ବହୁ ପ୍ରତୀକ୍ଷିତ କୋଏଲ ବ୍ୟାରେଜ୍‌: ଦୁଇ ବର୍ଷରେ ସରିଛି ୩୫% କାମ,ବ୍ୟୟ ଅଟକଳ ୧୧୩.୧୧ କୋଟି

ରାଉରକେଲା: ବହୁ ପ୍ରତୀକ୍ଷିତ କୋଏଲ ବ୍ୟାରେଜ କାମ୍‌ କଚ୍ଛପ ଗତିରେ ଚାଲିଛି। ଆସନ୍ତା ୨୦୨୫ ମାର୍ଚ୍ଚ ସୁଦ୍ଧା ସରିବାକୁ ଥିଲେ ହେଁ ଅଦ୍ୟାବଧି ମାତ୍ର ୩୫% କାମ ସରିଛି। ତା’ ପୁଣି ୨ ବର୍ଷ ମଧ୍ୟରେ। ଯଦି ୩୫ ପ୍ରତିଶତ କାମ ସରିବାକୁ ଦୁଇ ବର୍ଷ ଲାଗୁଛି, ତେବେ ସମ୍ପୂର୍ଣ୍ଣ ବ୍ୟାରେଜ୍‌ ସରିବାକୁ କେତେ ସମୟ ଲାଗିବ ଏଥିରୁ ସ୍ପଷ୍ଟ ଜଣାପଡୁଛି। ଗତ ୨୦୧୩ରେ ରାଉରକେଲା ଓ ଏହାର ନିକଟସ୍ଥ ଅଞ୍ଚଳର ପାନୀୟଜଳ ସମସ୍ୟା ସହ କୋଏଲନଦୀ ପାର୍ଶ୍ବରେ ଚାଷ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସର ୧୧ ବର୍ଷ ପରେ କାମ ଆରମ୍ଭ ‌ଚାଲୁଛି।

ନୂଆ ସରକାର ଆସିବା ପରେ ଏଥର ଧାର୍ଯ୍ୟ ସମୟରେ ପୁରା ହେବ ତ ବହୁ ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି। ବହୁ ଜନ ଆନ୍ଦୋଳନ, ସମାଲୋଚନା ଓ ଜନତାଙ୍କ ଦାବୀ ଯୋଗୁ ପୁନର୍ବାର ୨୦୧୯ ନିର୍ବାଚନ ଆଗରୁ ନିର୍ମାଣ କରିବାକୁ ଘୋଷଣା କଲେ ଓ ଫଳକ ଲଗାଯାଇଥିଲା। ପରିଷେଶରେ ୨୦୨୩ରେ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ନଦୀ ଅପରପଟେ ରହୁଥିବା ଗ୍ରାମବାସୀମାନେ ବର୍ଷା ଦିନେ ଡଙ୍ଗାରେ, ଖରାଦିନେ ବାଉଁଶରେ ନିର୍ମିତ ପୋଲ ଉପରେ ସାଇକଲ, ମୋଟରବାଇକ୍ ଓ ମୁଣ୍ଡରେ ବୋହି ପରିବା ବିକିକାକୁ ଆସୁଛନ୍ତି। ସ୍କୁଲ କଲେଜରେ ପଢ଼ୁ ଥିବା ବିଦ୍ୟାର୍ଥୀ, ହସ୍ପିଟାଲକୁ ଆସୁଥିବା ଅସୁସ୍ଥ ବ୍ୟକ୍ତି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ରଘୁନାଥପାଲୀ ବିଧାୟକ ଦୁର୍ଗା ତନ୍ତୀ କାର୍ଯ୍ୟସ୍ଥଳ ପରିଦର୍ଶନ କରିବା ସହ ନିର୍ମାଣକାମ ତଦାରଖ କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ ଠିକାସଂସ୍ଥାକୁ ଦାଗିଦ୍‌ କରିଥିଲେ। ସେମିତି କାର୍ଯ୍ୟସ୍ଥଳରେ ସର୍ବନିମ୍ନ ମଜୁରି, କାର୍ଯ୍ୟ ସମୟ, ଠିକାଦାର ନାମର ବୋର୍ଡ ନଥିବାରୁ ଠିକାସଂସ୍ଥା ଓ କନିଷ୍ଠ ଯନ୍ତ୍ରୀଙ୍କୁ ମଧ୍ୟ ଦାଗିଦ୍‌ କରିଥିଲେ। ଜଳସୋଚନ ବିଭାଗ ଅଧୀକ୍ଷକ ଧନଜୟ କଲା ଓ ଠିକାସଂସ୍ଥା ବାଲାଜୀ ଇଞ୍ଜିକନ୍ ଲିମିଟେଡର ପ୍ରୋଜେକ୍ଟ ମ୍ୟାନେଜର ରମେଶ ଚଖାଙ୍କୁ ଉପୋରକ୍ତ ସମସ୍ୟାକୁ ସୁଧାରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ପ୍ରକଳ୍ପର ଅଗ୍ରଗତି ଓ ନିର୍ମାଣର ସମୟ ଉପରେ ଆଲୋଚନା କରିଥିଲେ। ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସଂପାଦକ ଅଜୟ କାଂସାରୀ, ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମିଶ୍ର, ସରୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର