ରାଉରକେଲା : ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରେ ବାଟବଣା ହୋଇଛି ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା (ମୁକ୍ତା)। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ‘ବର୍ଷା ଜଳ ଅମଳ ପ୍ରକଳ୍ପ’ ଏହାର ଜ୍ବଳନ୍ତ ଉଦାହରଣ। କୋଟିଏ କି ଦୁଇ ‌କୋଟି ଟଙ୍କା ନୁହେଁ ବର୍ଷା ଜଳ ଅମଳ ପ୍ରକଳ୍ପରେ ୬୧ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ନିମ୍ନମାନର ଓ ଅଧପନ୍ତରିଆ କାମ ଯୋଗୁ ଅଧିକାଂଶ ସ୍ଥାନରେ ଏହି ପ୍ରକଳ୍ପ ଫେଲ୍‌ ହୋଇଛି। ଜଳ ସଂରକ୍ଷଣ ପାଇଁ ମାଟି ଭିତରକୁ ୪/୫ଟି ନନ୍ଦ ରହିବା କଥା। ତା’ ମଧ୍ୟ ଦେଖିବାକୁ ମିଳୁନି। ଯେଉଁଠି ପ୍ରକଳ୍ପ ହେବା କଥା ନୁହେଁ, ସେଠି ମଧ୍ୟ କରାଯାଇଛି। ବିନା ଟେଣ୍ଡରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ବାଣ୍ଟି ଦିଆଯାଇଛି। ସବୁଠୁ ଆଶ୍ଚର୍ଯ୍ୟ କଥା,ଏସ୍‌ଏଚ୍‌ଜି ଗ୍ରୁପ ମିଳିଥିବା କାମ ଠିକାଦାର କରିଛନ୍ତି। ଗୋଟିଏ ଏସ୍‌ଏଚ୍‌ଜି ଗ୍ରୁପକୁ ୧୦ରୁ ୨୫ ଟି ପର୍ଯ୍ୟନ୍ତ କାମ ଦିଆଯାଇଛି। ପ୍ରତ୍ୟେକ କାମରେ ୩୨ ହଜାର ୮୦୦ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି।

Advertisment

ଆର୍‌ଏମ୍‌ସି ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଆର୍‌ଏମ୍‌ସିର ୱାର୍ଡ ନଂ ୧ରୁ ୱାର୍ଡ ନଂ ୪୦ , ସେକ୍ଟର -୨୦ ଓ ୨୧ରେ ଜଳ ଅମଳ ପ୍ରକଳ୍ପ କରାଯାଇଛି। ହେଲେ ଆର୍‌ଏମ୍‌ସି ପକ୍ଷରୁ ଯେଉଁ ସ୍ଥାନରେ ପ୍ରକଳ୍ପଗୁଡ଼ିକର ତାଲିକା ଦିଆଯାଇଛି, ସେଠାରେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ସେକ୍ଟର-୨୧ ନୟାବଜାର ସ’ ମିଲ୍‌ ନିକଟରେ ଗୋଟିଏ କି ଦୁଇଟି ନୁହେଁ ୨୧ଟି ପ୍ରକଳ୍ପ କରାଯାଇଛି। ପୁଣି ନୟାବଜାର କୁଷ୍ଠବସ୍ତିରେ ୨୦, ଆଇନ ମହାବିଦ୍ୟାଳୟ ନିକଟରେ ୧୨ଟି ପ୍ରକଳ୍ପ ହୋଇଛି। ୩୦% କାମ ଠିକ୍‌ ଥିଲାବେଳେ ବାକି ୭୦% କାମ ବହୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। କେଉଁଠି ନନ୍ଦଗୁଡ଼ିକ ମାଟିରେ ପୋତିଗଲାଣି ତ ଅନ୍ୟ କେଉଁଠି ମାଟିରେ ମିଶିଗଲାଣି। ରାଉରକେଲା ଶଳ୍ପାଞ୍ଚଳରେ ଜଳ ଅମଳ ପ୍ରକଳ୍ପ ହୋଇଥିବା ସ୍ଥାନରେ ଏବେ ଡ୍ରେନ୍‌ ନିର୍ମାଣ କାମ ଚାଲିଛି। ବିଲ୍‌ ହେଲା ପରେ ପ୍ରକଳ୍ପଗ୍ଡ଼ିକ କୁଆଡେ ଉଭାନ୍‌ ହୋଇଯାଇଛି। ଆଉ କିଛି ସ୍ଥାନରେ ପ୍ରକଳ୍ପର ଚିହ୍ନ ବର୍ଣ୍ଣ ବି ନାହିଁ।

publive-image

ସେକ୍ଟର -୨୧ ଓଏସ୍‌ଏପି ବାଟାଲିୟନରେ ୨୦ଟି, ଉଦିତନଗର ମାଇନିଂ କାର୍ଯ୍ୟାଳୟ ଚତୁଃପାର୍ଶ୍ବରେ ୧୨ଟି, ଆର୍‌ଏମ୍‌ସି କ୍ବାର୍ଟର୍ସ ପାଖରେ ୨୪ଟି, ଆଇଟିଆଇ ଶାନ୍ତିନଗରରେ ୨୮ଟି, ଦେଓଗାଁ ଦେହୁରି ବସ୍ତିରେ ୧୮ଟି, ସିଭିଲଟାଉନସିପ୍‌ ଖଟାଲ ବସ୍ତିରେ ୫ କି ୧୦ ନୁହେଁ ୩୦ଟି ପ୍ରକଳ୍ପ କରାଯାଇଛି। ପାନପୋଷ ୱାଟ୍‌କୋ କାର୍ଯ୍ୟାଳୟ ପରିସରରେ ୨୪ଟି, ବେଦବ୍ୟାସ ସେଣ୍ଟ ଆର୍ନୋଲୋଡ ଇଂରାଜୀ ମାଧ୍ୟମ ସ୍କୁଲରେ ଚତୁଃପାର୍ଶ୍ବରେ ୨୮ଟି ପ୍ରକଳ୍ପ କରାଯାଇଛି। ବେଦବ୍ୟାସ ଆଇଡିସିରେ ୨୧ଟି, ସିଂହଟୋଲାରେ ୬ଟି, ନଦୀଟୋଲା ପଡ଼ିଆରେ ୬ଟି ଜଳ ଅମଳ ପ୍ରକଳ୍ପ ହୋଇଛି। ଏମିତି ଭାବେ ୪୦ ୱାର୍ଡରେ ଗୋଟିଏ ଗୋଟିଏ ସ୍ଥାନରେ ଅନ୍ୟାବଶ୍ୟକ ଭାବେ ୫ରୁ ୧୦ଟି ପ୍ରକଳ୍ପ କରି ବିଲ୍‌ ଉଠାଯାଇଛି। ଆଶ୍ଚର୍ଯ୍ୟର କଥା ଦୁର୍ନୀତି ଲୁଚାଇବାକୁ ଅଧିକାଂଶ ସ୍ଥାନରେ ସୂଚନା ଫଳକ ଲଗାଯାଇ ନାହିଁ। କିଛି ସ୍ଥାନରେ କାନ୍ଥରେ ସେମିତି ଲେଖିଦିଆଯାଇଛି।

ମୁକ୍ତା ଯୋଜନାର ବଡ଼ ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ବିଜେପିର ବରିଷ୍ଠ ନେତା ନିହାର ରାୟ ମୁକ୍ତା‌ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି କହିଛନ୍ତି। ଆର୍‌ଏମ୍‌ସିରେ ୯ ବର୍ଷ ଧରି ନିର୍ବାଚିତ ପ୍ରତିନିଧି ନଥିବାରୁ ଏଭଳି ପ୍ରତ୍ୟେକ କାମରେ ଦୁର୍ନୀତି ହେଉଛି। ଆର୍‌ଏମ୍‌ସି ଯେଉଁ ଜଳ ଅମଳ ପ୍ରକଳ୍ପ ତାଲିକା ଦେଇଛି ତା’ର ସ୍ବତନ୍ତ୍ର ତଦନ୍ତ ହେବା ଦରକାର। ବିଜେଡି ନଗର ସଭାପତି ଗଗନ ପଣ୍ଡା ଯଦି ନିମ୍ନମାନର କାମ ହୋଇଛି ତଦନ୍ତ ହେବା ଆବଶ୍ୟକତା ରହିଛି। ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ବୀରେନ ସେନାପତି ପ୍ରକଳ୍ପ ଏସ୍‌ଏଚ୍‌ଜି କରି ନାହାନ୍ତି, ବରଂ ସେମାନଙ୍କ ନାଁରେ ଶାସକ ଦଳର ନେତାଙ୍କୁ ବାଣ୍ଟି ଦିଆଯାଇଛି ବୋଲି କହିଛନ୍ତି। ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀ ଏସ୍‌ଏଚ୍‌ଜିର ଭିତିରି ସଲାସୁତୁରା ହୋଇଥିବା କାମର ଭିଜିଲାନ୍ସ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକତା ରହିଛି।