ମାମଲାର ରାୟ ଉପରେ ନିର୍ଭର କରିବ ଏମ୍‌ଏସଏମ୍‌ଇ ଯନ୍ତ୍ରୀଙ୍କ ପଦୋନ୍ନତି: ସ୍ୟାଟ୍‌

କଟକ : ମାମଲାର ଚୂଡାନ୍ତ ରାୟ ଉପରେ ଅଣୁ କ୍ଷୁଦ୍ର ଓ ମଧ୍ୟମ(ଏମ୍‌ଏସ୍‌ଏମ୍‌ଇ) ବିଭାଗର ଯନ୍ତ୍ରୀମାନଙ୍କ ପଦୋନ୍ନତି ନିର୍ଭର କରିବ ବୋଲି ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ଆଦେଶ ଦେଇଛନ୍ତି। ସ୍ୟାଟ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ବି.କେ. ଦାଶ ଓ ପ୍ରଶାସନିକ ସଦସ୍ୟ ମନମୋହନ ପ୍ରହରାଜଙ୍କୁ ନେଇ ଗଠିତ ଖଣ୍ଡପୀଠ ଏମ୍‌ଏସ୍‌ଏମ୍‌ଇର ଯନ୍ତ୍ରୀ ଚିଦାନନ୍ଦ ମିଶ୍ରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଏପରି ଅନ୍ତରୀଣ ନିର୍ଦ୍ଦେଶ ଦେବା ସହିତ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୧୯୯୧ ମସିହାରୁ ୧୯୯୩ ମଧ୍ୟରେ ରାଜ୍ୟ ଶିଳ୍ପ ବିଭାଗରେ ୮ ଜଣ ଯନ୍ତ୍ରୀ ଷ୍ଟାଇପେଣ୍ଡାରୀ ଇଂଜିନିୟର ଭାବେ ନିଯୁକ୍ତି ପାଇଥିଲେ। ତେବେ ୧୯୯୮ ମସିହାରେ ଜଳ ସମ୍ପଦ ବିଭାଗରୁ ୨୬ ଜଣ ଯନ୍ତ୍ରୀ ମଧ୍ୟ ଷ୍ଟାଇପେଣ୍ଡାରୀ ଇଂଜିନିୟର ଭାବେ ଏଠାରେ ଡେପୁଟେସନରେ ଯୋଗ ଦେଇଥିଲେ। ପରବର୍ତୀ ସମୟରେ ଶିଳ୍ପ ବିଭାଗର ନାମ ପରିବର୍ତନ କରାଯାଇ ଏମ୍‌ଏସ୍‌ଏମ୍‌ଇ ରଖାଗଲା। ଜଳସମ୍ପଦ ବିଭାଗରୁ ଡେପୁଟେସନରେ ଆସିଥିବା ୨୬ ଜଣ ଷ୍ଟାଇପେଣ୍ଡାରୀ ଇଂଜିନିୟରଙ୍କ ଚାକିରିକୁ ଜଳ ସମ୍ପଦ ବିଭାଗ ୨୦୦୩ରେ ବୈଧିକରଣ କରିଥିଲା। ଅନ୍ୟପକ୍ଷରେ ଏମ୍‌ଏସଏମଇ ବିଭାଗରେ ପ୍ରଥମରୁ କାର୍ଯ୍ୟ କରୁଥିବା ୮ ଜଣ ଯନ୍ତ୍ରୀଙ୍କ ମଧ୍ୟରୁ ଜଣେ ଅବସର ଗ୍ରହଣ କରିଥିବା ବେଳେ ଅବଶିଷ୍ଟ ୭ ଜଣ ୧୯୯୮, ଡିସେମ୍ବର ୩୦ରେ ଆଡହକ ନିଯୁକ୍ତି ପାଇଥିଲେ ମଧ୍ୟ ସେମାନଙ୍କ ବରିଷ୍ଠତାକୁ ଉପେକ୍ଷା କରି ବିଭାଗୀୟ ପଦୋନ୍ନତି କମିଟି ମାଧ୍ୟମରେ ୨୦୧୪, ମେ ୧୯ରେ ଗ୍ରେଡେସନ ଲିଷ୍ଟ ଚୂଡାନ୍ତ ନ କରି କନିଷ୍ଠ ଥିବା ଏହି ୨୬ ଜଣଙ୍କୁ ପଦୋନ୍ନତି ଦିଆଯାଇଥିଲା। ସେମାନେ ୨୫ ବର୍ଷରୁ ଊର୍ଦ୍ଧ୍ୱକାଳ ଚାକରି କରିଥିଲେ ମଧ୍ୟ କନିଷ୍ଠମାନଙ୍କୁ ଉପର ପାହ୍ୟାରେ ପଦୋନ୍ନତି ଦେଇ ବରିଷ୍ଠମାନଙ୍କୁ ଉପେକ୍ଷା କରାଯାଇଛି। ଏବେ ମଧ୍ୟ କିଛି କନିଷ୍ଠ ଅଧିକାରୀଙ୍କୁ ଏମଏସଏମଇ ବିଭାଗର ପଦୋନ୍ନତି ପ୍ରକ୍ରିୟା ଜାରି ରହିଛି। ଏପରିକି ବରିଷ୍ଠ ୭ ଜଣଙ୍କୁ ସେମାନଙ୍କ ପ୍ରାପ୍ୟ, ବକେୟା ଦରମା ଏବଂ ଆରଏସିପି ସୁବିଧା ଦିଆଯାଇନାହିଁ। ଏ ନେଇ ଆବେଦନକାରୀ ଚିଦାନନ୍ଦ ମିଶ୍ରଙ୍କ ପକ୍ଷରୁ ଆଇନଜୀବୀ ଆର. କେ ସାହୁ ସ୍ୟାଟ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର