ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକେଶ ଅମ୍ବାନୀ

ମନ୍ଦିରରେ ରହିଲେ ଅଧଘଣ୍ଟା, ଲକ୍ଷ୍ମୀ ମନ୍ଦିରରେ ବସିଲେ ୫ ମିନିଟ୍, ଜଗନ୍ନାଥଙ୍କୁ ଦେଲେ ଝିଅ ବାହାଘର ନିମନ୍ତ୍ରଣପତ୍ର, ନେଲେ ଗୁଆ ଓ ଆଜ୍ଞାମାଳ

ପୁରୀ : ରିଲାଏନସ୍ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ତଥା ଭାରତର ସବୁଠୁ ବଡ଼ ଧନୀ ମୁକେଶ ଅମ୍ବାନୀ ପ୍ରଥମ ଥର ପାଇଁ ଆଜି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସୋମବାର ଅପରାହ୍ନରେ ଶ୍ରୀ ଅମ୍ବାନୀ ଶ୍ରୀମନ୍ଦିର ଭିତର କାଠ ନିକଟରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ଏକମାତ୍ର ଝିଅ ଇଶା ଅମ୍ବାନୀଙ୍କ ବାହାଘର ନିମନ୍ତ୍ରଣ ପତ୍ର (ନିଉତା) ମହାପ୍ରଭୁଙ୍କୁ ଦେଇଥିଲେ। ଏହି ଅବସରରେ ତାଙ୍କୁ ମହାପ୍ରଭୁଙ୍କ ଆଜ୍ଞାମାଳ ଓ ଗୁଆ ଦିଆଯାଇଥିଲା। ପରେ ସେ ଲକ୍ଷ୍ମୀ ମନ୍ଦିର ଯାଇ ମା’ଙ୍କର ଦର୍ଶନ କରିଥିଲେ ଏବଂ ଅନ୍ୟ ଶ୍ରଦ୍ଧାଳୁମାନଙ୍କ ଭଳି ସେଠାରେ ପ୍ରାୟ ୫ ମିନିଟ୍ ବସିଥିଲେ। ମୁକେଶ ଏହି ଅବସରରେ ଓଡ଼ିଶାବାସୀଙ୍କୁ ଦୀପାବଳି ପାର୍ବଣ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ। ଗୁଜୁରାଟର ପରମ୍ପରା ମୁତାବକ କୌଣସି ଶୁଭ କାମ ପୂର୍ବରୁ ମହାପ୍ରଭୁଙ୍କୁ ନିମନ୍ତ୍ରଣପତ୍ର ଦିଆଯାଇଥାଏ, ଆଶୀର୍ବାଦ ନେବାର ବିଧି ଥାଏ। ଏ ଦୃଷ୍ଟିରୁ ଝିଅ ବାହାଘର ପାଇଁ ସେ ମହାପ୍ରଭୁଙ୍କୁ ନିମନ୍ତ୍ରଣପତ୍ର ଦେଇଥିବା ଶ୍ରୀ ଅମ୍ବାନୀ ଗଣମାଧ୍ୟମକୁ କହିଥିଲେ।

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଯୋଗ ଦେବାକୁ ଆସିଥିବା ଶ୍ରୀ ଅମ୍ବାନୀ ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଅପରାହ୍ନ ୩ଟାରେ ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିର ନିଆଯାଇଥିଲା। ସିଂହଦ୍ବାରଠାରେ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଏସ୍‌ପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀ ଅମ୍ବାନୀଙ୍କୁ ସ୍ବାଗତ କରିଥିଲେ। ଅପରାହ୍ନ ସାଢେ ୩ଟାରେ ଅମ୍ବାନୀ ଶ୍ରୀମନ୍ଦିରରେ ପ୍ରବେଶ କରି ପ୍ରାୟ ଅଧାଘଣ୍ଟା ମନ୍ଦିର ଭିତରେ ରହିଥିଲେ। ପରେ ଗାରଦ ଦ୍ବାର ଦେଇ ତାଙ୍କୁ ଭିତରକାଠ ନିକଟକୁ ନିଆଯାଇଥିଲା ଏବଂ ସେଠାରେ ସେ ମହାପ୍ରଭୁଙ୍କର ପୂଜାର୍ଚ୍ଚନା କରିଥିଲେ। ସାଥୀରେ ଆଣିଥିବା ଝିଅ ଈଶାଙ୍କ ବାହାଘର ନିମନ୍ତ୍ରଣପତ୍ର ପଣ୍ଡାଙ୍କ ହାତକୁ ଦେଇଥିଲେ। ବହୁଚର୍ଚ୍ଚିତ ଏହି ନିମନ୍ତ୍ରଣପତ୍ରଟିକୁ ଖୋଲାଯାଇ ମହାପ୍ରଭୁଙ୍କ ପାଖରେ ଲାଗି କରାଯାଇଥିଲା। ସେବାୟତମାନେ ମହାପ୍ରଭୁଙ୍କ ପାଖରୁ ଏକ ଆଜ୍ଞାମାଳ ଓ ‌ଗୁଆ ଲାଗି କରି ଅମ୍ବାନୀଙ୍କୁ ଦେଇଥିବା ବେଳେ ଭିତରକାଠ ନିକଟରେ ପଣ୍ଡା ଅମ୍ବାନୀଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ କରିଥିଲେ। ଅମ୍ବାନୀ ମଧ୍ୟ ଏକ ଧଳା ରଙ୍ଗର ଲଫାପାରେ ପଣ୍ଡାଙ୍କୁ ପ୍ରଣାମି ଦେଇଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଶୁଖିଲା ପ୍ରସାଦ ଦିଆଯାଇଥିଲା। ପରେ ବେହରଣ ଦ୍ବାର ଦେଇ ସେ ବାହାରକୁ ଆସିବା ପରେ ମହାଲକ୍ଷ୍ମୀ ମନ୍ଦିରର ଗର୍ଭଗୃହକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ। ମା’ଙ୍କ ମନ୍ଦିର ଜଗମୋହନରେ ବସିବାକୁ ନିଜ ଆଡୁ କହି ସେଠାରେ ପ୍ରାୟ ୫ ମିନିଟ ବସିଥିଲେ। ଏତିକି ବେଳେ ଅମ୍ବାନୀଙ୍କ ପରିବାରର କୌଳିକ ପଣ୍ଡା ରଘୁନାଥ ଗୋଛିକାର ଯାତ୍ରା ଖାତାରେ ତାଙ୍କଠୁ ଦସ୍ତଖତ ନେଇଥିଲେ। ଖାତାରେ ସ୍ବର୍ଗୀୟ ପିତା ଧୀରୁଭାଇ ଅମ୍ବାନୀ ଓ ସାନଭାଇ ଅନିଲ ଅମ୍ବାନୀଙ୍କ ଦସ୍ତଖତ ଥିବା ଦେଖି ଖୁସି ହୋଇ ଯାଇଥିଲେ ମୁକେଶ। କୌଳିକ ପଣ୍ଡା ଶ୍ରୀ ଗୋଛିକାରଙ୍କୁ ମଧ୍ୟ ସେ ଏକ ଧଳା ଲଫାଫାରେ ଦକ୍ଷିଣା ଦେଇଥିଲେ। ତେବେ ସମୟ ଅଭାବରୁ ଶ୍ରୀମନ୍ଦିର ପ୍ରଶାସନ ଅମ୍ବାନୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଥିବା ୪୦ କୋଟି ଟଙ୍କାର ଏକ ବହୁତଳ ପାର୍କିଂ ‌ନିର୍ମାଣ ସ୍ଥଳ ପାଇଁ ବ୍ଲୁ ପ୍ରିଣ୍ଟ ଦେଖାଇ ପାରିନଥିଲା। ଏ ସଂପର୍କରେ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ଅମ୍ବାନୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର