ନୟାଗଡ଼ : ହଜାରେ ଟଙ୍କା ପାଇଁ ଭୁଜାଲିରେ ହାଣି ହତ୍ୟା

ମା’ ଅଟକ, ଅଭିଯୁକ୍ତ ବାପ-ପୁଅ ଫେରାର, ଶବ ରଖି ଅଭିଯୁକ୍ତ ଘର ସାମ୍ନାରେ ଧାରଣା

ନୟାଗଡ଼ : ସାମାନ୍ୟ ହଜାରେ ଟଙ୍କା ପାଇଁ ନୟାଗଡ଼ରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ଆସିଛି। ଇଟାମାଟି ଥାନା ଅଧୀନ ଗଦାଧର ପ୍ରସାଦ ଗ୍ରାମରେ ଏହି ଅଭାବନୀୟ କାଣ୍ଡ ଘଟିଛି। ସୁଧ ବାବଦକୁ ଏକ ହଜାର ଟଙ୍କା ମାଗିବାରୁ ‌ଶେଷରେ ରମେଶ ମୁଦୁଲି(୪୫)ଙ୍କ ଜୀବନ ଚାଲିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରମେଶଙ୍କ ଠାରୁ ତାଙ୍କ ପଡ଼ୋଶୀ ଗୋଲ ୧୫ ହଜାର ଟଙ୍କା ଧାର ନେଇଥି‌ଲେ। ରମେଶ ଗାଁ ସମିତିରୁ ସୁଧକୁ ଟଙ୍କା ଆଣି ଗୋଲଙ୍କୁ ପ୍ରଦାନ କରିଥିଲେ। ଗୋଲ କିନ୍ତୁ ମୂଳ ଟଙ୍କା କିମ୍ବା ସୁଧ କିଛି ବି ଠିକ୍‌ ସମୟରେ ରମେଶଙ୍କୁ ପ୍ରଦାନ କରୁନଥିଲେ। ଏପଟେ ସୁଧ ଓ ମୂଳ ମିଶି ପାଖାପାଖି ୨୧ ହଜାର ଟଙ୍କା ହୋଇଯାଇଥିଲା। ଯେଉଁଥିପାଇଁ ଉଭୟ ପରିବାରଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ଯା‌ହାକୁ ନେଇ କ୍ରମେ ଅସନ୍ତୋଷ ବଢ଼ୁଥିଲା। ଏଭଳି ସ୍ଥିତିରେ କିଛିଦିନ ତଳେ ଗୋଲ ଏକାଥରକେ ୨୦ ହଜାର ଟଙ୍କା ଫେରାଇ ଦେଇଥିଲେ। କିନ୍ତୁ ବାକି ଏକ ହଜାର ଟଙ୍କା ଦେଇନଥିଲେ। ଆଉ ଏକ ହଜାର ଟଙ୍କା ଦେବାକୁ ରମେଶ ବାରମ୍ବାର କହୁଥିବା ବେଳେ, ଗୋଲ କିମ୍ବା ତାଙ୍କର ପରିବାର ଏଥିପ୍ରତି ଧ୍ୟାନ ଦେଇନଥିଲେ। ଏଭଳି ସ୍ଥିତିରେ ଗତକାଲି ସନ୍ଧ୍ୟା‌ରେ ରମେଶ ଟଙ୍କା ମାଗିବାକୁ ଗୋଲ ଘରକୁ ଯାଇଥିଲେ। ଯାହାକୁ ନେଇ ଗୋଲର ସ୍ତ୍ରୀ ଶାନ୍ତଲତାଙ୍କ ସହିତ ରମେଶଙ୍କର ଯୁକ୍ତତର୍କ ହୋଇଥିଲା। ଏହି ସମୟରେ ଗୋଲ କିମ୍ବା ତାଙ୍କ ପୁଅ ଘରେ ନଥିଲେ। ସେମାନେ ଘରକୁ ‌ଫେରିବା ପରେ ଗାଁ ଦାଣ୍ଡରେ ରମେଶଙ୍କୁ ପାଇ, ଆମେ ଘରେ ନ ଥିବାବେଳେ ତୁ କାହିଁକି ଆମ ଘରକୁ ଯାଇଥିଲୁ, ଜଣେ ମହିଳାଙ୍କୁ କାହିଁକି ଗାଳିଗୁଲଜ କରିଛୁ କହି ଜବାବ ମାଗିଥିଲେ। କ୍ରମେ ପରିସ୍ଥିତି ଜଟିଳ ହୋଇଥିଲା। ପୂର୍ବ ପ୍ରସ୍ତୁତି ଅନୁଯାୟୀ, ଗୋଲ ଓ ଲକ୍ଷ୍ମୀଧର ଏକ ଭୁଜାଲି ନେଇ ସେଠାରେ ପହଞ୍ଚିଥିବା ଜଣାପଡ଼ିଛି। ଉଭୟ ବାପ-ପୁଅ ରମେଶଙ୍କ ପେଟରେ ଭୁଜାଲି ଭୁସି ଦେଇଥି‌ଲେ। ରମେଶଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଓ ପରିବାର ଲୋକେ ଘଟଣାସ୍ଥଳକୁ ଆସିଥିଲେ। ହେଲେ ଅଭିଯୁକ୍ତମାନେ ଘଟଣାସ୍ଥଳ ତୁରନ୍ତ ଛାଡ଼ିଯିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି।

ହତ୍ୟା ଅଭିଯୁକ୍ତ ପଡ଼ୋଶୀ ଗୋଲ ରାଉତ, ଗୋଲଙ୍କ ପୁଅ ଲକ୍ଷ୍ମୀଧର ଫେରାର୍‌ ହୋଇଯାଇଥିବା ବେ‌ଳେ ଅନ୍ୟତମ ଅଭିଯୁକ୍ତ ଗୋଲର ସ୍ତ୍ରୀ ଶାନ୍ତିଲତାଙ୍କୁ ଇଟାମାଟି ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର