ବାଲେଶ୍ବର/ଭଣ୍ଡାରିପୋଖରୀ/ଭଣ୍ଡାରିପୋଖରୀ-୧ : ବାଲେଶ୍ବରରେ ହତ୍ୟା, ୯୦ କିମି ଦୂର ଭଦ୍ରକରେ କଟାମୁଣ୍ଡ! ସଦର ଥାନା ଖାନ୍ନଗର ଅଞ୍ଚଳରୁ ଗତ ଶନିବାର ଦିନ ଜଣେ ଯୁବକଙ୍କର ମୁଣ୍ଡବିହୀନ ଗଳିତ ଶବ ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣାର ଆଜି ପର୍ଦାଫାସ୍ କରିଛି ପୁଲିସ। ଘଟଣାରେ ୨ ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀକୁ ପୁଲିସ ଗିରଫ କରିଛି।
ପୁଲିସ ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲାର ଯୁବକ ଶ୍ରୀଧର ଦଳବେହେରା, ଫକୀର ନାୟକ ଓ ତାଙ୍କ ପତ୍ନୀ ସୁମିତ୍ରା ନାୟକ ଗତ କିଛିମାସ ହେଲା ବାଲେଶ୍ୱର ସଦର ଥାନା ଖାନନଗର ଅଞ୍ଚଳରେ ରହି ‘ବସୁଧା’ ଯୋଜନା ପ୍ରକଳ୍ପରେ କାମ କରୁଥିଲେ। ଏହିସମୟରେ ଶ୍ରୀଧର ଓ ସୁମିତ୍ରାଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ସମ୍ପର୍କ ଏତେବାଟ ଚାଲି ଯାଇଥିଲା ଯେ, ଉଭୟ ପରସ୍ପର ସାଙ୍ଗରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେପଟେ ଦୁହିଁଙ୍କର ପ୍ରେମସମ୍ପର୍କ ବାବଦରେ ସ୍ବାମୀ ଫକୀର ଜାଣିବା ପରେ ସେ ପତ୍ନୀଙ୍କୁ ଛାଡ଼ି ନିଜ ଗାଁକୁ ଚାଲିଯାଇଥିଲେ। ପାଖାପାଖି ସପ୍ତାହେ ଶ୍ରୀଧର ଓ ସୁମିତ୍ରା ସାଙ୍ଗରେ ରହିବା ପରେ ଗତ ୫ ତାରିଖରେ କୌଣସି କାରଣକୁ ନେଇ ଶ୍ରୀଧର ସୁମିତ୍ରାଙ୍କୁ ଖୁବ୍ ମାରଧର କରିଥିଲେ। ଫଳରେ ରାଗରେ ଜଳୁଥିଲେ ସୁମିତ୍ରା। ପରଦିନ ରାତିରେ ଶ୍ରୀଧର ଶୋଇଥିବାବେଳେ ଟାଙ୍ଗିଆ ଚୋଟରେ ତାଙ୍କ ଶରୀରରୁ ମୁଣ୍ଡଗୁଣ୍ଡି ଅଲଗା କରି ଘଟଣା ସମ୍ପର୍କରେ ନିଜ ସ୍ୱାମୀ ଫକୀରଙ୍କୁ ଜଣାଇଥିଲେ। ଖବର ପାଇ ନୟାଗଡ଼ରୁ ବାଇକ୍ ଧରି ଫକୀର ବାଲେଶ୍ବରରେ ଆସି ପହଞ୍ଚିଥିଲେ। ଉଭୟ ଶ୍ରୀଧରଙ୍କ ଶବକୁ ଉକ୍ତ ଗ୍ରାମର ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇଥିବା ଅରୁଣ ମହାପାତ୍ରଙ୍କ ଅବ୍ୟବହୃତ ବାଡ଼ିରେ ଫିଙ୍ଗି ଦେଇଥିଲେ ଏବଂ କଟାମୁଣ୍ଡକୁ ଏକ ମୁଣିରେ ପୂରାଇ ବାଇକ୍ ଯୋଗେ ସ୍ବାମୀ-ସ୍ତ୍ରୀ ନିଜ ଗାଁ ଅଭିମୁଖେ ପଳାଇଥିଲେ। ଯିବା ବାଟରେ ଛତାବର ଛକ ନିକଟ ଏକ ନିର୍ମାଣାଧୀନ ଡ୍ରେନ୍ରେ କଟାମୁଣ୍ଡ ଥିବା ମୁଣିକୁ ଫିଙ୍ଗି ଦେଇଥିଲେ।
ଅନ୍ୟପକ୍ଷରେ ୧୨ ତାରିଖରେ ଶ୍ରୀଧରଙ୍କ ମୁଣ୍ଡବିହୀନ ଗଳିତ ମୃତଦେହ ଠାବ ହେବାପରେ ବାଲେଶ୍ବର ସଦର ଥାନା ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜାଣିବା ପରେ ପୁଲିସ ତଦନ୍ତକୁ ଜୋରଦାର କରିବା ସହ ମୁଖ୍ୟ ଅଭିଯୁକ୍ତ ସୁମିତ୍ରାକୁ କଟକରୁ ଓ ଫକୀରକୁ ନୟାଗଡ଼ରୁ ଗିରଫ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/bls-3.jpg)