ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ‘ମୁକ୍ତା ଯୋଜନା’ରେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣରେ ସବୁଠାରୁ ଘୋଟାଲ ହୋଇଥିବା ଜଣାପଡ଼ିଛି। ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡ଼ିକରେ ବ୍ୟାପକ ଅନିୟମିତତା ସହ ନିମ୍ନମାନର କାର୍ଯ୍ୟ ହୋଇଥିବା ନଜରକୁ ଆସିଛି। ଜିଲ୍ଲାର ସବୁ ସହରରେ ଛତୁ ଫୁଟିଲା ଭଳି ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ହୋଇଛି। କିନ୍ତୁ ଏହି ପ୍ରକଳ୍ପ ଗୁଡ଼ିକ ନିର୍ମାଣ କରିବା ପାଇଁ ସ୍ବତନ୍ତ୍ର ଯୋଜନା କରାଯାଇ ନାହିଁ। ସହରା‌ଞ୍ଚଳରେ ଏହି ଯୋଜନା ଦାୟିତ୍ବରେ ଥିବା ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ସଠିକ୍‌ ସ୍ଥାନ ନିରୂପଣ କରାନଯାଇ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହାସହ ପ୍ରକଳ୍ପ ଗୁଡ଼ିକର ରକ୍ଷଣାବେକ୍ଷଣା ହେଉନଥିବାରୁ ତାହା ବାସ୍ତବରେ କାର୍ଯ୍ୟରେ ଲାଗୁନଥିବା ଅଭିଯୋଗ ହୋଇଛି।

Advertisment

ଗଞ୍ଜାମରେ ନିର୍ମିତ ହୋଇଛି ୧୬୩୪ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ
ପ୍ରକଳ୍ପସବୁର କାର୍ଯ୍ୟକାରିତାକୁ ନେଇ ସନ୍ଦେହ

publive-image

୨୦୨୨-୨୩ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା) ଅଧୀନରେ ଜିଲ୍ଲାରେ ୧୬୩୪ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯାଇଛି। ୪ ଶହରୁ ଅଧିକ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀଙ୍କୁ ଏଥିରେ ନିୟୋଜିତ ହୋଇଛନ୍ତି। ଗୋଟିଏ ଲେଖାଁଏ ପ୍ରକଳ୍ପ ନିମନ୍ତେ ୩୧ ହଜାରୁ ୩୪ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିଲାଗି ଚଳିତ ବର୍ଷ ୫ କୋଟି ୭୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଜିଲ୍ଲା ସଦରମହକୁମା ଛତ୍ରପୁର ସହରରେ ୧୦୦ରୁ ଅଧିକ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ହୋଇଛି ସତ, କିନ୍ତୁ ଏହି ପ୍ରକଳ୍ପ ଗୁଡ଼ିକର ନିର୍ମାଣ ନିମ୍ନମାନର ହୋଇଥିବା ବେଳେ ପ୍ରକଳ୍ପ ଗୁଡ଼ିକର ରକ୍ଷଣାବେକ୍ଷଣ ବ୍ୟବସ୍ଥା ନାହିଁ। ଛତ୍ରପୁର ସହରରେ ବହୁ ପ୍ରକଳ୍ପ ମାଟିରେ ପୋତି ହୋଇଥିବା ବେଳେ ଆଉ କେତେକ ପ୍ରକଳ୍ପ ପରିତ୍ୟକ୍ତ ଅବସ୍ଥାରେ ରହିଛି। ସେଠାରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳିଛି। ଅଧିକାଂଶ ପ୍ରକଳ୍ପ ନିମ୍ନମାନର ହୋଇଥିବା ବେଳେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ଲକ୍ଷ୍ୟ ହାସଲ ପାଇଁ ତରବରିଆ ଭାବେ ନିର୍ମାଣ କରି ସରକାରଙ୍କ ଅର୍ଥ ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି।

ସେହିପରି ଏହି ଯୋଜନା ଅଧୀନରେ ଅର୍ବାନ୍ ଇନ୍‌ଫ୍ରା କାର୍ଯ୍ୟକ୍ରମରେ ୧୭ଟି ସହରା‌ଞ୍ଚଳର ସୌନ୍ଦର୍ଯ୍ୟୀକରଣ ଲାଗି ୧୮୮ଟି ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିଲାଗି ୨ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହାସହ ରୋଡ଼ ଇନଫ୍ରା କାର୍ଯ୍ୟକ୍ରମରେ ପେଭର୍‌ ବ୍ଲକ୍‌ ରାସ୍ତା ଏବଂ ଅନ୍ୟାନ୍ୟ ୨୪୪ଟି ପ୍ରକଳ୍ପ ମଞ୍ଜୁର ହୋଇଛି। ସେଥିରୁ ୧୧୭ଟି ପ୍ରକଳ୍ପ କାମ ଆରମ୍ଭ ହୋଇଛି। ଏଥିଲାଗି ୨୨ କୋଟି ୭୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଚଳିତବର୍ଷ ଯୋଜନାରେ ୧୭ଟି ସହରା‌ଞ୍ଚଳରେ ୧୭ଟି ଆଦର୍ଶ ପାର୍କ ନିର୍ମାଣ କରିବା ପାଇଁ ୧୨ କୋଟି ୭୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।