କୋଭିଡ-୧୯ ପରଚେଜ୍ କମିଟିରୁ ବାଦ୍ ପଡ଼ିଲେ ଆଇଏଏସ୍ ହେମନ୍ତ ଶର୍ମା

ପିପିଇ ଓ ମାସ୍କକୁ ଔଷଧ ନିଗମ ଗ୍ରହଣ ନ କରିବା ପରେ ହୋଇଥିଲା ବିବାଦ

ଭୁବନେଶ୍ୱର: କୋଭିଡ-୧୯ ପରଚେଜ୍ କମିଟିରୁ ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ବାଦ ପଡିଛନ୍ତି । ତେବେ ବାଦ ପଡିବାର କାରଣ ସଂପର୍କରେ କିଛି ଜଣାପଡ଼ିନାହିଁ । କରୋନା ମୁକାବିଲା ସରଞ୍ଜାମ କିଣିବା ପାଇଁ ସରକାର ତାଙ୍କୁ ଦାୟିତ୍ୱ ଦେଇଥିଲେ । ଶକ୍ତି ବିଭାଗ ପ୍ରମୁଖ ସଚିବ ସହିତ କୋଭିଡ -୧୯ର ଏହି ଗୁରୁଦାୟିତ୍ୱ ବୁଝୁଥିଲେ ହେମନ୍ତ ଶର୍ମା । ତେବେ ଗତ କିଛି ଦିନ ହେବ ସେ ବିବାଦ ଘେରରେ ଥିଲେ । ମହାରାଷ୍ଟ୍ର ଓ ପଂଜାବର  ପିପିଇ ଓ ମାସ୍କ ଗାଡିିକୁ ଔଷଧ ନିଗମ ଗ୍ରହଣ ନ କରିବା ପରେ ଏ ନେଇ ବିବାଦ ଦେଖାଦେଇଥିଲା । ଏହା ପରେ ହେମନ୍ତ ଶର୍ମାଙ୍କୁ ତାଙ୍କ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।

ସେପଟେ ହେମନ୍ତ ଶର୍ମାଙ୍କ ଅବ୍ୟାହତି ନେଇ ବିଜେଡି ନେତା ଶଶିଭୂଷଣ ବେହେରା ପ୍ରତିକ୍ରିୟା ରଖିଛନ୍ତି । କୌଣସି ଦୁର୍ନୀତିକୁ ନବୀନ ସରକାର ପ୍ରଶୟ ଦେଇନାହାନ୍ତି । ଯଦି ହେମନ୍ତ ଶର୍ମାଙ୍କ କ୍ଷେତ୍ରରେ ଦୁର୍ନୀତିର ଗନ୍ଧ ଥିବ, ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶଶିଭୂଷଣ ବେହେରା କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଏଭଳି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର । ଆବଶ୍ୟକ ସ୍ଥଳେ ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି । ସେହିପରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମାସ୍କ ଓ ପିପିଇ କିଟ ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ସମ୍ବନ୍ଧିତ ଖବର