ବ୍ରହ୍ମପୁରରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମହାନିର୍ଦ୍ଦେଶକ ତଥା ‘ସାଇକ୍ଲୋନ୍‌ ମ୍ୟାନ୍’ ଡ. ମୃତ୍ୟୁଞ୍ଜୟ

୮୫ ଦେଶ ବାତ୍ୟା ପ୍ରଭାବିତ, ନିର୍ଭୁଲ ପୁର୍ବାନୁମାନ ଯୋଗୁଁ ବାତ୍ୟା ମୃତ୍ୟୁ ସଂଖ୍ୟା କମିଛି

ବ୍ରହ୍ମପୁର : ବର୍ତ୍ତମାନ ବିଶ୍ବର ୮୫ଟି ଦେଶ ବାତ୍ୟା ଦ୍ବାରା ପ୍ରଭାବିତ। ସାମୁଦ୍ରିକ ଝଡ଼ ତଥା ବାତ୍ୟାର ପୂର୍ବାନୁମାନ କ୍ଷେତ୍ରରେ ସମଗ୍ର ବିଶ୍ବରେ ଭାରତ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଫାଇଲିନ୍‌ଠାରୁ ଫନି ପର୍ଯ୍ୟନ୍ତ ଆମେ ସଠିକ୍‌ ପୂର୍ବାନୁମାନ କରି ଏହା ପ୍ରମାଣିତ କରିସାରିଛୁ। ବିଭିନ୍ନ ସଂସ୍ଥା ପକ୍ଷରୁ ବାତ୍ୟା ପୂର୍ବାନୁମାନ ତୁଳନାରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ପୂର୍ବାନୁମାନ ସଠିକ୍‌ ଓ ନିର୍ଭୁଲ ରହିଛି। ସଠିକ୍‌ ପୂର୍ବାନୁମାନ ଓ ସଚେତନତା ଯୋଗୁଁ ବାତ୍ୟାରେ ମୃତ୍ୟୁ ସଂଖ୍ୟା କମିଛି। କିନ୍ତୁ କ୍ଷତିକ୍ଷତି ବୃଦ୍ଧି ପାଉଛି। ଏବେ ପ୍ରଭାବ ଆଧାରିତ ପୂର୍ବାନୁମାନ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମହାନିର୍ଦ୍ଦେଶକ ତଥା ସାଇକ୍ଲୋନ୍‌ ମ୍ୟାନ୍‌ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ଆୟୋଜିତ ଜାତୀୟ ଆଲୋଚନାଚକ୍ରରେ ଯୋଗଦେଇ ଡ.ମହାପାତ୍ର କହିଛନ୍ତି, ୧୯୭୦ -୨୦୧୯ ପର୍ଯ୍ୟନ୍ତ କରା ଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ଜଳ ପାଣିପାଗ ଜନିତ ଦୁର୍ବିପାକ ଯୋଗୁଁ ୩୩ ପ୍ରତିଶତ ସାମୁଦ୍ରିକ ଝଡ଼ ତଥା ବାତ୍ୟା ସୃ୍ଷ୍ଟି ହୋଇଛି। ୧୦ଟି ବାତ୍ୟା ମଧ୍ୟରୁ ୭ଟିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୧୯୭୦ ମସିହାରେ ବାଂଲାଦେଶରେ ସୃଷ୍ଟି ହୋଇଥିବା ବାତ୍ୟାରେ ୩ଲକ୍ଷ ଲୋକ ମୃତାହତ ହୋଇଥିଲେ। ବିଶ୍ବରେ ସୃଷ୍ଟି ହୋଇଥିବା ବାତ୍ୟା ମଧ୍ୟରେଏହା ହେଉଛି ସର୍ବାଧିକ ଜୀବନହାନି।

ଡ.ମହାପାତ୍ର କହିଥିଲେ ଯେ ୧୯୯୯ ମସିହା ମହାବାତ୍ୟାରେ ଓଡ଼ିଶାରେ ୧୦ହଜାର ଲୋକ ପ୍ରାଣ ହରାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ମୃତାହତ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ୨୦୧୩ ଫାଇଲିନ୍‌ରେ ୨୧ଜଣ, ୨୦୧୪ ହୁଡ୍‌ହୁଡ଼୍‌ରେ ୪୬ଜଣ, ୨୦୧୫ରେ ସୃଷ୍ଟି ହୋଇଥିବା ଚପଳା ବାତ୍ୟାରେ ୫ଜଣ ପ୍ରାଣ ହରାଇଥିଲେ। ସେହିପରି ୨୦୧୫ରେ ସୃଷ୍ଟି ହୋଇଥିବା ବାତ୍ୟାରେ ୧୮ଜଣ, ୨୦୧୬ରେ ବାତ୍ୟାରେ ୬ଜଣ ମରିଥିଲେ। ୨୦୧୮ରେ ଦେଶରେ ତିତଲି, ମେକନୁ ଓ ଲୁବାନ୍‌ ବାତ୍ୟାରେ ଯଥାକ୍ରମେ ୭୮, ୨୬ ଓ ୧୪ଜଣଙ୍କ ଜୀବନ ଯାଇଥିଲା। ସେହିପରି ୨୦୧୯ରେ ଫନି, ହିକ୍କା ଓ ବୁଲବୁଲ ବାତ୍ୟାରେ ଯଥାକ୍ରମେ ୬୪, ୧୩ ଓ ୨୫ଜଣ ପ୍ରାଣ ହରାଇଥିଲେ। ମହାବାତ୍ୟା ସମୟରେ ୨୪ ଘଣ୍ଟା ପୂର୍ବରୁ ହିଁ ପୂର୍ବାନୁମାନ କରି ହେଉଥିଲା। ଜ୍ଞାନକୌଶଳ ଉନ୍ନତ ନ ଥିଲା। ଲୋକଙ୍କ ନିକଟରେ ସୂଚନା ପହଞ୍ଚି ପାରୁ ନ ଥିଲା। କିନ୍ତୁ ଫାଇଲିନ୍‌ ଓ ହୁଡ୍‌ହୁଡ୍‌ ବେଳେ ୫ଦିନ ପୂର୍ବରୁ ସଠିକ୍‌ ପୂର୍ବାନୁମାନ କରାଯାଇ ପାରିଲା। ଲୋକଙ୍କ ନିକଟରେ ଠିକ୍‌ ସମୟରେ ସଠିକ୍‌ ସୂଚନା ବି ପହଞ୍ଚି ପାରିଲା। ଅତ୍ୟାଧୁନିକ ଯନ୍ତ୍ରପାତିର ଉପଯୋଗ କରି ନିର୍ଭୁଲ ଓ ସମୟ ଉପଯୋଗୀ ପୂର୍ବାନୁମାନ ଯୋଗୁଁ ଏହା ସମ୍ଭବ ହେଲା। ପୂର୍ବରୁ ବଙ୍ଗୋପସାଗର ଓ ଆରବ ସାଗରର ୫୦ କିମି ମଧ୍ୟରେ ମାଛ ମାରିବାକୁ ମତ୍ସଜୀବୀ ଯାଉଥିଲେ। ମତ୍ସଜୀବୀଙ୍କୁ ବର୍ତ୍ତମାନ ସଠିକ୍‌ ସୂଚନା ‌ଦିଆଯାଇପାରୁଥିବାରୁ ବର୍ତ୍ତମାନ ସେମାନେ ଆହୁରି ଗଭୀର ସମୁଦ୍ରକୁ ଯାଉଛନ୍ତି। ଏହାକୁ ଆହୁରି ଉନ୍ନତ କରିବା ଲାଗି ଉଦ୍ୟମ ଜାରି ରହିଛି। ବାତ୍ୟା ସୂଚନା ଲାଗି ସ୍ବତନ୍ତ୍ର ୱେବ୍‌ସାଇଟ୍‌ ବ୍ୟବସ୍ଥା ହୋଇଛି। ଫନି ସାମୁଦ୍ରିକ ଝଡ଼ ଦିନ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ୱେବ୍‌ସାଇଟ୍‌କୁ ୨.୫ଲକ୍ଷ ଲୋକ ଦେଖିଥିଲେ। ସୂଚନା ପ୍ରସାରଣ ଦିଗରେ ଗଣମାଧ୍ୟମ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛି ଡ.ମହାପାତ୍ର କହିଛନ୍ତି।

ସାମୁଦ୍ରିକ ଝଡ଼ ତଥା ବାତ୍ୟାରେ ମୃତାହତ ସଂଖ୍ୟା କମିଥିବା ବେଳେ ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ପ୍ରଶ୍ନରେ ଆଇଏମ୍‌ଡି ମହା ନିର୍ଦ୍ଦେଶକ ଡ.ମହାପାତ୍ର କହିଥିଲେ ଯେ, କେବଳ ସଠିକ୍‌ ପୂର୍ବାନୁମାନ ଦ୍ବାରା ବଜ୍ରପାତ୍ର ଜନିତ ମୃତ୍ୟୁକୁ ରୋକାଯାଇ ପାରିବ ନାହିଁ। ଏଥିଲାଗି ଜନସାଧାରଣ ସଚେତନ ହେବା ସହ ପ୍ରସ୍ତୁତ ହେବାକୁ ପଡ଼ିବ। ବ୍ରଜପାତ ଜନିତ ମୃତ୍ୟୁକୁ ରୋକିବା ବର୍ତ୍ତମାନ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଓ ଓଡ଼ିଶା ସରକାର ମିଳିତ ଭାବେ କାମ କରୁଛନ୍ତି। ପୂର୍ବରୁ ଆଇଏମ୍‌ଡି ପକ୍ଷରୁ ବଜ୍ରପାତର ପୂର୍ବାନୁମାନ କରାଯାଉ ନ ଥିଲା। କିନ୍ତୁ ଗତବର୍ଷଠାରୁ ବଜ୍ରପାତର ବି ପୂର୍ବାନୁମାନ କରାଯାଉଛି। ଏହା ପରେ ବର୍ତ୍ତମାନ ଓଡ଼ିଶାରେ ବଜ୍ରପାତ ଜନିତ ମୃତ୍ୟୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର