ଏମ୍‌ ଏସ୍‌ ଲ ହେଲା ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ

ଆରମ୍ଭ ହେବ ‘ମଧୁସୂଦନ ଚେୟାର ଓ ‘ମଧୁବାବୁ ଲେକ୍‌ଚର ସିରିଜ’

କଟକ : ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ କଟକର ଏମ୍‌ଏସ୍‌ ଲ କଲେଜ ଆଜିଠାରୁ ବିଧିବଦ୍ଧ ଭାବେ ବିଶ୍ବବିଦ୍ୟାଳୟ ରୂପେ କାର୍ଯ୍ୟକ୍ଷମ ହୋଇଛି। ଏହା ଓଡ଼ିଶାର ପ୍ରଥମ ଆଇନ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିବାବେଳେ ଅଧୀନରେ ୨୨ଟି ଆଇନ କଲେଜ ପରିଚାଳିତ ହେବ। ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର କମଲଜିତ୍‌ ସିଂହ ଓ ପ୍ରଥମ କୁଳସଚିବ ଭାବେ କଲେଜର ଅଧ୍ୟକ୍ଷ ଡକ୍ଟର ସୁକାନ୍ତ କୁମାର ନନ୍ଦ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। କୁଳପତି ଓ କୁଳସଚିବ ଦାୟିତ୍ବ ଗ୍ରହଣ କରିବା ସମୟରେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଅରୁଣ କୁମାର ସାହୁ, ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ବିଧାୟକ ‌େସୗଭିକ୍‌ ବିଶ୍ବାଳ, ଜଷ୍ଟିସ୍‌ ମନୋରଂଜନ ମହାନ୍ତି, ପ୍ରଫେସର ଜୟଦେବ ପତି, ପ୍ରଫେସର ଏ.କେ. ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟର ପ୍ରଥମ ଆଇନ କଲେଜ ମଧୁସୂଦନ ଲ କଲେଜକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ୨୦୧୮ ମେ ୨୦ ତାରିଖରେ ରାଜ୍ୟ ସରକାର ଘୋଷଣା କରିଥିଲେ। ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇଛି। ଆଜିର ଦିନରେ ରାଜ୍ୟର ଅନେକ ଛାତ୍ରଛାତ୍ରୀ ଆଇନ ଶିକ୍ଷା ପ୍ରତି ଅଧିକ ରୁଚି ରଖୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧୁସୂଦନ ଆଇନ କଲେଜକୁ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ପରିଣତ କରିଛନ୍ତି।

ଏହା ଓଡ଼ିଶା ପାଇଁ ଏକ ଗୌରବର ବିଷୟ ହୋଇଥିବା ବେଳେ ବିଶ୍ବବିଦ୍ୟାଳୟର ସମସ୍ତ ଆବଶ୍ୟକତାକୁ ପୂରଣ କରାଯିବ ବେ‌ାଲି କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଭବିଷ୍ୟତରେ ମଧୁସୂଦନ ଦାସଙ୍କ ନାମରେ ବିଶ୍ବବିଦ୍ୟାଳୟରେ ଏକ ଚେୟାର ଗଠନ କରାଯିବା ସହିତ ‘ମଧୁବାବୁ ଲେକ୍‌ଚର ସିରିଜ୍‌’ ଆରମ୍ଭ କରାଯିବ ବୋଲି ନୂତନ ଭାବେ ଯୋଗ ଦେଇଥିବା ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର କମଲଜିତ୍‌ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର