ଏମ୍ ଟେକ୍‌ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର

ବାମରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର ଗାୟତ୍ରୀ କଲୋନିରେ ରହୁଥିବା ବଳଭଦ୍ର ମଙ୍ଗରଙ୍କ ସାନ ପୁଅ ସୁଶାନ୍ତ (୨୮)ଙ୍କ ଶବ ଝୁଲନ୍ତା ଅବସ୍ଥାରେ ତାଙ୍କ ଶୋଇବାଘରୁ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ପାରିନି।

ପରିବାର ଲୋକଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ଖିଆପିଆ ସାରିବା ପରେ ସମସ୍ତେ ଅଲଗା ଅଲଗା କୋଠରିକୁ ଶୋଇବାକୁ ଯାଇଥିଲେ। ସକାଳେ ସମସ୍ତେ ଉଠି ନିଜ ନିଜ କାମରେ ଲାଗି ପଡ଼ିଥିବା ବେଳେ ସୁଶାନ୍ତଙ୍କୁ କେହି ଦେଖିବାକୁ ପାଇ ନଥିଲେ। ବାପା ବଳଭଦ୍ର ତାଙ୍କ କୋଠରି ଖୋଲିବାରୁ ସେ ଏକ ଲୁହା ହୁକ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଗୋବିନ୍ଦପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଏଏସ୍ଆଇ ଯୋଗେଶ୍ୱର କିସାନ ସୂଚନା ଦେଇଛନ୍ତି।

ସୁଶାନ୍ତ ଏମ୍‌ ଟେକ୍‌ ଛାତ୍ର ଥିବା ବେଳେ, ଗତ କିଛି ଦିନ ହେବ ମାନସିକ ଚାପରେ ଥିବା କୁହାଯାଉଛି। ଶନିବାର ବାମରା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇ ପାରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଉଲ୍ଲେଖ ଯୋଗ୍ୟ, ରବିବାର  ବଳଭଦ୍ରଙ୍କ ପତ୍ନୀଙ୍କ ଶ୍ରାଦ୍ଧ ବାର୍ଷିକୀ ଥିଲା। ଏହାକୁ ନେଇ ପ୍ରସ୍ତୁତି ଚାଲିଥିଲା। ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ମୃତ୍ୟୁ ପରେ ପରିବାରବର୍ଗ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର