ଏମ୍‌ଏସ୍‌ଏମ୍‌ଇ ଅଭିଯୋଗ ପ୍ରକୋଷ୍ଠକୁ କ୍ରିୟାଶୀଳ କରାଯାଉ

ପ୍ରତି ସ୍ତରରେ ଉତ୍ତରଦାୟିତ୍ବ ନିର୍ଦ୍ଧାରଣ କରିବାକୁ ପ୍ରସ୍ତାବ

ଭୁବନେଶ୍ବର : ରାଜ୍ୟରେ ସବୁ ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପମାନଙ୍କ ସମସ୍ୟାର ସମାଧାନ ପାଇଁ ‘ଏମ୍‌ଏସ୍‌ଏମ୍‌ଇ କନେକ୍ଟ’ ନାମରେ ଏକ ସ୍ବତନ୍ତ୍ର ‘ଏମ୍‌ଏସ୍‌ଏମ୍‌ଇ ଅଭିଯୋଗ ପ୍ରକୋଷ୍ଠ’ ଆରମ୍ଭ କରିବେ। ପ୍ରତି ମାସର ଏକ ନିର୍ଦ୍ଦିଷ୍ଟ ଦିନରେ ସେମାନେ ଏମ୍‌ଏସ୍‌ଏମ୍‌ଇ ଅଭିଯୋଗଗୁଡ଼ିକର ଶୁଣାଣି କରି ତାହାର ସମାଧାନ କରିବେ ବୋଲି ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସରକାରଙ୍କ ଏହି ପଦକ୍ଷେପ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରୀୟ ଏମ୍ଏସ୍‌ଏମ୍‌ଇ ବୋର୍ଡର ପୂର୍ବତନ ସଦସ୍ୟ ତଥା ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘର ପୂର୍ବତନ ସଭାପତି ନିଶିକାନ୍ତ ମିଶ୍ର।

ସେ କହିଛନ୍ତି ଯେ, ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ ଏହାକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରାଇବାର ଆବଶ୍ୟକତା ରହିଛି। ପ୍ରଥମେ ଏହି ସେଲ୍‌ର ଦାୟିତ୍ବ ଶିଳ୍ପ ବିଭାଗର ଜଣେ ବରିଷ୍ଠ ତଥା ଅଭିଜ୍ଞ ଅଧିକାରୀଙ୍କୁ ଦିଆଯାଉ। କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ଦିଆଯାଉ। ଜିଲ୍ଲାପାଳମାନେ ନେବାକୁ ଥିବା ବୈଠକରେ ସ୍ଥାନୀୟ କ୍ଷୁଦ୍ର ଶିଳ୍ପ ସଂଘକୁ ସାମିଲ କରିବାର ଆବଶ୍ୟକତା ରହିଛି। ପ୍ରତି ସ୍ତରରେ ଉତ୍ତରଦାୟିତ୍ବ ନିର୍ଦ୍ଧାରଣ କରାଯାଉ। ପ୍ରତି ମାସରେ ଜିଲ୍ଲାପାଳମାନେ କେତେ ଅଭିଯୋଗ ପାଇଲେ ଓ ତାହାର ସମାଧାନ ପାଇଁ କି କି ପଦକ୍ଷେପ ନେ‌ଲେ, ତାହାର ରିପୋର୍ଟ ରାଜ୍ୟ ସରକାରଙ୍କୁ ପଠାନ୍ତୁ। ଏପରି ଭାବେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନେଲେ ରାଜ୍ୟରେ ବନ୍ଦ ହୋଇ ପଡ଼ିଥିବା ୭୦ ଭାଗ କ୍ଷୁଦ୍ର ଶିଳ୍ପ ପାଇଁ ଆଶା ସଞ୍ଚାର ହୋଇପାରିବ। ନୂଆ କରି କ୍ଷୁଦ୍ର ଶିଳ୍ପ କ୍ଷେତ୍ରରେ ପାଦ ଦେଇଥିବା ଯୁବ ଉଦ୍ୟୋଗୀମାନେ ମଧ୍ୟ ଉତ୍ସାହିତ ହେବେ। ଏହା ଦ୍ବାରା ରାଜ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ‌ହେବା ସହ ଶିଳ୍ପାୟନ ସଫଳ ହୋଇପାରିବ। ତେଣୁ ଏହି ଏମ୍‌ଏସ୍‌ଏମ୍‌ଇ ଅଭିଯୋଗ ପ୍ରକୋଷ୍ଠ’ ନିଷ୍ଠାର ସହ ସକ୍ରିୟ କରିବାକୁ ଶ୍ରୀ ମିଶ୍ର ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର