ଏମ୍ଏସ୍‌ପି ନେଇ କଥା କଟାକଟି

ଭୁବନେଶ୍ବର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ପ୍ରସଙ୍ଗରେ ଆଜି ପ୍ରଶ୍ନକାଳରେ ମୁହାଁମୁହିଁ ହୋଇଥିଲେ ମନ୍ତ୍ରୀ ଓ ବିରୋଧୀ ଦଳ। ଏମ୍‌ଏସ୍‌ପି ପ୍ରସଙ୍ଗରେ କୃଷି ମନ୍ତ୍ରୀ କେନ୍ଦ୍ରକୁ ଦାୟିତ୍ବ ଠେଲିଲା ପରେ ଏହାର ପ୍ରତିବାଦ କରିଥିଲା ବିଜେପି। ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ ଆଗରେ ଧାରଣା ଦେବାକୁ କହିଥିଲେ କଂଗ୍ରେସ ସଭ୍ୟ। ଏହି ପ୍ରସଙ୍ଗକୁ ନେଇ ପ୍ରଶ୍ନକାଳ ବେଶ୍‌ ସରଗରମ ହୋଇଥିଲା।

ପ୍ରଫୁଲ୍ଲ ସାମଲଙ୍କ ମୂଳ ପ୍ରଶ୍ନର ଉତ୍ତର ଦେଇ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, କେନ୍ଦ୍ର ସରକାର ସବୁ ଫସଲର ଏମ୍‌ଏସ୍‌ପି ଘୋଷଣା କରିଥା’ନ୍ତି। ୨୦୧୭ ମସିହାରେ ବିଧାନସଭାରେ ପାରିତ ସର୍ବଦଳୀୟ ପ୍ରସ୍ତାବ ଅନୁଯାୟୀ ୨୦୨୨-୨୩ ମସିହାରେ ମଧ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏହାର ପ୍ରତିବାଦ କରି କହିଥିଲେ, ସବୁ କଥାରେ କେନ୍ଦ୍ର ସରକାରଙ୍କ ଉପରକୁ ବଲ ଗଡ଼ାଇବା ଠିକ ନୁହେଁ। ରାଜ୍ୟ ସବୁ କଥାରେ ମୋ ସରକାର, ମୋ ବସ, ମୋ ସାଇକେଲ କରୁଛନ୍ତି। ଚାଷ କ୍ଷେତ୍ରରେ ମୋ ଶୀତଳ ଭଣ୍ଡାର, ମୋ ଚାଷୀର ଉତ୍ପାଦନ କରୁ ନାହାନ୍ତି କାହିଁକି ? ସରୁ ଚାଉଳର କେତୋଟି ପ୍ଲାଣ୍ଟ ଓଡ଼ିଶାରେ ଅଛି? ବରଗଡ଼ରେ ଯେଉଁ ୧୦୦ ଟଙ୍କା ବୋନସ୍ ଘୋଷଣା କରିଥିଲ ତାହା କୁଆଡ଼େ ଗଲା? ଆନ୍ଧ୍ରପ୍ରଦେଶରୁ ଫୁଲ, ଆଳୁ ଆସୁଛି । ଆନ୍ଧ୍ରରୁ ଫୁଲ ନ ଆସିଲେ ମନ୍ତ୍ରୀଙ୍କ ବେକରେ ମାଳ ପଡ଼ିବନି। ତାରକା ହୋଟେଲରେ ଯେଉଁ ମକା ଖାଉଛୁ ତାହା ନବରଙ୍ଗପୁରର, ମାତ୍ର ପଲାସାରେ ପ୍ରୋସେସିଂ ହୋଇକି ଆସୁଛି।

ମନ୍ତ୍ରୀ ପାଲଟା ସମାଲୋଚନା କରି କହିଲେ, ୨୦୧୪ରେ ଆପଣ ନିର୍ବାଚନ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କୁଆଡ଼େ ଗଲା? ନିଜ ବାକ୍ୟ ନିଜେ ରକ୍ଷା କର। ୨୦୧୭ ପର ଠୁ ରାଜ୍ୟ ସରକାର ଏମ୍‌ଏସ୍‌ପି ବୃଦ୍ଧି ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ମାତ୍ର ତାହା କାର୍ଯ୍ୟରେ ପରିଣତ ହୋଇ ନାହିଁ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ମନ୍ତ୍ରୀ ସଂକଳ୍ପ ଆଣନ୍ତୁ। ସମସ୍ତ ବିଧାୟକ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା। ଆଉ ଯଦି ନ ଶୁଣିବେ ତାଙ୍କ ଅଫିସ ଆଗରେ ଧାରଣା ଦେବା ।

ସମ୍ବନ୍ଧିତ ଖବର