ରାଉରକେଲା : ପାରିବାରିକ କଳହ, ଜମିବାଡି ବିବାଦ, ଡାହାଣି ‌ସନ୍ଦେହ ଅବା ଟଙ୍କା ନେଣଦେଣରୁ ଅନେକ ହତ୍ୟାକାଣ୍ଡର ଶିକାର ହେଉଛନ୍ତି। ପ୍ରେମଜନିତ ମାମଲା ଓ ବ୍ୟବସାୟିକ ଶତ୍ରୁତା ବେଳେ ବେଳେ ହତ୍ୟାକଣ୍ଡର ରୂପ ନେଉଛନ୍ତି। ହତ୍ୟାକାଣ୍ଡରେ କେବଳ ପୁରୁଷ ନୁହେଁ ଅନେକ ମହିଳାଙ୍କ ଜୀବନ ଯାଉଛି। ବାଦ୍‌ ପଡୁନାହାନ୍ତି ନିଷ୍ପାପ ଶିଶୁ। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବିଗତ ଦିନରେ ଏମିତି ଅନେକ ହତ୍ୟାକାଣ୍ଡ ଘଟିଛି। ଅନେକଙ୍କୁ ପୁଲିସ ଗିରଫ କରି ଜେଲ୍‌ ପଠାଇଛି। ଆଉ କିଛି ହତ୍ୟାକାରୀକୁ ପୁଲିସ ଧରିବାରେ ବିଫଳ ହୋଇଛି।

Advertisment

ରଘୁନାଥପାଲୀ ଥାନା ଅଧୀନରେ ଗତ ପ୍ରାୟ ବର୍ଷକ ତଳେ ଏସ୍‌ଟିଆଇ ଗଣେଶ ମାର୍କେଟ ସୁନା ଦୋକାନୀର ସେଲ୍‌ସ କର୍ମଚାରୀଙ୍କ ହତ୍ୟାକାରୀକୁ ପୁଲିସ ଗିରଫ କରିବାରେ ବିଫଳ ହୋଇଛି। ରାଉରକେଲା ନୁହେଁ ଉପାନ୍ତ ବ୍ଲକରେ ବିଗତ ଦିନରେ ଅନେକ ହତ୍ୟାକାଣ୍ଡ ଘଟଣାରେ ପୁଲିସ ହାତ ଖାଲି। ରାଉରକେଲା ପୁଲିସ ଜିଲ୍ଲାରେ ଗତ ୨୦୧୮ରୁ ୨୦୨୧ ନଭେମ୍ବର ୨୫ ପର୍ଯ୍ୟନ୍ତ ଅର୍ଥାତ୍‌ ୪୭ ମାସରେ ମୋଟ ୧୪୧ ଜଣଙ୍କୁ ବିଭିନ୍ନ କାରଣରୁ ହତ୍ୟା କରାଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ପୁରୁଷ, ମହିଳା, ଯୁବତୀ ଓ ନିଷ୍ପାପ ଶିଶୁ। ୨୦୧୮ରେ ୪୦ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିଲାବେଳେ ୨୦୧୯ରେ ୩୧ଟି, ୨୦୨୦ରେ ୪୫ଟି ଓ ୨୦୨୧ରେ ବର୍ତ୍ତମାନ ସୁଦ୍ଧା ୨୫ଟି ମାମଲା ରୁଜୁ ହୋଇଛି। ସର୍ବାଧିକ ହତ୍ୟାକାଣ୍ଡ ଘଟିଛି ଉପାନ୍ତ ବ୍ଲକ କୋଇଡାରେ। ୪୭ ମାସ ମଧ୍ୟରେ କୋଇଡା ଥାନାରେ ମୋଟ ୧୯ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି। ୨୦୧୮ରେ ୪ଟି, ୨୦୯ରେ ୫ଟି, ୨୦୨୦ରେ ୭ଟି ଓ ୨୦୨୧ରେ ୩ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି।

publive-image

ଦ୍ବିତୀୟ ସ୍ଥାନରେ ରହିଛି ଲହୁଣୀପଡା ଥାନା। ଏହି ଥାନା ଅଞ୍ଚଳରେ ୨୦୧୮ରେ ସର୍ବାଧିକ ୧୧ଟି, ୨୦୧୯ରେ ୩ଟି, ୨୦୨୦ ଓ ୨୦୨୧ରେ ୨ଟି ଲେଖାଏଁ ହତ୍ୟାକାଣ୍ଡ ଘଟିଛି। ତୃତୀୟ ସ୍ଥାନରେ ରହିଛି ବିଶ୍ରା ଓ କେ. ବଲାଙ୍ଗ ଥାନା। ଦୁଇଟି ଥାନାରେ ୧୬ଟି ଲେଖାଏଁ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି। ବିଶ୍ରା ଥାନା ଅଞ୍ଚଳରେ ୨୦୧୮ରେ ୭ଟି, ୨୦୧୯ରେ ୨ଟି, ୨୦୨୦ରେ ୫ଟି ଓ ୨୦୨୧ରେ ୨ଟି ହତ୍ୟାକାଣ୍ଡ ମାମଲା ରୁଜୁ ‌ହୋଇଛି। କେ. ବଲାଙ୍ଗ ଥାନାରେ ୨୦୧୮ରେ ୩ଟି ହତ୍ୟାକାଣ୍ଡ ‌ହୋଇଥିଲାବେଳେ ୨୦୧୯ ଓ ୨୦୨୦ରେ ୪ଟି ଲେଖାଏଁ ଓ ୨୦୨୧ରେ ୫ଟି ହତ୍ୟାକାଣ୍ଡ ହୋଇଛି। ହତ୍ୟାକାଣ୍ଡର ଚତୁର୍ଥ ସ୍ଥାନରେ ରହିଛି ବଣାଇ, ପଞ୍ଚମ ସ୍ଥାନରେ ରହିଛି ବ୍ରାହ୍ମଣୀତରଙ୍ଗ ଥାନା। ବଣାଇରେ ୨୦୧୮ରେ ଗୋଟିଏ ମାମଲା ରୁଜୁ ହୋଇଥିଲାବେଳେ୨୦୧୯ରେ ୪ଟି, ୨୦୨୦ରେ ୭ଟି ଓ ୨୦୨୧ରେ ଗୋଟିଏ ମାମଲା ରୁଜୁ ହୋଇଛି।

publive-image

ବ୍ରାହ୍ମଣୀତରଙ୍ଗ ଥାନାରେ ୨୦୧୮ରେ ୨ଟି, ୨୦୧୯ରେ ୩ଟି, ୨୦୨୦ରେ ୪ଟି, ୨୦୨୧ରେ ୩ଟି ଏମିତି ମୋଟ ୧୨ଟି ହତ୍ୟାକାଣ୍ଡ ଘଟିଛି। ସେକ୍ଟର-୩, ସେକ୍ଟର-୧୫, ଛେଣ୍ଡ ଥାନାରେ ଗତ ୪୭ ମାସ ମଧ୍ୟରେ ଗୋଟିଏ ହେଲେ ହତ୍ୟା ମାମଲା ରୁଜୁ ହୋଇ ନଥିବା ଏସ୍‌ପିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ସେମିତି ଗୁରୁଣ୍ଡିଆ ଥାନାରେ ୪୭ ମାସ ମଧ୍ୟରେ ୬ଟି, ବନ୍ଧମୁଣ୍ଡାରେ ୪ଟି, ପ୍ଲାଣ୍ଟସାଇଟ୍‌ ଥାନାରେ ୮ଟି, ଟିକାୟତପାଲିରେ ୪ଟି, ଲାଠିକଟାରେ ଗୋଟିଏ ହତ୍ୟାକାଣ୍ଡ ହୋଇଛି। ଅନୁରୂପ ଭାବେ ଚାନ୍ଦିପୋଷ ଥାନାରେ ୬ଟି, ଝିରପାଣି ଥାନାରେ ୨ଟି, ସେକ୍ଟର-୧୯ ଥାନାରେ ଗୋଟି, ସେକ୍ଟର-୭ ଥାନାରେ ୪ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି।

୪୭ ମାସରେ ହତ୍ୟାକାଣ୍ଡ
ବର୍ଷ        ହତ୍ୟାକାଣ୍ଡ
୨୦୧୮   ୪୦
୨୦୨୯   ୩୧
୨୦୨୦   ୪୫
୨୦୨୧   ୨୫
ମୋଟ   ୧୪୧