କେନ୍ଦୁଝର: ‘ମୁକ୍ତା’ ଯୋଜନାରେ କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିଲା ୩୦୦ଟି ଜଳ ଅମଳ ପ୍ରକଳ୍ପ ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ପୋତି ହୋଇଗଲାଣି। ଏହି ଯୋଜନାରେ କେନ୍ଦୁଝର ପୌରାଞ୍ଚଳରେ ପ୍ରାୟ ୧୦ କୋଟିରୁ ଅଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା, ଏସ୍ଏଚ୍ଜିଙ୍କ ନାଁରେ କାର୍ଯ୍ୟାଦେଶ ଥିବାବେଳେ ଏହାର ନିର୍ମାଣ କାମ ଠିକାଦାରଙ୍କ ଦ୍ବାରା କରାଯାଇଥିଲା। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲା ତାହାର ଉଦ୍ଦେଶ୍ୟ ସଫଳ ହୋଇପାରିଲାନାହିଁ।
‘୨୦୨୦’ରେ ତତ୍କାଳୀନ ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ‘ମୁକ୍ତା’ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାରେ ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ହୋଇଛି। ‘କ୍ୟାଚ୍ ଦି ରେନ୍-୨୦୨୨’ ଅଧୀନରେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ପ୍ରାୟ ୨୦ ହଜାର ଜଳ ଅମଳ ପ୍ରକଳ୍ପ ନିର୍ମାଣ କରାଯାଇଛି। କେନ୍ଦୁଝରଗଡ଼ ପୌରପାଳିକାର ବିଭିନ୍ନ ୱାର୍ଡରେ ୩୦୦ଟି ପ୍ରକଳ୍ପ ନିର୍ମାଣ କରାଯାଇଛି। ଏଥିପାଇଁ ବିଭିନ୍ନ ଏସ୍ଏଚ୍ଜିଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ମାତ୍ର ଏସବୁ କାମ ଏସ୍ଏଚ୍ଜି ପରିବର୍ତ୍ତେ କିଛି ଠିକାଦାରଙ୍କ ଦ୍ୱାରା ଯେନତେନ ପ୍ରକାର କରାଯାଇ ସରକାରୀ ଅର୍ଥକୁ ହରିଲୁଟ୍ କରାଯାଇଛି। ନିୟମ ଅନୁସାରେ, ଏହି ପ୍ରକଳ୍ପରେ ୬ଟି ନନ୍ଦ ବ୍ୟବହାର କରାଯିବ। ୧୫ ଫୁଟ ଗଭୀର ପ୍ରକଳ୍ପ ହେବ। ଗାତ ଖୋଳି ନନ୍ଦ ପକାଯିବା ପରେ ପ୍ରଥମେ ୨୦ ଏମ୍ଏମ୍ ମେଟାଲ, ଦେଢ଼ଫୁଟରେ ୨୦ ଏମ୍ଏମ୍ ଚିପ୍ସ, ଦେଢ଼ଫୁଟରେ ୧୦ ଏମ୍ଏମ୍ ଚିପ୍ସ ପରେ ବାଲି ଦିଆଯିବା କଥା। ମାଟି ଉପରକୁ ଅଧାଫୁଟ ନନ୍ଦ ରହିବ। ଖାଲୁଆ ସ୍ଥାନରେ ଏହି ପ୍ରକଳ୍ପ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ନିୟମ ଅନୁସାରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇ ନାହଁ। ଗୋଟିଏ ଗୋଟିଏ ଉଚ୍ଚ ସ୍ଥାନରେ ୫ଟି ଲେଖାଏଁ ପ୍ରକଳ୍ପ କରାଯାଇଛି। ନିଛାଟିଆ ସ୍ଥାନରେ ପ୍ରକଳ୍ପଗୁଡ଼ିକୁ ନିର୍ମାଣ କରାଯାଇଛି। ଖୋଲାଖୋଲି ଭାବେ ଜଳ ଅମଳ ପ୍ରକଳ୍ପ ନାଁରେ ସରକାରୀ ଅର୍ଥକୁ ହରିଲୁଟ କରାଯାଇଛି।
ତେବେ ‘ମୁକ୍ତା’ ଯୋଜନାରେ ଯେତିକି ବି ଜଳ ଅମଳ ପ୍ରକଳ୍ପ ହୋଇଛି, କିଛି ମାସ ପରେ ପ୍ରାୟତଃ ସବୁ ପୋତି ହୋଇଯାଇଛି। ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରେ ହୋଇଥିବା ଏକାଧିକ ଜଳ ଅମଳ ପ୍ରକଳ୍ପର ସ୍ଥିତି ସମାନ। ଏଠାରେ ଯେଉଁ ଜଳ ଅମଳ ପ୍ରକଳ୍ପ ହୋଇଥିଲା, ସେଥିରେ ମାଟି, ଜରି, ଆବର୍ଜନା ପଡ଼ି ପୋତି ହୋଇଯାଇଛି। ଖାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୁହେଁ, ସହର ସାରା ଯେତିକି ଜଳ ଅମଳ ପ୍ରକଳ୍ପ ରହିଛି, ସେ ସବୁ ପୋତି ହୋଇ ଯାଇଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/22/8qmXwv5a3sOQBZgFrTw4.jpg)