ଏମ୍‌ଏସ୍‌ପିକୁ ନେଇ ବୟାନବାଜି ଜାରି

ଭୁବନେଶ୍ୱର : ଧାନର ଏମ୍‌ଏସ୍‌ପି ବୃଦ୍ଧିକୁ ନେଇ ଗତକାଲି ଠାରୁ ରାଜନୈତିକ ବୟାନବାଜି ଥମୁ ନାହିଁ। ତିନି ପ୍ରମୁଖ ଦଳ ଏହାକୁ ନେଇ ପରସ୍ପର ବିରୋଧରେ ଦୋଷାରୋପ ଜାରି ରଖିଛନ୍ତି। ଆଜି ମଧ୍ୟ ବିଜେଡି ଓ କଂଗ୍ରେସ ଏ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଅପର ପକ୍ଷରେ ବିଜେପି ଏହାକୁ ଯଥାର୍ଥ ବୋଲି ଯୁକ୍ତି ବାଢ଼ିବା ରାଜ୍ୟ ସରକାର ବୋନସ୍‌ ଦେବାକୁ ଦଳ ଦାବି କରିଛି।

ଆଜି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ଓଡ଼ିଶାରେ ଧାନ ଉତ୍ପାଦନ ଖର୍ଚ୍ଚ ୨୩୪୪ ଟଙ୍କା ଥିବାରୁ ଏମ୍‌ଏସ୍‌ପି ୨୯୩୦ ଟଙ୍କା ବୋଲି ବିଧାନସଭାରେ ଦଳମତ ନିର୍ବିଶେଷରେ ପ୍ରସ୍ତାବ ଗୃହୀତ ହୋଇଛି। ଅନ୍ୟ ରାଜ୍ୟରେ ଉତ୍ପାଦନ ଖର୍ଚ୍ଚ କମ୍‌ ହୋଇଥାଇପାରେ। ଅନ୍ୟ ରାଜ୍ୟରେ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷ କରାଯାଉଥିବାରୁ ଉତ୍ପାଦନ ଖର୍ଚ୍ଚ କମ୍‌ ରହିଥାଇପାରେ। କିନ୍ତୁ ଓଡ଼ିଶାରେ କୃଷି ଶ୍ରମିକଙ୍କୁ ହିଁ ଚାଷ କାର୍ଯ୍ୟରେ ନିୟୋଜିତ କରାଯାଏ। ତେଣୁ କେନ୍ଦ୍ର କୃଷି ମନ୍ତ୍ରୀ ବାସ୍ତବରେ ଶ୍ରମିକଙ୍କ ମୂଲ୍ୟ ବୁଝନ୍ତୁ। ଓଡ଼ିଶାର ଚାଷୀଙ୍କୁ କେନ୍ଦ୍ର ସରକାର ପ୍ରତାରଣା କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଆଲୋଚନା କରିବେ ବୋଲି ଶ୍ରୀ ମହାରଥୀ କହିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରାଯାଇ ତାହାକୁ ଲାଗୁ କରିବା ପାଇଁ କେନ୍ଦ୍ରକୁ ସୁପାରିସ୍‌ କରାଯାଇଥିଲା। ସବୁ ରାଜନୈତିକ ଦଳ ଏଥିରେ ସହମତି ଜଣାଇଥିଲେ। ସ୍ୱାମୀନାଥନ୍‌ କମିଟି ବି କେନ୍ଦ୍ରକୁ ଏ ନେଇ ସୁପାରିସ୍‌ କରିଥିଲା। କିନ୍ତୁ କେନ୍ଦ୍ର ସରକାର ଏସବୁ କର୍ଣ୍ଣପାତ କଲେ ନାହିଁ। ମନଇଚ୍ଛା ଦର ନିର୍ଦ୍ଧାରଣ କଲେ। ଏହା ଚାଷୀଙ୍କୁ ଉପହାସ ନୁହେଁ ତ ଆଉ କ’ଣ ?

ଅପର ପକ୍ଷରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, କୃଷି ଦ୍ରବ୍ୟର ଉତ୍ପାଦନ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ସିଏସିପି ସଂସ୍ଥା ଚଳିତ ବର୍ଷ ଧାନର ଉତ୍ପାଦିତ ମୂଲ୍ୟ ୧୧୬୬ ଟଙ୍କା ନିର୍ଦ୍ଧାରଣ କରିଛି। ଏହି ଉତ୍ପାଦନ ମୂଲ୍ୟରୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣାରୁ ଅଧିକ ବୃଦ୍ଧି କରି ଏହାକୁ ୧୭୫୦ କରାଯାଇଛି। ଏହା ସାରା ଦେଶ ପାଇଁ ଲାଗୁ ହେଲା। ଓଡ଼ିଶା ପାଇଁ କ’ଣ ଅଲଗା ଦର ଧାର୍ଯ୍ୟ ହେବ କି ? ତେଣୁ ରାଜ୍ୟ ସରକାର ବୋନସ୍‌ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର