ଭୁବନେଶ୍ବର: ବିକାଶ ସହିତ ବେକାରୀ ସମସ୍ୟା ସମାଧାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ)କୁ ବ୍ୟାପକ କରିବାକୁ ସରକାର ଗୁରୁତ୍ବ ପ୍ରଦାନ କରିଛନ୍ତି। ଗ୍ରାମରୁ ସହର ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳର କଞ୍ଚାମାଲକୁ ଭିତ୍ତି କରି ଏମ୍ଏସ୍ଏମ୍ଇକୁ ସମୃଦ୍ଧ କରିବାକୁ ସରକାର ହାତଖୋଲା ସହାୟତା ଓ ସହଯୋଗ ଯୋଗାଇ ଦେବାକୁ ପ୍ରଚାର ପ୍ରସାର କରୁଛନ୍ତି। ରାଜ୍ୟ ଓ ବାହାର ରାଜ୍ୟରେ ଏକାଧିକ ସମ୍ମିଳନୀ କରି ଉଦ୍ୟୋଗପତି ଓ ଯୁବଗୋଷ୍ଠୀକୁ ଶିଳ୍ପ ପ୍ରତି ଉତ୍ସାହିତ କରାଯାଉଛି। ହେଲେ ସରକାରଙ୍କର ଏହି ବିକାଶମୁଖୀ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାକୁ ତୃଣମୂଳରେ ଆଜି ପର୍ଯ୍ୟନ୍ତ ସେପରି ଭିତ୍ତିଭୂମି ସ୍ଥାପିତ ହୋଇପାରିଲା ନାହିଁ। ଏପରିକି ଜିଲ୍ଲା ସ୍ତରରେ ଏହାକୁ ତ୍ବରାନ୍ବିତ କରୁଥିବା ଜିଲ୍ଲା ଶିଳ୍ପ କେନ୍ଦ୍ର(ଡିଆଇସି)ର ମୁଖ୍ୟ ପଦବି ମହାପ୍ରବନ୍ଧକଙ୍କ ଠାରୁ ଆରମ୍ଭ କରି ଉପନିର୍ଦେଶକ, ସହ ପରିଚାଳକ, ସହକାରୀ ଶିଳ୍ପ ଅଧିକାରୀ ପଦବି ଖାଲିପଡ଼ିଛି। ଏମ୍ଏସ୍ଏମ୍ଇ ସଂପ୍ରସାରଣ ଦାୟିତ୍ବରେ ରହିଥିବା ମାଳମାଳ ଅଧିକାରୀ ପଦବି ମଧ୍ୟ ଖାଲିପଡ଼ିଥିବା ପରିପ୍ରେକ୍ଷୀରେ ଏମ୍ଏସ୍ଏମ୍ଇକୁ ତୃଣମୂଳରେ ଆଗକୁ କିଏ ନେବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୧୦ଲକ୍ଷ ଏମ୍ଏସ୍ଏମ୍ଇ, ୭୮ ଲକ୍ଷ ଉଦ୍ୟୋଗୀଙ୍କୁ ମାର୍ଗଦର୍ଶନ କରିବ କିଏ?
ଘୋଷଣାରେ ସୀମିତ କଳିଙ୍ଗନଗର ଏମ୍ଏସ୍ଏମ୍ଇ ପାର୍କ
ପ୍ରକାଶଥାଉକି, ୨୦୧୨ ମସିହାରୁ ରାଜ୍ୟ ସରକାର ଏମ୍ଏସ୍ଏମ୍ଇ କାର୍ଯ୍ୟକାରୀ କରିବା ଦିନରୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଶିଳ୍ପ ପ୍ରତି ଉତ୍ସାହ ବୃଦ୍ଧି ପାଇଛି। କୃଷି ଭିତ୍ତିକ ହେଉ, କି ଇସ୍ପାତ ଶିଳ୍ପକୁ ଭିତ୍ତି କରି ଶହଶହ ଏମ୍ଏସ୍ଏମ୍ଇ ଉଦ୍ୟୋଗ ପାଇଁ ଏକାଧିକ ଯୋଜନା ପ୍ରଣୟନ କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବାକୁ ୩୦ଟି ଜିଲ୍ଲାରେ ସୁନ୍ଦରଗଡ଼ ଓ ରାଉରକେଲା ସମେତ ମୋଟ ୩୧ଟି ଜିଲ୍ଲା ଶିଳ୍ପ କେନ୍ଦ୍ର(ଡିଆଇସି) ରହିଛି। ହେଲେ ୩୧ଟି ଡିଆଇସିରେ ମାତ୍ର ୧୮ ମହାପ୍ରବନ୍ଧକ ରହିଛନ୍ତି। ଯେପରିକି ଯାଜପୁର ଓ କେନ୍ଦ୍ରାପଡ଼ା ପାଇଁ ଜଣେ, କଟକ ଓ ଜଗତସିଂହପୁର ଜିଲ୍ଲା ପାଇଁ ଜଣେ ମହାପ୍ରବନ୍ଧକ ରହିଛନ୍ତି। ସେହିପରି ୬୦ଟି ଉପନିର୍ଦେଶକ ପଦବି ଖାଲି ପଡ଼ିଥିବା ବେଳେ ୧୧୦ଟି ସହ ପରିଚାଳକ ପଦବି ଖାଲିପଡ଼ିଛି। ବ୍ଲକ୍ରେ ଏମ୍ଏସ୍ଏମ୍ଇକୁ କାର୍ଯ୍ୟକାରୀ କରୁଥିବା ସହକାରୀ ଶିଳ୍ପ ଅଧିକାରୀ ପଦବି ୩୬୦ଟି ସୃଷ୍ଟି କରାଯାଇଛି। ଅଥଚ ସେଠାରେ ମାତ୍ର ୪୩ଜଣ ରହିଛନ୍ତି। ଏକାଧିକ ବ୍ଲକ୍ ପାଇଁ ଜଣେ ଜଣେ ସହକାରୀ ଶିଳ୍ପ ଅଧିକାରୀ ନାମକୁ ମାତ୍ର ରହିଛନ୍ତି। ଏଭଳି ସ୍ଥିତିରେ ସରକାରଙ୍କର ଏକାଧିକ ଯୋଜନାରୁ ଲାଭ ଉଠାଇବା ପାଇଁ ଆବେଦନ କରିଥିବା ହଜାର ହଜାର ବେକାରୀ ଯୁବକଯୁବତୀ ଏମ୍ଏସ୍ଏମ୍ଇ କ୍ଷେତ୍ରରେ କିପରି ଉପଯୁକ୍ତ ସହାୟତା ପାଇପାରିବେ ସେ ନେଇ ପ୍ରଶ୍ନ ଉଠିଛି। ଉଦ୍ୟମ ପୋର୍ଟାଲ୍ ତଥ୍ୟ ଅନୁଯାୟୀ, ୧୦ଲକ୍ଷ ୧୧ହଜାର ୪୪୧ଟି ଏମ୍ଏସ୍ଏମ୍ଇ ଶିଳ୍ପାନୁଷ୍ଠାନ ଲାଗି ପଞ୍ଜୀକରଣ ହୋଇଛି। ଏଥିରେ ୭୮ଲକ୍ଷ ୧୪ହଜାର ୫୮୯ଜଣ ଆତ୍ମନିଯୁକ୍ତି ଓ ନିଯୁକ୍ତିର ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି ବୋଲି ସରକାରୀ ତଥ୍ୟରେ କୁହାଯାଉଛି। ହେଲେ ବ୍ୟାପକ ମାନସମ୍ବଳକୁ କିଏ ଠିକ୍ଭାବେ ମାଗଦର୍ଶନ କରିବ ଓ କେଉଁଠାରୁ ସେମାନଙ୍କୁ ସହାୟତା ମିଳିବ, ସେ ଚିତ୍ର ଅସ୍ପଷ୍ଟ ରହିଛି। ଉଦାହରଣ ଭାବେ ଦେଖିଲେ, ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ୨୦୨୧ରେ ୩୫ଟି ୟୁନିଟ୍କୁ ନେଇ ୭୯ଏକର ଜମିରେ ସ୍ଥାପିତ ଏମ୍ଏସ୍ଏମ୍ଇ ପାର୍କରେ ନାମକୁ ମାତ୍ର ୩ଟି ୟୁନିଟ୍ ନିର୍ମାଣ ଆରମ୍ଭ କରିଛି।