ଓ ଆଧ୍ୟତ୍ମିକ କାର୍ଯ୍ୟକ୍ରମରେ କାର୍ତ୍ତିକ ସରିବାକୁ ବସିଥିବା ବେଳେ ଏହାର ସିଧା ସଳଖ ପ୍ରଭାବ ପଡ଼ିଛି ମୃଦଙ୍ଗ କାରିଗରମାନଙ୍କ ଉପରେ। ଧୀରେ ଧୀରେ ଏହି ମୃଦଙ୍ଗ ବାଦ୍ୟ ପ୍ରସ୍ତୁତ କରୁଥିବା କଳାକାର ମାନେ ଏଥିରୁ ନିବୃତ ହେଉଥିବା ବେଳେ ନୂଆଁ ପିଢି ଏହାର ପ୍ରସ୍ତୁତି ଜାଣିବାକୁ ଇଛା ପ୍ରକାଶ କରୁନାହାନ୍ତି। ଯାହା ଫଳରେ ଆଗାମୀ ଦିନରେ ଏହି ବାଦ୍ୟ ଲୋପ ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ତଥାପି ଯେଉଁ କିଛି କାରିଗର ଏହି ବାଦ୍ୟ ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ସେମାନଙ୍କ ଅବସ୍ଥା ବର୍ତ୍ତମାନ ଦୁର୍ବିଷହ ହୋଇପଡିଛି।
ଏଭଳି ଜଣେ କାରିଗର ହେଉଛନ୍ତି ଶେରଗଡ଼ ବ୍ଳକ୍ କାଚଖଣ୍ଡି ଗ୍ରାମର ସୁର୍ଦଶନ ନାଇକ(୬୭)। ସେ ପିଲାଟି ଦିନରୁ ବିଭିନ୍ନ ବାଦ୍ୟ ଯନ୍ତ୍ର ନିର୍ମାଣ କରିବା ନିଜ ବାପା ବଚ୍ଛିଆ ନାଇକଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିବା ବେଳେ ସେହି ସବୁ ବାଦ୍ୟ ଯନ୍ତ୍ର ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ସୁର୍ଦଶନ ମୃଦଙ୍ଗ ସହ ଡୁବି ତବଲା, ବେଙ୍ଗୁବାଜା, ଢୋଲକି, ନାଲା ବାଜା(କାଠ ନିର୍ମିତ୍ତ) ଓ ଢୋଲ ଆଦି ବର୍ଷ ତମାମ୍ ପ୍ରସ୍ତୁତ କରି ପରିବାର ପ୍ରତିପୋଷଣ କରନ୍ତି। ପୂର୍ବରୁ ବାଦ୍ୟ ଯନ୍ତ୍ର ସହ ମୃଦଙ୍ଗର ଚାହିଦା ବହୁତ ରହୁଥିଲା। ବରାଦ ମୁତାବକ ବହୁ ପୂର୍ବରୁ ସେ ସବୁକୁ ପ୍ରସ୍ତୁତ କରିଦେଉଥିଲୁ କିନ୍ତୁ ଏବେ ତିଆରି କରି ବୁଲି ବୁଲି ବିକ୍ରି କରିବାକୁ ପଡୁଛି। ଏହି କାର୍ଯ୍ୟରୁ ଭଲ ରୋଜଗାର ହେଉନଥିବା ଯୋଗୁ ପିଲାମାନେ ଏଥିପ୍ରତି ମନ ବଳାଉନଥିବା ପ୍ରକାଶ କରିଛନ୍ତି।
ବିଶେଷ କରି କାର୍ତ୍ତିକ ମାସରେ ମୃଦଙ୍ଗର ଚାହିଦା ବହୁତ ରହିଥିବା ଯୋଗୁ ବହୁ ପୂର୍ବରୂ ମୃଦଙ୍ଗ ତିଆରି କରି ସୋରଡ଼ା ବ୍ଳକ୍ର ବଡଗଡ଼କୁ ବିକ୍ରି କରିବାକୁ ଆସିଥିବା ବେଳେ ଗୋଟିଏ ମଧ୍ୟ ମୃଦଙ୍ଗ ବିକ୍ରି ହୋଇନଥିବା ସୁର୍ଦଶନ ପ୍ରକାଶ କରିଛନ୍ତି। ଦୀର୍ଘ ୪୫ ବର୍ଷରୁ ଉର୍ଦ୍ଧ ସମୟ ଧରି ବିଭିନ୍ନ ବାଦ୍ୟ ଯନ୍ତ୍ର ତିଆରି କରୁଥିବା ବେଳେ ଗୋଟିଏ ମୃଦଙ୍ଗ ତିଆରି କରିବା ପାଇଁ ତିନିରୁ ଚାରି ଦିନ ଲାଗୁଥିବା ସେ କହିଛନ୍ତି। ଏଥିପାଇଁ ଆବଶ୍ୟକ ମାଟିହାଣ୍ଡିକୁ ସେ ବେଲଗୁଣ୍ଠା ବ୍ଳକ୍ର ନେଟେଙ୍ଗା ରତନପୁର ଅଞ୍ଚଳରୁ ଆଣୁଥିବା ବେଳେ ମୃଦଙ୍ଗର ଉଭୟ ପାର୍ଶ୍ବରେ ଲାଗୁଥିବା ଧେଇଁ ପୋଡା ଓ ଚାଇଁ ପୋଡା ପାଇଁ ଚମଡାର ବ୍ୟବହାର ହେଉଛି। ଏଥିସହ ଛାଲର ବଧିରେ ମୃଦଙ୍ଗର ବାହାର ପାଖ ତିଆରି କରିବା ପାଇଁ ସେ ଚମଡା ବ୍ରହ୍ମପୁର ଚମଡ଼ା ଗୋଦାମରୁ ଆଣୁଥିବା ସେ କହିଛନ୍ତି। ମୃଦଙ୍ଗରେ ଲାଗୁଥିବା କିରଣକୁ ଘରେ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ସେ ପୋଡ ଘିଅକୁ ଭାତରେ ମିଶାଇ ଏକ ଅଠାଳିଆ ମିଶ୍ରଣ ପ୍ରସ୍ତୁତ କରି ନିଆଁରେ ପୋଡି କିରଣ ପ୍ରସ୍ତୁତ କରିଥାନ୍ତି।
ଗୋଟିଏ ମୃଦଙ୍ଗ ତିଆରି କରିବା ପାଇଁ ଆବଶ୍ୟକ ପଡୁଥିବା ହାଣ୍ଡି ୭୦୦ ଟଙ୍କା ପଡୁଥିବା ବେଳେ ୧୫୦୦ ଟଙ୍କାର ଚମଡା ବ୍ୟବହୃତ ହୋଇଥାଏ। ଖର୍ଚ୍ଚ ଓ ପାରିଶ୍ରମିକକୁ ମିଶାଇ ତିନି ହାଜାର ଟଙ୍କାରୁ ୩୨୦୦ ଟଙ୍କାରେ ଗୋଟିଏ ମୃଦଙ୍ଗ ବିକ୍ରି କରାଯାଉଥିବା ବେଳେ ପ୍ରତିବର୍ଷ ୧୦ ରୁ ୧୫ ମୃଦଙ୍ଗ କେବଳ କାର୍ତ୍ତିକ ମାସରେ ହିଁ ବିକ୍ରି ହେଉଥିଲା। ଗ୍ରାମରେ ବିକ୍ରି ନହେବାରୁ ଭଣଜା ବିପ୍ର ନାଇକ ସାହାର୍ଯ୍ୟରେ ମୃଦଙ୍ଗ ଧରି ବଡ଼ଗଡ଼ ଆସିଥିବା ବେଳେ ଚଳିତ ମାସରେ ଗୋଟିଏ ବି ମୃଦଙ୍ଗ ବିକ୍ରି ହୋଇନଥିବା ସୁର୍ଦଶନ କହିଛନ୍ତି। କଳାକାର ମାନଙ୍କୁ ଯେଭଳି କଳାକାର ଭତ୍ତା ପ୍ରଦାନ କରାଯାଉଛି ସେଭଳି କାରିଗର ମାନଙ୍କୁ ମଧ୍ୟ ସରକାରୀ ସହାୟତା ପ୍ରଦାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।