ମୋଦୀ ସରକାର ଥିବା ପର୍ଯ୍ୟନ୍ତ ଏମ୍ଏସ୍ପି ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ: ଧର୍ମେନ୍ଦ୍ର ପ୍ରଧାନ
‘ନୂତନ କୃଷିନୀତି’ ଉପରେ ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର: ଭାରତବର୍ଷରେ ମୋଦୀ ସରକାରଙ୍କ ପରି ସମ୍ବେଦନଶୀଳ ସରକାର ଥିବା ପର୍ଯ୍ୟନ୍ତ ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ। ବିଜେପି ପକ୍ଷରୁ ଭାରତ ସରକାରଙ୍କ ‘ନୂତନ କୃଷିବିଲ୍’ ଉପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି, ମୋଦୀ ସରକାରରେ ଅଣାଯାଇଥିବା ତିନୋଟି ବିଲ୍ ଯଥା କୃଷି ଉତ୍ପାଦନ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଏବଂ ସରଳୀକରଣ) ବିଲ୍, ଚାଷୀ (ସଶକ୍ତୀକରଣ ଏବଂ ସୁରକ୍ଷା) ଚୁକ୍ତିଭିତ୍ତିକ ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ବିଲ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ୍ ସଂସଦରେ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି। ତେବେ ଏହି ବିଲ୍ ଦ୍ୱାରା ଏମଏସପି ବନ୍ଦ ହେବ ବୋଲି ଯେଉଁ ଅପପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା। ଓଡିଶା ଓ ଭାରତବର୍ଷରେ ଏମ୍ଏସ୍ପି ବ୍ୟବସ୍ଥା ପୂର୍ବଭଳି ଅପରିବର୍ତିତ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର ଚାଷୀମାନଙ୍କ ପାଖରୁ କେନ୍ଦ୍ର ସରକାର ୨୦୦୯ରୁ ୨୦୧୪ ଆର୍ଥିକ ବର୍ଷ ମଧ୍ୟରେ ୧୪.୨୬ ମିଲିୟନ ମେଟ୍ରିକ ଟନ ଧାନ କିଣିଛନ୍ତି ଏବଂ ୨୦୧୩-୧୪ ଆର୍ଥିକ ବର୍ଷରେ ଧାନର ଏମଏସପି କ୍ୱିଟାଂଲ ପ୍ରତି ୧୩୧୦ ଟଙ୍କା ଥିଲା। ମାତ୍ର ମୋଦୀ ସରକାରରେ ଆର୍ଥିକ ବର୍ଷ ୨୦୧୪ ରୁ ୨୦୨୦ ମଧ୍ୟରେ ୨୨.୮୬ ମିଲିୟନ ମେଟ୍ରିକ୍ ଟନର ଧାନ କିଣାଯାଇଛି ଏବଂ ୨୦୨୦-୨୧ରେ ଧାନର ଏମଏସପି କ୍ୱିଂଟାଲ ପ୍ରତି ୧୮୬୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
70 yrs since independence the cry of ‘Jai Jawan Jai Kisan’ still relevant. Farmers made lot of progress in agriculture sector & now they’ll be able to realise proper prices for their produce under spirit of #AatmnirbharBharat: Union Min Dharmendra Pradhan, on new agriculture laws pic.twitter.com/jsJWzSAQpY
— ANI (@ANI) October 3, 2020
ସେହିପରି ବର୍ଷ ୨୦୧୪-୨୧ ଅଗଷ୍ଟ ମାସ ସୁଦ୍ଧା ୨୦,୨୭୨.୩୩ ଟନ ଡାଲି କିଣାଯାଇଛି ଏବଂ ଏହାର ଏମଏସପି କ୍ୱିଂଟାଲ ପ୍ରତି ୬୨୭୧.୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ବର୍ଷ ୨୦୧୪-୨୧ ଅଗଷ୍ଟ ମାସ ସୁଦ୍ଧା ଓଡ଼ିଶା ଚାଷୀଙ୍କ ଠାରୁ ୧୨,୯୫୭.୬୩ ଟନ ତୈଳଜାତ ସାମଗ୍ରୀ ଭାରତ ସରକାର କିଣିଛନ୍ତି ଓ ଏହାର ଏମଏସପି କ୍ୱିଟାଲ ପ୍ରତି ୪୩୫୧.୮୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛ।
ରାଜ୍ୟର ଚାଷୀମାନେ ପୂର୍ବରୁ କେବଳ ଏଗ୍ରିକଲଚ୍ୟୁରାଲ ପ୍ରଡ୍ୟୁସ ମାର୍କେଟ୍ କମିଟି(ଏପିଏମସି) ଅଧିନିୟମ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଏହି ଆଇନ ବଳରେ ଚାଷୀମାନେ ଏପିଏମସି ସହିତ ଏହାର ବାହାରେ ମଧ୍ୟ ମୁକ୍ତ ବଜାରରେ ନିଜର ସାମଗ୍ରୀକୁ ବିକ୍ରି କରିପାରିବେ, ଅର୍ଥାତ୍ ନୂତନ କୃଷି ନୀତି ଦ୍ୱାରା ମଣ୍ଡି ବ୍ୟବସ୍ଥା ବନ୍ଦ ହେବନାହିଁ ଓ ମଣ୍ଡି ବାହାରେ ମଧ୍ୟ ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ବିକି ପାରିବେ।
ଶ୍ରୀ ପ୍ରଧାନ କହିଛନ୍ତି ନୂଆ ନିୟମରେ ଚାଷୀ ଓ ବଜାର ମଧ୍ୟରେ ଏକାଧିକ ମଧ୍ୟସ୍ଥି ଓ ଦଲାଲି ବ୍ୟବସ୍ଥାକୁ ହଟାଯାଇ ଚାଷୀଙ୍କୁ ସିଧାସଳଖ ବଜାର ସହ ଯୋଡ଼ାଯାଇଛି। ଫଳରେ ଦେଶର ଯେକୌଣସି ବଜାରରେ ଚାଷୀମାନେ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାକୁ ସାମର୍ଥ୍ୟ ହେବେ। କୃଷିଜାତ ସାମଗ୍ରୀକୁ ସଂରକ୍ଷଣ କରି ରଖିବାର ବ୍ୟବସ୍ଥା ମଧ୍ୟ ବିଧେୟକରେ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଆତ୍ମନିର୍ଭର ଭାରତ ପ୍ୟାକେଜରେ ୧ ଲକ୍ଷ କୋଟିର କୃଷି ଭିତ୍ତଭୂମି ପାଣ୍ଠି, ୧୦ ହଜାର କୃଷି ଉତ୍ପାଦନ ସଂସ୍ଥା (ଏଫପିଓ) ଗଠନ ପାଇଁ ଯୋଜନା ରହିଛି। ଏହି ଆଇନ ଦ୍ୱାରା ଉଭୟ ଓଡ଼ିଶା ଓ ଭାରତର ଚାଷୀମାନେ ଲାଭବାନ ହେବେ। ଉତ୍ପାଦିତ ସାମଗ୍ରୀର ବର୍ଦ୍ଧିତ ସହାୟକ ମୂଲ୍ୟ ଚାଷୀମାନେ ପାଇପାରିବେ ଯ କଂଟ୍ରାକ୍ଟ ଫାର୍ମିଂ ଦ୍ୱାରା କେବଳ ଚାଷୀର ଉତ୍ପାଦନ ଫସଲ କିଣିହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀଙ୍କ ପାଇଁ ଏପରି ବିଲ୍ ଆଣି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି।
ଭାରତର ଜିଡିପିରେ କୃଷି କ୍ଷେତ୍ର ଏକ ମହତ୍ୱପୂର୍ଣ୍ଣ ଭୂମିକା ରଖୁଛି। ତେଣୁ ଭାରତର ମୂଳ ଆଧାର କୃଷି କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତନ ଆଣିବା ଲକ୍ଷ୍ୟରେ ଏହି ବିଲ୍ ଅଣାଯାଇଥିଲା। ଏହି ବିଧେୟକ ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ କୃଷିଜାତ ସାମଗ୍ରୀର ସଠିକ୍ ମୂଲ୍ୟ ଦେବ ଏବଂ ଉପଭୋକ୍ତାଙ୍କୁ ମଧ୍ୟ ସଠିକ୍ ମୂଲ୍ୟରେ ସାମଗ୍ରୀ ମିଳିପାରିବ। ସେ କହିଛନ୍ତି ପୂର୍ବରୁ ଚାଷୀମାନେ କେବଳ ଜୀବନଜୀବିକା ପାଇଁ ଚାଷ କରୁଥିଲେ। ମାତ୍ର ଏହି ନୂଆ କୃଷି ନୀତି ଦ୍ୱାରା ଯୁବ ଚାଷୀମାନେ କୃଷି ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।