ବଲାଙ୍ଗୀର/ଟିଟିଲାଗଡ଼ : ଟିଟିଲାଗଡ଼ ସାରା ଓଡ଼ିଶାରେ ତତଲାଗଡ଼ ଭାବେ ବେଶ୍‌ ଜଣାଶୁଣା। ଏହି ସହରକୁ ଦୁଇଭାଗ କରି ରଖିଥିଲା ରେଳଲାଇନ। ଟ୍ରେନ୍‌ ଆସିଲେ ଘଣ୍ଟାଘଣ୍ଟା ଧରି ସହରର ଉଭୟ ପଟରେ ଲୋକେ ବନ୍ଦୀ ହୋଇଯାଉଥିଲେ। ପଚାଶ ବର୍ଷ ଧରି ସହରରେ ଏକ ଓଭରବ୍ରିଜ ଦାବି ହୋଇ ଆସୁଥିଲା। ସମୟ ସମୟରେ ଅନେକ ନେତା ମନ୍ତ୍ରୀ ଶୁଭ ବି ଦେଇଥିଲେ। କିନ୍ତୁ ସାକାର ହେଉନଥିଲା ସ୍ୱପ୍ନ। ହେଲେ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବା କାମ ଏବେ ସଂପୂର୍ଣ୍ଣ। ଆସନ୍ତାକାଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏହି ଓଭରବ୍ରିଜର ଉଦ୍‌ଘାଟନ କରିବେ।

Advertisment

publive-image

ଟିଟିଲାଗଡ଼ର ବହୁଚର୍ଚ୍ଚିତ ଓଭରବ୍ରିଜ କାମ ସଂପୂର୍ଣ୍ଣ ହୋଇଛି। ଉକ୍ତ ପୋଲ ସାଧାରଣ ପୋଲ ନୁହେଁ। ଦୁଇଭାଗ ହୋଇଥିବା ଟିଟିଲାଗଡ଼କୁ ଯୋଡ଼ିବାର ଏକ ସେତୁ। ଓଭରବ୍ରିଜ ପାଇଁ କେତେ କଣ ଆନ୍ଦୋଳନ ହୋଇଛି। ବିଭିନ୍ନ ସମୟରେ ବିଭିନ୍ନ ସଂଗଠନ ଓଭରବ୍ରିଜ ଦାବି କରି ଆନ୍ଦୋଳନ କରିଛନ୍ତି। ୨୦୧୪ ମସିହାରେ ଆରମ୍ଭ ହୋଇଥିଲା କାମ। କିଛି ସମସ୍ୟା ପାଇଁ ମଝିରେ ବନ୍ଦ ହୋଇଯାଇଥିଲା। କିନ୍ତୁ ସ୍ଥାନୀୟ ନେତା, ମନ୍ତ୍ରୀ ଓ ନାଗରିକଙ୍କ ସହଯୋଗରେ ଏବେ ସଂପୂର୍ଣ୍ଣ ହୋଇଛି ୨୨କୋଟିର ଓଭରବ୍ରିଜ। ଟିଟିଲାଗଡ଼ ରେଲ୍‌ୱ ଷ୍ଟେସନ ପଶ୍ଚିମ ଓଡ଼ିଶାର ଏକ ଜଙ୍କସନ। ତେଣୁ ସବୁବେଳେ ଟ୍ରେନ୍‌ ଯିବାଆସିବା କରେ। ଦେଖୁ ଦେଖୁ ସାଇରନ ବାଜିଯାଏ। ବନ୍ଦ ହୋଇଯାଏ ଫାଟକ। ଉଭୟ ପଟରେ ରହିଯାଆନ୍ତି ହଜାର ହଜାର ଲୋକ। କାରଣ ଟିଟିଲାଗଡ଼ ସହରକୁ ଦୁଇଭାଗ କରିଛି ରେଳଲାଇନ। ତେଣୁ ଅନେକ ସମୟରେ ଗର୍ଭବତୀ ମହିଳା ରେଳଲାଇନ କଡ଼ରେ ପ୍ରସବ କରିବା ଏକ ସାଧାରଣ ଘଟଣା। ଏପରିକି ରୋଗୀ ବି ଛଟପଟ ହେଉଥିଲେ। ଜରୁରୀ କାମରେ ଯାଉଥିଲେ ଲୋକେ ହାଉଯାଉ ହେଉଥିଲେ। ହେଲେ ଐତିହାସିକ ସହର ଟିଟିଲାଗଡ଼ର ସବୁଦନିଆ ଦୁଃଖ ଦୂରହେବାର ସମୟ ଆସିଛି। ଏବେ ସହର ମଝିରେ ତିଆରି ହୋଇଥିବା ଓଭରବ୍ରିଜକୁ ଶୁକ୍ରବାର ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଟିଟିଲାଗଡ଼ବାସୀ ଏହାକୁ ବେଶ୍‌ ସ୍ୱାଗତ କରିଛନ୍ତି।

ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ: ମନ୍ତ୍ରୀ ଟୁକୁନୀ ସାହୁ
ଐତିହାସିକ ଆମ ଟିଟିଲାଗଡ଼ ସହର। କିନ୍ତୁ ରେଳ ଫାଟକ ଯୋଗୁଁ ସହର ଦୁଇଭାଗ ହୋଇଯାଇଥିଲା। ରେଲୱେ ଜଙ୍କସନ ହୋଇଥିବାରୁ ଅଧିକାଂଶ ସମୟରେ ଟ୍ରେନ୍‌ ଯାତାୟାତ କରିଥାଏ। ଉଭୟ ପଟରେ ଫାଟକ ପଡ଼ିଯାଉଥିଲା। ଲୋକେ ଯିବାଆସିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏପରିକି ଗୁରୁତର ରୋଗୀ ହସ୍‌ପିଟାଲ ପହଞ୍ଚିବାରେ ବିଳମ୍ବ ହେଉଥିଲା। ତେଣୁ ଟିଟିଲାଗଡ଼ର ଗତ ପାଞ୍ଚ ଦଶନ୍ଧିର ଦାବି ସାଧାରଣ ଜନତାଙ୍କ ସହ ମିଶି ଆମେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଉପସ୍ଥାପନ କରିଥିଲୁ। ସଦାବେଳେ ଟିଟିଲାଗଡ଼ର ବିକାଶ ପାଇଁ ଆଶୀର୍ବାଦ ରଖିଥିବା ମୁଖ୍ୟମନ୍ତ୍ରୀ ଏଥର ବି ଆମ କଥା ଶୁଣିଥିଲେ। ୨୦୧୪ରେ ଆରମ୍ଭ ହୋଇଥିଲା କାମ। ଆଜି ପୂର୍ଣ୍ଣାଙ୍ଗ ରୂପ ନେଇଛି। ତେଣୁ ଟିଟିଲାଗଡବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ବୋଲି ମନ୍ତ୍ରୀ ଟୁକୁନୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି।

publive-imageବିଜେପିର ସାମ୍ବାଦିକ ସମ୍ମିଳନୀ
ଟିଟିଲାଗଡ଼ ବିଜେପି ଓଭରବ୍ରିଜ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରିଛି। ବିଜେପିର ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ ସୂଚନା ଦେଇଥିଲେ ଯେ ଅନେକ ବର୍ଷର ଦାବି ହୋଇଆସୁଥିବା ରେଳ ଓଭରବ୍ରିଜର ନିର୍ମାଣ ସଂପୂର୍ଣ୍ଣ ହୋଇଥିଲେ ହେଁ ଉଦ୍‌ଘାଟନୀରେ ଆହୁରି ଦୁଇମାସ ଆଗକୁ ଗଡ଼ାଉଥିବା ସୂଚନା ମିଳିବା ପରେ ଟିଟିଲାଗଡ଼ ବିଜେପି କର୍ମୀମାନେ ଶୀଘ୍ର ବ୍ରିଜ୍‌ର ଉଦ୍‌ଘାଟନ କରିବାକୁ ସାଂସଦ ସଂଗୀତା ସିଂହଦେଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାଂସଦ ଶ୍ରୀମତୀ ସିଂହଦେଓ ସଂସଦରେ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ଶୁକ୍ରବାର ରେଳ ଓଭରବ୍ରିଜ ଉଦ୍‌ଘାଟନ ହେଉଛି। ଏହାକୁ ନେଇ ଟିଟିଲାଗଡ଼ ବିଜେପି ସାଂସଦ ଶ୍ରୀମତୀ ସିଂହଦେଓ କୃତଜ୍ଞତା ଜ୍ଞାପନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଉନ୍ନୟନ କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଛନ୍ତି। ଏହାସହ ଟିଟିଲାଗଡ଼ରେ ଦେଖାଦେଇଥିବା ପାନୀୟ ଜଳ ସମସ୍ୟା ଏବଂ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ମିଡିଆ ସେଲ୍‌ ପ୍ରଭାରୀ ଆଲୋକ ନାୟକ, ସାଂସଦଙ୍କ ପ୍ରତିନିଧି ଗୁଲାବ ସୋନୀ, ନଗର ସମ୍ପାଦକ ପ୍ରଶାନ୍ତ ମହାନ୍ତି ଓ କୁନା ଭାଟି, ସୁନୀଲ ଆଚାର୍ଯ୍ୟ, ସୁଧୀର ଘଡ଼େଇ, ସଂଯୋଜକ ସଞ୍ଜୟ ତ୍ରିପାଠୀ, ରାଜେଶ ଅଗ୍ରୱାଲ, ଲିଙ୍ଗରାଜ ନାୟକ, ଋତୁରାଜ ତାଣ୍ଡି, ସମୀର ମାନହୀରା, ମଞ୍ଜିତ ବରିହା, ଅଜୟ ବେହେରା, ସୋନୁ ଶ୍ରେଷ୍ଠା  ପ୍ରମୁଖ ଉପସ୍ଥିତଥିଲେ।

ଓଭରବ୍ରିଜକୁ ସ୍ୱାଗତ, ଅନ୍ୟ ସମସ୍ୟା ବି ସମାଧାନ ହେଉ: ଯୁବ କଂଗ୍ରେସ
ଟିଟିଲାଗଡ଼ବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଛି। ଟିଟିଲାଗଡ଼ ହାଟପଦା ରେଳବାଇ ଲେବଲ୍‌କ୍ରସିଂ ଉପରେ ଓଭରବ୍ରିଜ୍‌ ନିର୍ମାଣ କାମ ସରିଛି। ଯାହାକି ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ ହେବାକୁ ଯାଉଛି। ତେଣୁ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ସରକାରଙ୍କୁ ଟିଟିଲାଗଡ଼ ବିଧାନସଭା ଯୁବକଂଗ୍ରେସ ଧନ୍ୟବାଦ ତଥା କୃତଜ୍ଞତା ଜଣାଇଛି। ଗୁରୁବାର  ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଯୁବକଂଗ୍ରେସ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଟିଟିଲାଗଡ଼ବାସୀଙ୍କ ସମସ୍ୟାଗୁଡ଼ିକୁ ଅବଗତ କରାଇ, ପ୍ରତିଶ୍ରୁତି ତଥା ଦାବି ସମୂହ ପୂରଣ କରିବା ନିମନ୍ତେ ଅନୁରୋଧ କରିଛି। ମୁଖ୍ୟ ଦାବିଗୁଡ଼ିକ ଭିତରେ ତତଲାଗଡ଼ ରୂପେ ପରିଚିତ ଟିଟିଲାଗଡ଼ରେ ପାନୀୟ ଜଳ ଯୋଗାଣ ପାଇଁ ଶୀଘ୍ର ସ୍ବତନ୍ତ୍ର ଅନୁଦାନ ପ୍ରଦାନ, ବିଦ୍ୟୁତ ସମସ୍ୟାର ସମାଧାନ, ଲୋକାର୍ପିତ ମାତୃ ଏବଂ ଶିଶୁ ଚିକିତ୍ସାଳୟ କାର୍ଯ୍ୟକ୍ଷମ, ଟିଟିଲାଗଡ଼ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାନ୍ୟତା, ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ, ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ଆଦି ରହିଛି। ଏନେଇ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଉପସଭାପତି ବୀରେନ୍ଦ୍ର ବାଗ, ଟିଟିଲାଗଡ଼ ବିଧାନସଭା ଯୁବକଂଗ୍ରେସ କମିଟି ସଭାପତି ଅଭିଷେକ ପଟ୍ଟନାୟକ ଓ ଟିଟିଲାଗଡ଼ ନଗର ଯୁବକଂଗ୍ରେସ କମିଟି ସଭାପତି ଜ୍ଞାନରଞ୍ଜନ ସରାଫ ସୂଚନା ଦେଇଛନ୍ତି।