ରାଉରକେଲା: ଆର୍ଏସ୍ପି ବିମାନବନ୍ଦରରେ ଆଜି ବିମାନ ଅପହରଣ ଜନିତ ସ୍ଥିତିର ସଫଳ ମୁକାବିଲା ପ୍ରସ୍ତୁତିର ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ବିମାନ ବନ୍ଦରରେ ଯେକୌଣସି ବିମାନ ଅପହରଣ ମାମଲାର ଉଚିତ ମୁକାବିଲା ପାଇଁ ପ୍ରଭାବଶାଳୀ ଯୋଜନା ଓ ପ୍ରକ୍ରିୟାର କାର୍ଯ୍ୟ ନିପୁଣତା ଯାଞ୍ଚ କରିବା ପାଇଁ ଏହି ଅଭ୍ୟାସ ଅନୁଷ୍ଠିତ ହୋଇଥିଲା। ଏହି ସଂପୂର୍ଣ୍ଣ ଅଭ୍ୟାସ ଏଭିଏସନ ବିଭାଗ ଦ୍ବାରା ଜାରି ନିର୍ଦ୍ଦେଶାନୁଯାୟୀ ହୋଇଥିଲା।
ମକ୍ଡ୍ରିଲରେ ବୋମା ନିଷ୍କ୍ରିୟକାରୀ ଦଳ, କମାଣ୍ଡୋଙ୍କ ସମେତ ରାଜ୍ୟ ପୁଲିସ, ଆରଏସପି, ଓଡିଶା ସରକାରଙ୍କ ଅଗ୍ନିଶମ ସେବା ଦଳ, ଇସ୍ପାତ ଜେନେରାଲ ହସପିଟାଲ ଚିକିତ୍ସା ଦଳ ପ୍ରମୁଖ ସାମିଲ ଥିଲେ। ଏହି ମକ ଡ୍ରିଲରେ ସମସ୍ତ ଦଳ ପରସ୍ପର ମଧ୍ୟରେ ନିପୁଣ ସମନ୍ୱୟ ରକ୍ଷା କରି ଅପହରଣ ହୋଇଥିବା ବିମାନର ସଫଳ ଉଦ୍ଧାର ସମ୍ପନ୍ନ କରିଥିଲେ। ପରେ ଅନୁଷ୍ଠିତ ସୁରକ୍ଷା କମିଟି ବୈଠକରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିଥିଲେ। ସଂପୂର୍ଣ୍ଣ୍ ମକ୍ଡ୍ରିଲ୍ର ସମୀକ୍ଷା କରାଯାଇଥିଲା।
ଆରଏସପିର ପ୍ରୋଟୋକଲ, ହସ୍ପିଟାଲିଟି ଓ ସମାଜ ମଙ୍ଗଳ ବିଭାଗର ଜିଏମ ତଥା ଏୟାରପୋର୍ଟ ନିର୍ଦ୍ଦେଶକ ବି.କେ. ରାଉତ ସ୍ଵାଗତ ଭାଷଣ ଦେଇଥିଲେ। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ମ୍ୟାନେଜର ହେମନ୍ତ କୁମାର ଯେକୌଣସି ବେଆଇନ କାର୍ଯ୍ୟକଳାପ କିମ୍ବା ବିମାନ ଅପହରଣ ଜନିତ ବିମାନବନ୍ଦରରେ ଅନୁଭୂତ ପରିସ୍ଥିତିର ମୁକାବିଲା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ଅଭ୍ୟାସ ଉପରେ ଏକ ବିସ୍ତୃତ ଉପସ୍ଥାପନା ପ୍ରସ୍ତୁତ କରିଥିଲେ। ଇଣ୍ଟିଗ୍ରେଟେଡ୍ ରେସପନ୍ସ ସିଷ୍ଟମ ସହିତ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସେ ସ୍ଵତନ୍ତ୍ର ଯୋଜନା ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ। ସମୀକ୍ଷା ବୈଠକରେ ଆରଏସପି ସହର ସେବା ବିଭାଗର ଭାରପ୍ରାପ୍ତ ଜିଏମ୍ ପି.କେ. ଦାଶ, ରାଉରକେଲା ମହାନଗର ନିଗମର ଅତିରିକ୍ତ କମିଶନର ସୁଧାଂଶୁ ଶେଖର ଭୋଇ, ରାଉରକେଲା ଅତିରିକ୍ତ ଏସପି ବି.କେ. ଭୋଇ, ଜିଲ୍ଲା ପ୍ରଶାସନ, ଜିଲ୍ଲା ପୁଲିସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍), ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ), ଆଇଓସିଏଲ, ଇଣ୍ଟେଲିଜେନ୍ସ ବ୍ୟୁରୋ, ବିଏସଏନଏଲ, ଆରଏସପିର ବହୁ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ।