ଠାକୁରତୋଟା-ରୂପ୍ସା ସଂଯୋଗୀକରଣ(୧୪କିମି)କୁ ମଧ୍ୟ ଗୁରୁତ୍ୱାରୋପ
ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍ କରିଥିଲେ ସଂସଦରେ ଦାବି
ବାରିପଦା : ବହୁପ୍ରତୀକ୍ଷିତ ବୁଢ଼ାମରା-ଚାକୁଳିଆ (୫୦କିମି) ରେଳପଥ ସମ୍ପ୍ରସାରଣକୁ ନେଇ ହେଉଥିବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଏହି ଦୁଇ ଷ୍ଟେସନ ମଧ୍ୟରେ ରହିଥିବା ୭ଟି ଷ୍ଟେସନରେ ଷ୍ଟାଫ୍ କ୍ବାର୍ଟର ନିମନ୍ତେ ସର୍ବନିମ୍ନ ସହାୟତା ଯୋଗାଇଦେବା ନିମନ୍ତେ ଦକ୍ଷିଣପୂର୍ବ ରେଳର ଉପମୁଖ୍ୟ ଯନ୍ତ୍ରୀ ଦକ୍ଷିଣପୂର୍ବ ରେଳ ଖଡ଼ଗପୁର ଡିଭିଜନର ଏଡିଆର୍ଏମଙ୍କୁ ପତ୍ର ଲେଖିଛନ୍ତି। ଏହି ଚିଠି ପରେ ଏହି ଦୁଇ ଷ୍ଟେସନ ମଧ୍ୟରେ ସଂଯୋଗୀକରଣକୁ ନେଇ କାର୍ଯ୍ୟ ଆଗେଇବାର ବାଟ ଫିଟିଛି।
/sambad/media/post_attachments/wp-content/uploads/2020/10/201906085403706-300x225.jpg)
ବାଙ୍ଗିରିପୋଷି-ରୁପ୍ସା ରେଳପଥ ବୁଢ଼ାମରା ଷ୍ଟେସନରୁ ଖଡ଼ଗପୁର-ଦିଲ୍ଲୀ ଓ ଖଡ଼ଗପୁର-ମୁମ୍ବାଇ ରେଳପଥ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଚାକୁଳିଆ ଷ୍ଟେସନ ପର୍ଯ୍ୟନ୍ତ ନୂତନ ରେଳପଥକୁ ସମ୍ପ୍ରସାରିତ କରାଯିବା ନେଇ ଜଣାପଡ଼ିଛି। ଏହି ରେଳପଥ ବୁଢ଼ାମରା, ଝାରପୋଖରିଆ, ଜାମଶୋଳା, ବହଡ଼ାଗୁଡ଼ା, ବୋରୋଲ, ପୁରୁଣାପାଣି ହୋଇ ଚାକୁଳିଆ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ । ନୂତନ ରେଳପଥର ନିର୍ମାଣ କାର୍ଯ୍ୟ ଆରମ୍ଭ ନିମନ୍ତେ ପ୍ରସ୍ତୁତି ପ୍ରାୟତଃ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ଜଣାପଡ଼ିଛି । ସେହିପରି ଠାକୁରତୋଟା ରୂପ୍ସା ମଧ୍ୟରେ ୧୪କିମି ରେଳ ସଂଯୋଗୀକରଣ କାର୍ଯ୍ୟ ମଧ୍ୟ ଚୁଡ଼ାନ୍ତ ପର୍ଯ୍ୟାୟରେ ଥିବା ଏହି ଚିଠି ସ୍ପଷ୍ଟ କରିଛି। ଠାକୁରତୋଟା, ନୂଆଗାଁ ମୟୂରଭଞ୍ଜ ରୋଡ୍ ଏବଂ ରୂପ୍ସା ମଧ୍ୟରେ ସଂଯୋଗୀକରଣ କାର୍ଯ୍ୟ ନିମନ୍ତେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ସହାୟତା ଯୋଗାଇଦେବାକୁ କୁହାଯାଇଛି।
/sambad/media/post_attachments/wp-content/uploads/2020/10/Screenshot_20201003_201809_2-300x164.jpg)
ତେବେ ଏହାକୁ ନେଇ ଜିଲ୍ଲାରେ ଶ୍ରେୟ ରାଜନୀତି ଆରମ୍ଭ ହୋଇଛି। ରେଳବାଇ କ୍ଷେତ୍ରରେ କେନ୍ଦ୍ର ସରକାର ମୟୂରଭଞ୍ଜ ପ୍ରତି ବୈମାତୃକ ମନୋଭାବ ପୋଷଣ ନୀତିକୁ ଆପଣେଇଥିବା ଅଭିଯୋଗ ଆଣି ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ବାରମ୍ବାର ସଂସଦରେ ଦାବି ଉପସ୍ଥାପନ କରିଥିଲେ । ସେହିପରି ଗତ ଫେବ୍ରୁୟାରୀ ୧୪ରେ ରାଞ୍ଚିଠାରେ ରାଞ୍ଚି ଓ ଚକ୍ରଧରପୁର ଡିଭିଜନର ଡିଭିଜନାଲ କମିଟି ବୈଠକରେ ବାଙ୍ଗିରିପୋଷି-ଗୋରୁମହିଷାଣି ଓ ବୁଢ଼ାମରା-ଚାକୁଳିଆ ରେଳପଥ ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ସମୟରେ ଶ୍ରୀମତୀ ହେମ୍ବ୍ରମ୍ ଏନେଇ ବିଭିନ୍ନ ଫୋରମରେ ଦାବି ଉପସ୍ଥାପନ କରିଥିଲେ। ସେହିପରି ବିଜେପି ପକ୍ଷରୁ ମଧ୍ୟ ଏନେଇ ବିଭିନ୍ନ ସମୟରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ନିକଟରେ ଦାବି କରାଯାଇଛି। ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ଏବଂ ପୂର୍ବତନ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ରେଳମନ୍ତ୍ରୀ ପିୟୂଷ ଗୋୟେଲ୍ଙ୍କୁ ଭେଟିଥିଲେ। ଏହି ରେଳପଥ ନିର୍ମାଣକୁ ନେଇ ଭଞ୍ଜସେନା ପକ୍ଷରୁ ମଧ୍ୟ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇଛି। ଏହି କାର୍ଯ୍ୟକୁ ତୁରନ୍ତ ସମାପ୍ତ କରିବାକୁ ଭଞ୍ଜସେନାର କଳିଙ୍ଗକେଶରୀ ଜେନା ଦାବି କରିଛନ୍ତି।
?ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରରେ ଅଟଳବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ରହିଥିବା ସମୟରେ ପଶ୍ଚିମବଙ୍ଗରେ ପ୍ରାକୃତିକ ବିପର୍ଯ୍ୟୟ ହୋଇ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି କରାଇଥିଲା। ଫଳରେ ଦକ୍ଷିଣ ପୂର୍ବ ରେଳପଥରେ ରେଳ ଚଳାଚଳ କିଛି ଦିନ ନିମନ୍ତେ ବେଶ ପ୍ରଭାବିତ ହୋଇଥିଲା । ଫଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ବାଜପେୟୀ ଦ୍ୱିତୀୟ ବିକଳ୍ପ ଭାବେ ବୁଢ଼ାମରା-ଚାକୁଳିଆ ରେଳପଥ ସମ୍ପ୍ରସାରଣ ନିମନ୍ତେ ସର୍ଭେ ଆରମ୍ଭ କରାଇଥିଲେ । ପରବର୍ତ୍ତି ସମୟରେ କିନ୍ତୁ ଏହା ଶୀତଳ ଭଣ୍ଡାରକୁ ଚାଲିଯାଇଥିଲା। ତେବେ ବୁଢ଼ାମରା-ଚାକୁଳିଆ ନୂତନ ରେଳପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଦିଲ୍ଲୀ ଓ ମୁମ୍ବାଇ ଆଦିର ଦୂରତ୍ୱ ପ୍ରାୟ ୫୦ କି.ମି ହ୍ରାସ ପାଇଯିବ । କିନ୍ତୁ ବୁଢ଼ାମରା- ଚାକୁଳିଆ ନୂତନ ରେଳପଥ ଅପେକ୍ଷା ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ବାଙ୍ଗିରିପୋଷି-ଗୋରୁମହିଷାଣି ନୂତନ ରେଳପଥ ମଧ୍ୟ ଗୁରୁତ୍ୱ ବହନ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/chakulia.jpg)