ବାଟବଣା ହେଉଛି ‘ମୁକ୍ତା’ ଯୋଜନା; ଜଳ ଅମଳ ପ୍ରକଳ୍ପ ନାଁରେ ବାଟମାରଣା!

ତଦାରଖ ନାହିଁ, ମନଇଚ୍ଛା ଚାଲିଛି କାମ, ଯାଞ୍ଚ୍‌ କରାଯାଇ ପୁନରୁଦ୍ଧାର କରିବାକୁ ଦାବି

ବାଲେଶ୍ବର: ଭୂତଳ ଜଳ ଦିନକୁ ଦିନ ହ୍ରାସ ପାଉଥିବାରୁ ଅପଚୟ ହୋଇ ଯାଉଥିବା ବର୍ଷା ଜଳକୁ ସଂରକ୍ଷଣ ରଖିବାର ବ୍ୟବସ୍ଥା ଏବଂ ମହିଳା ହାତରେ ରୋଜଗାର ଦେବା ପାଇଁ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା‌)ର ଆରମ୍ଭ କରାଯିବା ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପରିକଳ୍ପନା। ହେଲେ ବା‌େଲଶ୍ବର ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ମୁକ୍ତା ଯୋଜନାରେ ସହରର ବିଭିନ୍ନ ସ୍ଥାନରେ ଜଳ ଅମଳ ପ୍ରଳକ୍ପ(ୱାଟର ରିଜର୍ଭେସନ ପିଟ୍‌) ନିର୍ମାଣ କରାଯାଇଥିବା ବେଳେ ତାର ସୁଫଳ ତ କିଛି ମିଳିଲା ନାହିଁ ବରଂ ମାତ୍ର କେଇଟା ମାସରେ ସେଗୁଡ଼ିକର ଚିହ୍ନବର୍ଣ୍ଣ ହଜିବାକୁ ବସିଛି। ଫଳରେ ମୁକ୍ତା ଯୋଜନାରେ ଚାଲିଥିବା‌ ଜଳ ସଂରକ୍ଷଣ ପ୍ରକଳ୍ପ ବାଲେଶ୍ବର ସହରରେ ଦିଗହରା ପାଲଟିଥିବା ଦେଖିବାକୁ ମିଳିଛି।

ପୌରପାଳିକାରୁ ମିଳିଥିବା ତଥ୍ୟ ଅନୁସାରେ, ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା)ରେ ବାଲେଶ୍ବର ସହରର ବିଭିନ୍ନ ସ୍ଥାନରେ ୩୧୦ଟି ବର୍ଷା ଜଳ ଅମଳ ପ୍ରକଳ୍ପ କରାଯିବା ପାଇଁ ଯୋଜନା କରାଯାଇଥିଲା। ଏଥିପାଇଁ ପ୍ରତି ପ୍ରକଳ୍ପ ଅର୍ଥାତ୍ ପିଟ୍‌ ବାବଦକୁ ୨୯ହଜାର ୧୦୦ ଟଙ୍କା ବ୍ୟୟ ଅଟକଳ ହୋଇଛି। ତେବେ ସମୁଦାୟ ପ୍ରକଳ୍ପକୁ ହିସାବ କଲେ ୮୯ ଲକ୍ଷ ୯୦ ହଜାର ଟଙ୍କା ଖର୍ଚ୍ଚ ହେବ। ଏହି କ୍ରମରେ ସହରର ବିଭିନ୍ନ ସ୍ଥାନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଏହି କାମ କରାଯାଇଛି। ୩୧୦ଟି ବ‌ର୍ଷା ଜଳ ଅମଳ ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୩୩ଟି ପ୍ରକଳ୍ପର କାମ ‌ଶେଷ ହୋଇଛି। ଏଠା‌େର ସୂଚନାଯୋଗ୍ୟ ଯେ, ମଲ୍ଲୀକାଶପୁର ସ୍ଥିତ ଶାନ୍ତିକାନନ ପାର୍କ ଏବଂ ଜିଲ୍ଲା ସଂସ୍କୃତି ଭବନ ପରିସରରେ ୩ଟି ଜଳ ଅମଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା।

ସେହିପରି ଅଗଷ୍ଟ ମାସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିବା ବେଳେ ସର୍କିଟ ହାଉସ, ଆଇଟିଆଇ ପଡ଼ିଆ ଆଦି ସ୍ଥାନରେ ମଧ୍ୟ ଏହି ପ୍ରକଳ୍ପ ନିର୍ମାଣ ବାବଦରେ ଲକ୍ଷାଧିକ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ କରାଯାଇଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ମାତ୍ର ୩/୪ ମାସ ପରେ ସେଠାରେ ଉକ୍ତ ପ୍ରକଳ୍ପଗୁଡ଼ିକ ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଏବଂ ଜିଲ୍ଲା ସଂସ୍କୃତି ଭବନ ପରିସରରେ କେବଳ ପ୍ରକଳ୍ପର ଫଳକ ଛ‌ିଡ଼ା ହୋଇଛି ସିନା ପ୍ରକଳ୍ପର ଚିହ୍ନବର୍ଣ୍ଣ ମାଟିରେ ମିଳେଇଗଲା ପରି ଜଣାପଡ଼ୁଛି। ସମାନ ସ୍ଥିତି ଦେଖିବାକୁ ମିଳିଛି ସର୍କିଟ ହାଉସ୍‌ ଓ ଆଇଟିଆଇ ପଡ଼ିଆରେ ହୋଇଥିବା ଏହି ପ୍ରକଳ୍ପର। ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ପ୍ରତିଦିନ ସମସ୍ତଙ୍କ ନଜରରେ ପଡ଼ୁଥିବା ଏହି ସ୍ଥାନ ଗୁଡ଼ିକରେ ଯଦି ପ୍ରକଳ୍ପଗୁଡ଼ିକର କାମ ଠିକ୍‌ କରାଯାଇନାହିଁ କିମ୍ବା ତାର ତଦାରଖ କରାଯାଇନି ତାହେଲେ ସହରରେ ଶେଷ ହୋଇଥିବା ୧୩୩ଟି ଜଳ ଅମଳ ପ୍ରକଳ୍ପର କାମ କେମିତି ହୋଇଥିବ ଏବଂ ତାର ଅବସ୍ଥା ଏବେ କଣ ଥିବ? ଏଥିରେ ପୌରପାଳିକା ଓ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଯୋଜନାକୁ ଦିଗହରା କରାଇ ବ୍ୟାପକ ଅର୍ଥ ହେରଫେର୍‌ କରିଥିବା ମଧ୍ୟ ଅଭିଯୋଗ ଆସୁଛି।

ସହରବାସୀଙ୍କ ଅଭିଯୋଗ ଅନୁଯାୟୀ, ସହରାଞ୍ଚଳରେ ବର୍ଷା ଜଳ ଅମଳ ପାଇଁ ସରକାରଙ୍କ ଜଳ ଅମଳ ପ୍ରକଳ୍ପ ଏକ ଅଭିନବ ପରିକଳ୍ପନା। ଯେଉଁଠି ଏହି ପ୍ରକଳ୍ପ କରାଯାଇଛି ସେଠାରେ ମାଟି ଖୋଳାଯାଇ ସେଥିରେ ପଥର, ବାଲି ଓ ଚିପ୍‌ସ ଭରି ଉପରୁ ଗଡ଼ି ଆସୁଥିବା ଜଳକୁ ସଂରକ୍ଷଣ କରିବା ପାଇଁ ବ୍ୟବସ୍ଥା କରାଯିବା କଥା। ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଏହି କାମ ଦିଆଯାଇଛି। କିନ୍ତୁ ଗତ କିଛିମାସର ବର୍ଷା ଏହି ପ୍ରକଳ୍ପ ବା‌ ଯୋଜନାର ବାସ୍ତବସ୍ଥିତିକୁ ସାମ୍‌ନାକୁ ଆଣିଛି। ଯେଉଁ ସ୍ଥାନରେ ଉପରୁ ଜଳ ଖସି ଆସୁଛି ତାର ପ୍ରବାହକୁ ନ ପରଖି ମନଇଚ୍ଛା ସ୍ଥାନରେ ମାଟି ଖୋଳି ଅଯଥା ଜଳ ଅମଳ ପ୍ରକଳ୍ପ କରାଯାଇଛି। ଫଳରେ ବର୍ଷା ଜଳ ଗୋଟିଏ ସ୍ଥାନରେ ବହି ଚାଲୁଥିବା ବେଳେ କିଛି ଦୂରରେ ଖୋଳାଯାଇଥିବା ନାଳ ମଧ୍ୟକୁ ଉଚ୍ଚସ୍ଥାନରୁ ମାଟି ଧସି ଆସି ପ୍ରକଳ୍ପକୁ ପୋତି ପକାଉଥିବା ଦେଖିବାକୁ ମିଳିଛି। ଏବେ ସହରରେ ଆହୁରି ଥିବା ୧୭୭ଟି ପ୍ରକଳ୍ପ ହେବାକୁ ଥିବା ବେଳେ ତୁରନ୍ତ ଏହି ବ୍ୟବସ୍ଥାକୁ ବିଧିବଦ୍ଧ ଯାଞ୍ଚ୍‌ କରାଯାଇ ଯୋଜନା ସମ୍ପୂର୍ଣ୍ଣ ଭାବେ ବିଫଳ ହେବା ପୂର୍ବରୁ ଏହାର ପୁନରୁଦ୍ଧାର କରାଯାଉ ବୋଲି ଦାବି କରାଯାଇଛି।

ସମ୍ବନ୍ଧିତ ଖବର