ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ୪ ବର୍ଷ ହେଲାଣି ଦିବ୍ୟାଙ୍ଗମାନେ କଲବଲ ହେଉଛନ୍ତି। ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଦିବ୍ୟାଙ୍ଗ ରାମ୍ପ୍‌ ଅବା ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ସିଂହଦ୍ବାରରୁ ପତିତପାବନଙ୍କୁ ଦର୍ଶନ କରି ଦିବ୍ୟାଙ୍ଗମାନେ ଫେରୁଛନ୍ତି। ନଚେତ୍‌ କାହାକୁ ଟଙ୍କା ଦେଇ ମନ୍ଦିର ଭିତରକୁ ଟେକି ନେଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅନୁରୋଧ କରୁଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇଛି। ଏପରିକି ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଯାଇଛି। ୪ ବର୍ଷ ହେବ ଏହି ସମସ୍ୟା ଲାଗିରହିଥିବା ବେଳେ ବରିଷ୍ଠ ଆଇନଜୀବୀ ମୃଣାଳିନୀ ପାଢ଼ୀ ଏ ଘଟଣରରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ, ଗଜପତି ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନୂଆବର୍ଷ ୨୦୨୩ରୁ ଦିବ୍ୟାଙ୍ଗ ଦର୍ଶନ ଦି‌ଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

Advertisment

ପୂର୍ବରୁ ଶ୍ରୀମନ୍ଦିର ଉତ୍ତରଦ୍ବାର ଦେଇ ଦିବ୍ୟାଙ୍ଗ, ଚାଲି ପାରୁନଥିବା ବୃଦ୍ଧବୃଦ୍ଧାମାନେ ହ୍ବିଲ୍‌ ଚେୟାର୍‌ରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଏଥିପାଇଁ ଉତ୍ତରଦ୍ବାରରେ ସ୍ବତନ୍ତ୍ର ରାମ୍ପ୍‌ ବ୍ୟବସ୍ଥା କରାଯାଇଥିଲା। ପରେ ୨୦୧୮ ମସିହାରେ ପୁରୁଣାକାଳିଆ ଏହି ରାମ୍ପ୍‌କୁ ହଟାଇ ନୂଆ ରାମ୍ପ୍‌ ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଥିଲା। ଭକ୍ତମାନେ ସିଧାସଳଖ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିର ଭିତର ବେଢ଼ାକୁ ଯିବା ବଦଳରେ ଉତ୍ତରଦ୍ବାର ରାମ୍ପ୍‌ ଦେଇ ଆନନ୍ଦବଜାରରେ ପ୍ରବେଶ ପରେ ଭିତର ବେଢ଼ାରୁ ଆନନ୍ଦବଜାରକୁ ସଂଯୋଗ ଗୁମୁଟ ଦେଇ ଭିତରକୁ ଯିବାର ଯୋଜନା କରାଯାଇଥିଲା। ସେହି ଅନୁଯାୟୀ ନୂଆ ରାମ୍ପ୍‌ ସହ ଆନନ୍ଦବଜାର ଉଚ୍ଛେଦ କାମ ବି ସରିଲା। ଶ୍ରୀମନ୍ଦିର ନାଟମଣ୍ଡପକୁ ଯିବାକୁ ଭିତର ବେଢ଼ାରୁ ଘଣ୍ଟିଦ୍ବାର ଦେଇ ସ୍ବତନ୍ତ୍ର ରାମ୍ପ୍‌ ଲାଗିଲା। କିନ୍ତୁ ସୁଆର ମହାସୁଆରଙ୍କ ବି‌ରୋଧ ସହ ଦିବ୍ୟାଙ୍ଗମାନେ ଯିବା ସମୟରେ ଗରମ ଡାଲି ପଡ଼ିବା ଅଭିଯୋଗ ହେବା ପରେ ରାମ୍ପ୍‌ ନିର୍ମାଣ କାର୍ଯ୍ୟ ୨୦୨୦ ମସିହାଠାରୁ ବନ୍ଦ ପଡ଼ିଛି। ଉତ୍ତରଦ୍ବାର ରାମ୍ପ ସେହିଭଳି ଅଧାଗଢ଼ା ଅବସ୍ଥାରେ ପଡ଼ିରହିଛି। ଫଳରେ ଦିବ୍ୟାଙ୍ଗମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ କଲବଲ ହେଉଛନ୍ତି। ଇତିମଧ୍ୟରେ ବାରମ୍ବାର ଦାବି ପରେ ବି ଶ୍ରୀମନ୍ଦିର ପ୍ରଶାସନ କର୍ଣ୍ଣପାତ କରୁନାହିଁ। ଏହାକୁ ନେଇ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ, ଦିବ୍ୟାଙ୍ଗ ଅଭିନେତା ତଥା ଫିଲ୍ମ ନିର୍ମାତା ଜିତେନ୍ଦ୍ର ବିଶ୍ୱାଳ ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକ‌ର୍ଷଣ କରିଥିଲେ। ଦିବ୍ୟାଙ୍ଗ ଦର୍ଶନ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଏହା ପରେ ବି ସ୍ଥିତି ପୂର୍ବପରି ରହିଛି।

ଏପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ, ଗଜପତିଙ୍କୁ ଲେଖିଥିବା ଚିଠିରେ ଶ୍ରୀମତୀ ପାଢ଼ୀ ୨୦୧୫ ନଭେମ୍ବର ୨୦ ତାରିଖ କଥାକୁ ଦୋହରାଇ କହିଛନ୍ତି, ସେଦିନ ଗୁଜୁରାଟରୁ ଆସିଥିବା ୧୪୦ଜଣ ଦିବ୍ୟାଙ୍ଗକୁ ରାଜ୍ୟ ସରକାରଙ୍କ ଉଦ୍ୟମରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ସୁରଟର ଭିନ୍ନକ୍ଷମ ୱେଲଫେୟାର ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ସଭାପତି କାହ୍ନୁ ଭାଇଙ୍କ ନେତୃତ୍ବରେ ଏହି ୧୪୦ଜଣ ଦିବ୍ୟାଙ୍ଗ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ଏବେ ବି ଦିବ୍ୟାଙ୍ଗ, ହ୍ବିଲଚେୟାର ଉପରେ ନିର୍ଭର କରୁଥିବା ବ୍ୟକ୍ତିଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା କରାଯାଉ। ସେବାୟତ ପରିବାର ଲୋକଙ୍କୁ ଦିବ୍ୟାଙ୍ଗଙ୍କ ସହାୟକ ଭାବେ ନିୟୋଜିତ କରାଯାଉ। ଶ୍ରୀମତୀ ପାଢ଼ୀ ଏହି ଚିଠିର ନକଲ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ପୁରୀ ଏସ୍‌ପି, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ଛତିଶାନିଯୋଗ ନାୟକ, ମୁକ୍ତିମଣ୍ଡପ ସଭାପତି, ଭିତରଚ୍ଛ ମହାପାତ୍ରଙ୍କ ସହ ବିଭିନ୍ନ ନିଯୋଗର ସଭାପତି ପ୍ରମୁଖଙ୍କ ନିକଟକୁ ପଠାଇଛନ୍ତି। ଏହା ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ସେବାୟତ ଓ ପରିଚାଳନା କମିଟି ସହ ଆଲୋଚନା ପରେ ଦିବ୍ୟାଙ୍ଗ ଦର୍ଶନ ମଡେଲ ପ୍ରସ୍ତୁତ ହେବ।