ମ୍ୟୁକରମାଇକୋସିସ୍‌ ରୋଗୀଙ୍କ ଚିକିତ୍ସା ପ୍ରସଙ୍ଗ: ଆମ୍ଫୋଟେରିସିନ୍‌-ବି ଇଞ୍ଜେକ୍‌ସନ୍‌ ୫ ହଜାର ଭାଏଲ୍‌ ମାଗିଲା ଓଡ଼ିଶା

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ବିଭାଗ ଏସିଏସ୍‌

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ମ୍ୟୁକରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୫୦ ମିଲିଗ୍ରାମ ବିଶିଷ୍ଟ ଆମ୍ଫୋଟେରିସିନ୍‌-ବି ଇଞ୍ଜେକ୍‌ସନ୍‌ର ୫ ହଜାର ଭାଏଲ କେନ୍ଦ୍ରକୁ ମାଗିଛନ୍ତି। ଏ ନେଇ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କେନ୍ଦ୍ର ସାର ଓ ରସାୟନ ମନ୍ତ୍ରଣାଳୟ ଅଧୀନରେ ଥିବା ଫାର୍ମାସ୍ୟୁଟିକାଲ୍‌ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି। ଏବେସୁଦ୍ଧା ଓଡ଼ିଶା କେନ୍ଦ୍ର ପକ୍ଷରୁ ମାତ୍ର ୧୦୦ଟି ଇଞ୍ଜେକ୍‌ସନ୍‌ ଭାଏଲ୍‌ ପାଇଛି। ଆବଶ୍ୟକ ହେଉଥିବା ଇଞ୍ଜେକ୍‌ସନ୍‌ ଉପଲବ୍ଧ ହେଲେ, ଏଭଳି ଧରଣର ରୋଗୀଙ୍କର ଚିକିତ୍ସା ସହଜ ହୋଇପାରିବ ବୋଲି ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି।

ଅନ୍ୟପଟେ ବ୍ଲାକ୍‌ ଫଙ୍ଗସ୍‌କ ସଂଖ୍ୟା ଦେଶରେ ବଢ଼ୁଥିବା ଦୃଷ୍ଟିରୁ ଆଜି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡ଼ା ରାଜ୍ୟମାନଙ୍କୁ ଆମ୍ଫୋଟେରିସିନ୍‌-ବି ଇଞ୍ଜେକ୍‌ସନ୍‌ ଯୋଗାଣ ନେଇ ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ଏବେସୁଦ୍ଧା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କୁ ୨୩ ହଜାର ୬୮୦ ଭାଏଲ୍‌ ଇଞ୍ଜେକ୍‌ସନ୍‌ ପଠାଇ ଦିଆଯାଇଛି। ରୋଗୀଙ୍କ ସଂଖ୍ୟାକୁ ଦେଖି ଅତିରିକ୍ତ ଔଷଧ ପ୍ରଦାନ କରାଯାଇଛି। ଦେଶରେ ବିଭିନ୍ନ ରାଜ୍ୟର ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରାୟ ୮ ହଜାର ୮୪୮ ଜଣ ମ୍ୟୁକରମାଇକୋସିସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଶନିବାର ସୁଦ୍ଧା ୧୫ ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାକୁ ଅତିରିକ୍ତ ୫୦ ଭାଏଲ ଆମ୍ଫୋଟେରିସିନ୍‌ ଇଞ୍ଜେକ୍‌ସନ୍‌ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର