ମାଟି ଦୀପର କମୁଛି ଚାହିଦା : ସଙ୍କଟରେ କୌଳିକ ବୃତ୍ତି, କରୋନା ଛଡ଼ାଇ ନେଇଛି ବେପାର

ବ୍ରହ୍ମପୁର: ଅନ୍ଧାରରୁ ଆଲୋକ ଦେଇଥାଏ ‘ଦୀପ’। ପ୍ରାଚୀନ କାଳରୁ ହିନ୍ଦୁ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ରହିଛି ଦୀପର ସ୍ବତନ୍ତ୍ର ପରିଚୟ। ମନ୍ଦିର ଠାରୁ ଆରମ୍ଭ କରି ପୂଜାପର୍ବାଣୀରେ ମାଟି ଦୀପ ଖୋଜା ପଡ଼ିଥାଏ। ହେଲେ କରୋନା ପାଇଁ ଏହାର ଚାହିଦା କମିଛି। ଏବେ ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଦୀପ ବିକ୍ରି କରି କିଛି ଭଲ ରୋଜଗାର ପାଇଁ ଆଶା ବାନ୍ଧିଛନ୍ତି ଦୀପ ବ୍ୟବସାୟୀ। ହେଲେ ବ୍ରହ୍ମପୁର ବଜାରକୁ ରାଜ୍ୟ ବାହାରୁ ବିଭିନ୍ନ ରକମର ଦୀପ ଆସୁଥିବାରୁ ମାଟି ଦୀପ ବ୍ୟବସାୟ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଫଳରେ ନିଜର କୌଳିକ ବୃତ୍ତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମାଟି ଦୀପ ବ୍ୟବସାୟୀ।

ପାର୍ବଣ ଋତୁରେ ଦୀପର ଚାହିଦା ‌ବେଶ୍‌ ବଢ଼ିଯାଏ। ଧାର୍ମିକମାସ କାର୍ତ୍ତିକରେ ଲୋକେ ପ୍ରତିଦିନ ଘର ଅଗଣାରେ ମାଟି ଦୀପ ଜାଳିବା ସହ ମନ୍ଦିରକୁ ମଧ୍ୟ ନେଇଥାନ୍ତି। ଏଥିସହ ଏହି ମାସରେ ପଡ଼େ ଦୀପର ପର୍ବ ଦୀପାବଳି। କିନ୍ତୁ ପରିବର୍ତ୍ତିତ ଆଧୁନିକ ଚଳଣୀରେ ମାଟି ଦୀପ ପ୍ରତି ‌ଲୋକଙ୍କ ଆଗ୍ରହ କମିବାରେ ଲାଗିଛି। ଲୋକେ ଚାକଚକ୍ୟରେ ଦୀପାବଳି ପାଳନ ପାଇଁ ଧୀରେ ଧୀରେ ଦୀପ ଜାଳିବା ପରମ୍ପରାକୁ ଅଣଦେଖା କରୁଛନ୍ତି। ମାଟି ଦୀପର ସ୍ଥାନ ନେଲାଣି ରଙ୍ଗ ବେରଙ୍ଗ ଚାଇନା ଲାଇଟ୍‌ ମାଳ। ପୁଣି ରାଜ୍ୟ ବାହାରୁ ଆସୁଥିବା ଦୀପର ବିକ୍ରି ମଧ୍ୟ ବଢ଼ୁଛି। ମାଟି ଦୀପ ଜାଳିବା ପରମ୍ପରା ହଜିବାକୁ ବସିଲାଣି। ଫଳରେ ବହୁ କୁମ୍ଭକାର ପରିବାର ନିଜର କୌଳିକ ବୃତ୍ତି ଛାଡ଼ିବାକୁ ବସିଲେଣି।

Telangana Today

ସେମାନେ ଯାହା କହନ୍ତି…
ଆର୍ ମୁକୁନ୍ଦା, ଦୀପ ବ୍ୟବସାୟୀ
ଦୀପ ତିଆରି ଆମର ‌କୌଳିକ ବୃତ୍ତି। ଦିନକୁ ଦିନ ଖର୍ଚ୍ଚ ବଢ଼ୁଛି, ବିକ୍ରି କମୁଛି। ଏଣିକି ଦୀପ ଠାରୁ ଆରମ୍ଭ କରି ସମସ୍ତ ମାଟି ତିଅରି ସାମଗ୍ରୀ କିଣି ଆଣି ଏବେ ବିକ୍ରି କରିବାକୁ ପଡ଼ୁଛି। କରୋନା ସାରା ବର୍ଷର ବେପାର ଛଡ଼ାଇ ନେଇଛି। ବଜାରରେ ବାହାର ରାଜ୍ୟରୁ ଆସୁଥିବା ଦୀପକୁ ଲୋକ‌େ ଚଢ଼ା ଦରରେ କିଣୁଛନ୍ତି, କିନ୍ତୁ ମାଟି ଦୀପ ନେଉନାହାନ୍ତି। ଦୀପାବଳି ଆସିଲେ ଭଲ ବିକ୍ରି ହେବ ବୋଲି ଆଶା।

ଆର୍ ଲକ୍ଷ୍ମୀକାନ୍ତା, ମାଟି କାରିଗର
ବାତ୍ୟା ପରଠୁ ମୋର ଶାଳଘର ଭାଙ୍ଗି ପଡ଼ିଛି। ପାଖରେ ଟଙ୍କା ନଥିବାରୁ ମରାମତି କରିପାରୁନି। ସବୁ ଦରଦାମ୍ ବୃଦ୍ଧି ହୋଇଥିବା ବେଳେ ମାଟିର ଦାମ୍‌ ମଧ୍ୟ ଅମୂଲ ହେଲାଣି। ଏମିତିକି ମାଟି ପାଇଁ ଅନେକ ଅଞ୍ଚଳ ବୁଲିବାକୁ ପଡ଼ୁଛି। ଏଥିସହ ‌ତାହାକୁ‌ ପୋଡ଼ିବା ପାଇଁ କାଠ ଆବଶ୍ୟକ ପଡ଼ୁଥିବା ବ‌େଳେ ସେଥିପାଇଁ ମଧ୍ୟ ଟଙ୍କା ନାହିଁ। ତେବେ ମାଟିରେ ଦୀପ ତିଆରି କରି ବିକିଲେ ମଧ୍ୟ ପାରିଶ୍ରମିକ ମିଳିପାରୁ ନଥିବାରୁ ଏହି ବୃତ୍ତି ଛାଡ଼ିଦେଇଛୁ। କୁମ୍ଭାରପଲ୍ଲୀ ସାହିରେ ୧୧ ପରିବାର ଆଗରୁ ମାଟିରେ ବିଭିନ୍ନ ସାମଗ୍ରୀ କରୁଥିବା ବେଳେ ଏବେ କେହି ତିଆରି କରୁନାହାନ୍ତି।

ଡି. ଓରାଲୁ, ଦୀପ ବ୍ୟବସାୟୀ
ବର୍ଷ ସାରା ପେଟ ପାଟଣା ପାଇଁ ମାଟିର ସାମଗ୍ରୀ ବିକୁଛି। ଏଥିରୁ ପାଞ୍ଚ ଜଣିଆ ପରିବାର କଷ୍ଟେ ମଷ୍ଟେ ଚଳିଯାଉଛୁ। ୫୦ ପଇସାରୁ ଆରମ୍ଭ କରି ୩୦ ଟଙ୍କିଆ ଦୀପ ବିକ୍ରି କରୁଛି। ଦୀପ ୧୦୦ଟାକୁ ୪୦ରୁ ୫୦ ଟଙ୍କା ରଖିଥିବା ବେଳେ ଏଥିରେ ବି ଗ୍ରାହକଙ୍କ ମୂଲଚାଲ କଷ୍ଟ ଦେଇଥାଏ। ତଥାପି ଗ୍ରାହକଙ୍କ ଖୁସି ପାଇଁ ୩୦ ଟଙ୍କାରେ ବିକ୍ରି କରିବାକୁ ପଡ଼ୁଛି। ପୂର୍ବରୁ ହଜାର ହଜାର ଟଙ୍କାର ଦୀପ ବିକ୍ରି କରୁଥିବା ବେଳେ ଏବେ ତାହା କମିବାରେ ଲାଗିଛି, କୌଳିକ ବୃତ୍ତି ସଙ୍କଟରେ। ।

ସମ୍ବନ୍ଧିତ ଖବର