କାମରେ ଲାଗୁନି ‘ବସୁଧା’, ବାହାରୁଛି ଗୋଳିଆ ପାଣି: ନଦୀ ଡେଇଁ ନଦୀରୁ ଛାଣୁଛନ୍ତି ପାଣି

ଭୁବନ: ‘ବସୁଧା’ ଯୋଜନାରେ ଟାଙ୍କି ତିଆରି ହୋଇ ଲୋକଙ୍କ ପାଖରେ ପାଣି ପହଞ୍ଚୁଛି। କିନ୍ତୁ ଉକ୍ତ ପାଣି ପିଇବା ଉପଯୁକ୍ତ ନୁ‌ହେଁ ବୋଲି ଲୋକେ ନଦୀରୁ ପାଣି ସଂଗ୍ରହ କରୁଛନ୍ତି। ଗୋଟିଏ ନଦୀ ଡେଇଁ ଅନ୍ୟ ଗୋଟିଏ ନଦୀରୁ ପାଣି ଆଣି ଲୋକେ ବ୍ୟବହାର କରୁଛନ୍ତି। ଭୁବନ ବ୍ଲକ୍‌ ଭୂଷଳ ପଞ୍ଚାୟତ ଚଣ୍ଡୀପାଳ ଗାଁରେ ଏହି ସମସ୍ୟା ଗଲା ୩୦ବର୍ଷର। ଦୀର୍ଘଦିନ ତଳେ ଚଣ୍ଡୀପାଳ ଗାଁରେ ‘ବସୁଧା’ ଯୋଜନାରେ ପାଣି ଟାଙ୍କି ତିଆରି ହୋଇଥିଲା। ଡମଶାଳ ନଦୀ କୂଳରେ ଉକ୍ତ ଟାଙ୍କି ନିର୍ମାଣ ହୋଇ ପାଇପ୍‌ ଯୋଗେ ଲୋକଙ୍କୁ ପାଣି ଯୋଗାଇ ଦିଆଯାଇଥିଲା। କିନ୍ତୁ ଆରମ୍ଭରୁ ହିଁ ଏଠାରେ ଗୋଳିଆ ପାଣି ବାହାରିଥିଲା। ଏ ସମ୍ପର୍କରେ ଗ୍ରାମବାସୀଙ୍କ ଅଭିଯୋଗକୁ ପଞ୍ଚାୟତ ଓ ବ୍ଲକ୍‌ କର୍ତ୍ତୃପକ୍ଷ କର୍ଣ୍ଣପାତ କଲେନାହିଁ। ବହୁବାର ଦାବି ପରେ ଗାଁରେ ଆଉ ଏକ ବୋରିଂ ବସିଲା ହେଲେ ସେଥିରେ ବି ସମଦଶା। ନୂଆ ବୋରିଂରୁ ଗୋଳିଆ ପାଣି ବାହାରିବା ପରେ ଲୋକେ ଏହାର ପ୍ରତିବାଦ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକପ୍ରତିନିଧି କିନ୍ତୁ ସବୁ ଜାଣି ଚୁପଚାପ୍ ବସିଗଲେ।

ଚଣ୍ଡୀପାଳ ଗାଁରେ ଲୋକସଂଖ୍ୟ‌ା ୧୨୦୦ରୁ ଅଧିକ। ଗୋଳିଆ ପାଣିରେ ଚଳିବା କଷ୍ଟକର ହେବାରୁ ଲୋକେ ପୁଣି ପୁରୁଣାଦିନକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ଗାଁ ମୁଣ୍ଡରେ ବ୍ରାହ୍ମଣୀ, ରାମିଆଳ ଓ ଡମଶାଳ ନଦୀର ସଂଯୋଗସ୍ଥଳ ରହିଛି। ସେଠାରେ ସ୍ବଚ୍ଛ ପାଣି ମିଳୁଛି। ହେଲେ ସଫା ପାଣି ଆଣିବାକୁ ଲୋକଙ୍କୁ ଡମଶାଳ ନଦୀକୁ ଅତିକ୍ରମ କରି ଯିବାକୁ ପଡ଼ୁଥିବା କହିଛନ୍ତି। ପାଣି ମୁନ୍ଦାଏ ପାଇଁ ଗାଁର ଅଧିକାଂଶ ଲୋକେ ଜୀବନକୁ ବାଜି ଲଗାଇ ଗରା, ମାଠିଆ, ବୋତଲ ନେଇ ତିନି ନଦୀର ‘ତ୍ରିବେଣୀ ସଂଗମ’ରୁ ପାଣି ସଂଗ୍ରହ କରି ଆଣୁଛନ୍ତି। ନଳ ପାଣି ଯେବେ କାମରେ ନ ଲାଗେ ସେବେ ନାଳ ପାଣି ଶୋଷ ମେଣ୍ଟାଏ ବୋଲି ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି। ଏସମ୍ପର୍କରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠଯନ୍ତ୍ରୀ ରଞ୍ଜନ ମହାନ୍ତିଙ୍କୁ ପଚାରିବାରେ, ସମସ୍ୟ‌ା ସମ୍ପର୍କରେ ଅବଗତ ଥିବା ଓ ଆଗାମୀ ଦିନରେ ‘ହର୍‌ ଘର ଜଳ ଯୋଗାଣ’ ଯୋଜନାରେ ଗାଁକୁ ପାନୀୟଜଳ ଯୋଗାଇବାକୁ ବ୍ୟବସ୍ଥା କରାଯାଉଛି। ଏହାଦ୍ବାରା ଚଣ୍ଡୀପାଳ ଗ୍ରାମବାସୀଙ୍କ ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର