ଭୁବନେଶ୍ବର: ରାଜ୍ୟରେ ଧାନ ଉତ୍ପାଦନ ବୃଦ୍ଧି ପାଇଛି। ହେଲେ ସେହି ଅନୁପାତରେ ରାଇସ୍‌ ମିଲ୍‌ ନାହିଁ। ଛତିଶଗଡ଼ରେ ୨୬୦୦ ରାଇସ୍‌ ମିଲ୍‌ ଥିବାବେଳେ ଓଡ଼ିଶାରେ ମାତ୍ର ୧୪୦୦ ମିଲ୍‌ ରହିଛି। ବର୍ତ୍ତମାନ ଯେତିକି ଧାନ ଉତ୍ପାଦନ ହେଉଛି ତାହାକୁ ଦେଖିଲେ ରାଜ୍ୟରେ ଆହୁରି ୪୦୦ରୁ ୫୦୦ ରାଇସ୍‌ ମିଲ୍‌ ଆବଶ୍ୟକ। ତେଣୁ ସାଧାରଣ ଲୋକେ ମିଲ୍‌ ଖୋଲିଲେ ରାଜ୍ୟ ସରକାର ୫୦% ସବ୍‌ସିଡି ଦେବେ ବୋଲି ଇଣ୍ଡିଆନ୍ ଚାମ୍ବର ଅଫ୍ କର୍ମସ(ଆଇସିସି) ପକ୍ଷରୁ ଆୟୋଜିତ ଏମ୍‌ଏସ୍‌ଏମଇ କୃଷି ଅନ୍ତର୍ଜାତୀୟ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

Advertisment

ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍‌ରେ ଅନୁଷ୍ଠିତ ସମ୍ମିଳନୀରେ ମନ୍ତ୍ରୀ କହିଲେ, ରାଜ୍ୟରେ ଉତ୍ପାଦିତ ଚାଉଳରୁ ରାଜ୍ୟର ଆବଶ୍ୟକତା ଓ ଏଫ୍‌ସିଆଇକୁ ମିଶାଇଲେ ୪୬ ଲକ୍ଷ ମେଟ୍ରିକ୍ ଟନ୍ ଯାଉଛି। ବଳକା ୧୨ରୁ ୧୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଆମ ପାଖରେ ରହୁଛି। ବଳକା ଚାଉଳ ସାଇତି ରଖିବାକୁ ରାଜ୍ୟ ସରକାର ନୂଆ ଗୋଦାମ କରୁଛନ୍ତି। ଏଥିସହ ଖୁବ୍‌ଶୀଘ୍ର ନୂଆ ନୀତି ଆସିବ। ଏମ୍‌ଏସ୍‌ଏମ୍‌ଇ ତଥା ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ଯୁଗ୍ମ ସଚିବ ମର୍ସି ଏପାଓ ରପ୍ତାନି ବୃଦ୍ଧି ଲକ୍ଷ୍ୟରେ ମନ୍ତ୍ରଣାଳୟର ଅନ୍ତର୍ଜାତୀୟ ସହଯୋଗ(ଆଇସି) ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ବରିଷ୍ଠ ଉପାଧ୍ୟକ୍ଷ ଧର୍ମାଦିତ୍ୟ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇସିସି ଓଡ଼ିଶା କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ କମିଟି ସଂଯୋଜକ ଶ୍ରୀରାମ ପଣ୍ଡା, ପରାମର୍ଶଦାତା କମିଟି ସଦସ୍ୟ ପ୍ରଦୀପ୍ତ ମହାନ୍ତି, ଏମ୍‌ଏସ୍‌ଏମ୍‌ଇ-ଡିଏଫ୍‌ଓର ଉପନିର୍ଦ୍ଦେଶକ ନୀତୀଶ ମାନ୍, ଶିଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରେଡ୍ଡୀ ପ୍ରମୁଖ ଯୋଗଦେଇଥିଲେ। ଆଇସିସି ଓଡ଼ିଶାର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିର ସହ-ସଂଯୋଜକ କର୍ଣ୍ଣେଲ ସୁଜନ ମହାନ୍ତି ଓ ଆଇସିସି ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ପାଲ ଧନ୍ୟବାଦ ଦେଇଥିଲେ।