ଭୁବନେଶ୍ୱର: ଧାନ ସମେତ ୨୩ଟି ଫସଲ କ୍ଷେତ୍ରରେ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଅକଳରେ ପଡିଛନ୍ତି। ଏମିତି ଯେ ଜୁଲାଇ ହେଲାଣି, ଏ ସଂକ୍ରାନ୍ତରେ ଠୋସ୍ ନିଷ୍ପତ୍ତି ନିଆଯାଇପାରୁନାହିଁ। ୨୦୧୪ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଯାଇ ଗତ ବଜେଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଘୋଷଣା କରିଥିଲେ, ଚାଷୀଙ୍କ ଫସଲ ଖର୍ଚ ଉପରେ ୫୦ ପ୍ରତିଶତ ଅଧିକ ଏମ୍ଏସ୍ପି ଧାର୍ଯ୍ୟ କରାଯିବ। ହେଲେ ଚାଷୀର ଉତ୍ପାଦନ ଖର୍ଚକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଥିବାରୁ କେନ୍ଦ୍ରର ଚିନ୍ତା ବଢିଯାଇଛି। କେବଳ ସେତିକି ନୁହେଁ, କୃଷି ମୂଲ୍ୟ ଧାର୍ଯ୍ୟ ସଂକ୍ରାନ୍ତ କମିସନର ସୁପାରିସ ଏ ବିବାଦକୁ ଆହୁରି ତେଜି ଦେଇଛି। ୨୦୧୮-୧୯ବର୍ଷରେ ସାଧାରଣ ଧାନର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୭୪୫ ଟଙ୍କା ଓ ଏ ଗ୍ରେଡ୍ ଧାନର ମୂଲ୍ୟ ୧୭୭୦ ଟଙ୍କା କରିବା ଲାଗି କମିସନ ସୁପାରିସ କରିଛନ୍ତି, ଯାହାକୁ ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନେ ମଧ୍ୟ ବିରୋଧ କରୁଛନ୍ତି। ଏପରିସ୍ଥଳେ କେନ୍ଦ୍ର ସରକାର ଯଦି ଅନୁରୂପ ନିଷ୍ପତ୍ତି ନିଅନ୍ତି, ତେବେ କେବଳ ଓଡ଼ିଶା ନୁହେଁ, ଅନ୍ୟ ରାଜ୍ୟ ମଧ୍ୟରେ କେନ୍ଦ୍ର ବିରୋଧୀ ହାଓ୍ଵା ତେଜିବ ଓ ନିର୍ବାଚନ ପୂର୍ବରୁ ଚାଷୀ ମାତିବା ସମ୍ଭାବନା ରହିଛି। ସମ୍ଭବତଃ ଏଭଳି ଏକ ଆଶଙ୍କାକୁ ନେଇ କେନ୍ଦ୍ର ସରକାର ଦିନ ଗ଼ଡ଼ାଇ ଚାଲିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଏପଟେ କିନ୍ତୁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ଅପେକ୍ଷାରେ ଚାଷୀ ଥିବାରୁ ବିଭିନ୍ନସ୍ତରରୁ କେନ୍ଦ୍ର ଉପରେ ଚାପ ବଢିବାରେ ଲାଗିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
କ୍ୱିଣ୍ଟାଲ ପିଛା ୧୭୪୫ ସୁପାରିସକୁ ଓଡ଼ିଶାର ବିରୋଧ
ରାଜ୍ୟର ୨୯୩୦ଟଙ୍କା ଉପରେ କେନ୍ଦ୍ର ଚୁପ୍
ରାଜ୍ୟ ସରକାର, କଂଗ୍ରେସ ଗର୍ଜିଲେଣି, କେନ୍ଦ୍ର ସପକ୍ଷରେ ବିଜେପି
‘ସମ୍ବାଦ’କୁ ମିଳିଥିବା ତଥ୍ୟ ଅନୁସାରେ,୨୦୧୪-୧୫ ମସିହାରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଜୁନ୍ ୨୫ ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସଂପର୍କରେ ଘୋଷଣା କରିଥିଲେ। ୨୦୧୫-୧୬ ଜୁନ୍ ୧୭ ତାରିଖରେ, ୨୦୧୬-୧୭ ମସିହାରେ ଜୁନ୍ ୧ ଓ ୨୦୧୭-୧୮ରେ ଜୁନ୍ ୭ ତାରିଖରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସୂଚନା ଦିଆଯାଇଥିଲା। ହେଲେ ଆଜି ଜୁଲାଇ ୩ ତାରିଖ ହେଲାଣି, ତଥାପି କେନ୍ଦ୍ର ସରକାରଙ୍କ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କ୍ଷେତ୍ରରେ ମତିଗତି କଣ ତାହା ବୁଝାପଡୁନାହିଁ। କାହିଁକି କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରୁନାହାନ୍ତି ବୋଲି ପ୍ରଶ୍ନ ଉଠାଇ ଓଡ଼ିଶାର କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କେନ୍ଦ୍ର ସରକାରଙ୍କୁ ଆଜି ଟାର୍ଗେଟ କରିଛନ୍ତି। ତାଙ୍କ ଚିଠି ଉପରେ ମଧ୍ୟରେ କେନ୍ଦ୍ର ସରକାର କୌଣସି ଜବାବ ଦେଉନଥିବା ସଂକ୍ରାନ୍ତରେ ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି ଶ୍ରୀ ମହାରଥୀ। କୃଷି ମନ୍ତ୍ରୀ ଆଜି ଗଣମାଧ୍ୟମକୁ କହିଛନ୍ତି, ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨୯୩୦ ଟଙ୍କା ଓ ଏ ଗ୍ରେଡ୍ ଧାନର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨୯୭୦ ଟଙ୍କା କରିବା ଲାଗି କେନ୍ଦ୍ର ସରକାରଙ୍କୁ କୃଷି ସଚିବ ଚିଠି ଲେଖିଛନ୍ତି। ଧାନର ଏମ୍ଏସ୍ପି ବୃଦ୍ଧି ପ୍ରସଙ୍ଗରେ ମଧ୍ୟ ଗତ ମାର୍ଚ୍ଚ ୩୧ ତାରିଖରେ ସେ ନିଜେ ମଧ୍ୟ କେନ୍ଦ୍ରକୃଷି ମନ୍ତ୍ରୀ ରାଧା ମୋହନଙ୍କୁ ଚିଠି ଲେଖିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଚିଠିର ଉତ୍ତର ବି ଦେଉନାହାନ୍ତି। ଫି ବର୍ଷ ଜୁନ୍ ମାସ ମଧ୍ୟଭାଗରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ। ଏଥର ସେକଥା ମଧ୍ୟ ହେଉନାହିଁ। ଅନ୍ୟପକ୍ଷରେ କେନ୍ଦ୍ର କୃଷି ମୂଲ୍ୟ ନିର୍ଧାରଣ କମିସନ ସାଧାରଣ ଧାନର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୭୪୫ ଟଙ୍କା ଓ ଏ ଗ୍ରେଡ୍ ଧାନର ମୂଲ୍ୟ ୧୭୭୦ ଟଙ୍କା କରିବା ଲାଗି ସୁପାରିସ କରିଛନ୍ତି, ଯାହାକୁ ଓଡ଼ିଶା ଗ୍ରହଣ କରିନାହିଁ। ବାସ୍ତବ ସତ୍ୟ ଯଦି ଏୟା, ତେବେ ଖୋଦ୍ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କେଉଁ ତଥ୍ୟ ଓ ସତ୍ୟ ବଦଳରେ ଚାଷୀଙ୍କ ବିକାଶ କଥା କହୁଛନ୍ତି ବୋଲି ଶ୍ରୀ ମହାରଥୀ ପ୍ରଶ୍ନ କରିଛନ୍ତି।
ଏହା ପୂର୍ବରୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ଗତ ବଜେଟ୍ରେ ମୋଦୀ ସରକାର ଘୋଷଣା କରିଥିଲେ, ଚାଷୀଙ୍କ ଫସଲ ଖର୍ଚ ଉପରେ ୫୦ ପ୍ରତିଶତ ଅଧିକ ଏମ୍ଏସ୍ପି ଧାର୍ଯ୍ୟ କରାଯିବ। ଏମ୍ଏସ୍ପି ଜୁନ୍ ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା ଘୋଷଣା କରାଯିବା କଥା। ଜୁନ୍ ମାସ ସରିଲାଣି। ଖରିଫ ଋତୁ ଚାଷ ଆରମ୍ଭ ହେଲାଣି। କିନ୍ତୁ ବର୍ଧିତ ଏମ୍ଏସ୍ପି ଘୋଷଣା କରାଯାଇନଥିବାରୁ ଚାଷୀମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଜୁନ୍ ୩୦ ତାରିଖ ସୁଦ୍ଧା ଯେତିକି ଜମିରେ ଚାଷ ହେବା କଥା ସେତିକି ଜମିରେ ଚାଷକାମ ଆଗେଇ ପାରିନାହିଁ। ଅଧିକାଂଶ ଚାଷୀ ସହାୟକ ମୂଲ୍ୟ ଘୋଷଣାକୁ ଅପେକ୍ଷା କରୁଛନ୍ତି। ସେପଟେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି, ସଚିବାଳୟରେ ବସି ରହି ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ କେବଳ ଭାଷଣବାଜି ଜରିଆରେ ରାଜ୍ୟର ଚାଷୀକୂଳଙ୍କୁ ବିଭ୍ରାନ୍ତ କରୁଛନ୍ତି। ନିଜ ଦୋଷ ଲୁଚାଇବାକୁ ଚିରାଚରିତ ଭାବେ କେନ୍ଦ୍ର ସରକାରଙ୍କୁ ଦୋଷ ଠେଲୁଛନ୍ତି। ୨୦୧୪ ମସିହାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୩୧୦ ଟଙ୍କା ଥିଲା ବେଳେ ବର୍ତ୍ତମାନ ୧୫୫୦ ଟଙ୍କା ହୋଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପରି ଅନେକ ଯୋଜନା ଚାଷୀଙ୍କ ପାଇଁ ଆରମ୍ଭ କରିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଓଡ଼ିଶାର ଚାଷୀସମୂହ ଏ ସମସ୍ତ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି କୃଷି ଦ୍ରବ୍ୟର ଉତ୍ପାଦନ ମୂଲ୍ୟ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନେଇ ନାହାନ୍ତି।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ନେଇ ବିଧାନସଭାରେ ଗତ ଦୁଇ ବର୍ଷ ଧରି ତମ୍ବିତୋଫାନ ଚାଲିଛି। ୨୦୧୬-୧୭ ବର୍ଷରେ ଧାନର ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପ୍ରତି ୨୩୪୪ ଟଙ୍କା ରହିଛି। ଏହାକୁ ଗ୍ରହଣ କରାଗଲେ ବର୍ତମାନ ଧାନର ମୂଲ୍ୟ ଯେତିକି ରହିଛି, ସେଥିରେ ଚାଷୀ କ୍ୱିଣ୍ଟାଲ ପିଛା ପାଖାପାଖି ୭୯୪ ଟଙ୍କା କ୍ଷତି ସହୁଛି। ଇତିମଧ୍ୟରେ ଧାନର ଉତ୍ପାଦନ ଖର୍ଚ୍ଚ ବଢିଛି। ଏପରିସ୍ଥଳେ କେନ୍ଦ୍ର ସରକାର କମିସନଙ୍କ ସୁପାରିସକୁ ଗ୍ରହଣ କରି ଯଦି କ୍ୱିଣ୍ଟାଲ ପିଛା ୧୭୪୫ ଟଙ୍କା ଦର ଧାର୍ଯ୍ୟ କରନ୍ତି, ତେବେ ଚାଷୀଙ୍କ ଦୁର୍ଦଶା କମିବନି ବରଂ ବଢିଯିବ ବୋଲି ଚାଷୀ ନେତାମାନେ କହିଲେଣି। ଉଲ୍ଲେଖଯୋଗ୍ୟ, ଏମ୍ଏସ୍ପି ବୃଦ୍ଧି ପ୍ରସଙ୍ଗରେ ବିଧାନସଭା କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ଚାହିଁଥିଲେ ହେଁ, ସମୟ ମିଳିନଥିଲା।