ରାଇରଙ୍ଗପୁର: ସରକାର ପୌରପରିଷଦ ଗୁଡିକୁ ସରସ ସୁନ୍ଦର କରିବା ଓ ଜନ ସାଧାରଣଙ୍କ ସୁବିଧା ପାଇଁ ମାଳମାଳ ଯୋଜନା କରିଛନ୍ତି। ସେଥି ମଧ୍ୟରୁ ମୁକ୍ତା ଯୋଜନା ଅନ୍ୟତମ। ମୁକ୍ତା ଯୋଜନାରେ ପୌରପରିଷଦର ବିଭିନ୍ନ ୱାର୍ଡରେ ଜନ ହିତକର କାର୍ଯ୍ୟ କରାଯାଇଛି। ବର୍ଷା ଜଳ ସଂଚୟ ନିମନ୍ତେ, ବନ୍ଧ ଓ ପୋଖରୀ ସୌନ୍ଦର୍ଯ୍ୟକରଣ, ରାସ୍ତା ପାର୍ଶ୍ୟରେ ମିନି ପାର୍କ, ବ୍ୟାୟାମ କରିବା ପାଇଁ ବିଭିନ୍ନ ୱାର୍ଡରେ ବ୍ୟାୟାଶାଳା ସମେତ ବିଭିନ୍ନ ପ୍ରକଳ୍ପମାନ କରାଯାଉଛି। ତେବେ ରାଇରଙ୍ଗପୁର ୨ ନଂ ୱାର୍ଡ (ମହୁଲଡିହା) ହାଟ ପାର୍ଶ୍ୟରେ ଥିବା ବଡ ବନ୍ଧରେ ଦୁଇ ବର୍ଷ ପୂର୍ବରୁ କୋଟିକୋଟି ଟଙ୍କା ବିନିମୟରେ ଜଳାଶୟ ସୌନ୍ଦର୍ଯ୍ୟକରଣ(ନବୀକରଣ) କରାଯାଇଥିଲା। ଚାରିପାର୍ଶ୍ବରେ ସିମେଣ୍ଟରେ ବନ୍ଧା ଯିବା ସହିତ ପେଭର୍ ବ୍ଲକ୍ ଇଟାରେ ନିର୍ମାଣ କରାଯାଇଥିଲା। ଏପରିକି ଉକ୍ତ ବନ୍ଧ ପରିସରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କିଛି ମାସ ପୂର୍ବରୁ ଏକ ବିଶାଳକାୟ ଜାତୀୟ ପତାକାକୁ ଉଦଘାଟନ କରିଥିଲେ। ଫଳରେ ବନ୍ଧଧର ସୌନ୍ଦର୍ଯ୍ୟ ୧୦ ଗୁଣା ଅଧିକା ବଢିଯାଇଥିଲା। ପୋଖରୀରର ଜଳ ମଧ୍ୟ କାଚ କେନ୍ଦୁ ପରି ବିଭିନ୍ନ ରଙ୍ଗର ଆଲୋକରେ ଝଲସୁଥିଲା।

Advertisment

ସୌନ୍ଦର୍ଯ୍ୟ ଯୋଗୁଁ ଉକ୍ତ ମିନିପାର୍କକୁ ଛୋଟଛୋଟ ଛୁଆ ଠାରୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ଯାଇ ସମୟ ଅତିବାହିତ କରୁଥିଲେ ଏବଂ ପ୍ରତ୍ୟେକ ଦିନ ଶହ ଶହ ଲୋକେ ପ୍ରାତଃଭ୍ରମଣ ପାଇଁ ମଧ୍ୟ ଆସୁଥିଲେ। ତେବେ ରଥଯାତ୍ରା ପୂର୍ବରୁ ନାଳନର୍ଦ୍ଧମା ସଫା କରିବା ପରେ ବନ୍ଧ ରାସ୍ତାର ବିପରୀତ ପାର୍ଶ୍ବରେ ମାଛ ମର୍କେଟଠାରେ ମାତ୍ର ୨୦ ଫୁଟ୍ ଦୂରରେ ସହରର ସମସ୍ତ ଅଳିଆ ଆବର୍ଜନା ସେଠାରେ ଡମ୍ପିଂ କରାଯାଉଛି। ଯାହାଫଳରେ ସେହି ଅଂଚଳ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଅଳିଆ ଆବର୍ଜନାରୁ ଦୂର୍ଗନ୍ଧ ହେଉଥିବାରୁ ପାର୍କରେ ବସିବା ଓ ପ୍ରାତଃ ଭ୍ରମଣ ପାଇଁ ମଧ୍ୟ ଅସମ୍ଭବ ହୋଇପଡୁଛି। ଅଳିଆ ଗଦାକୁ ସେଠାରେ ଡମ୍ପିଂ ପାଇଁ ବାରମ୍ବାର ବିରୋଧ କରୁଛନ୍ତି ସହର ବାସିନ୍ଦା ସହର ବାସିନ୍ଦଙ୍କ ଅଭିଯୋଗ ଅନୁଯାୟୀ ପୂର୍ବରୁ ମଧ୍ୟ ପୌରପରିଷଦର ବିଭିନ୍ନ ଅଂଚଳର କୁଢ କୁଢ ଅଳିଆ ଆବର୍ଜନା ସେଠାରେ ପକାଯାଉଥିଲା।

ତେବେ ସହର ବାସିନ୍ଦା ଅଭିଯୋଗ କରିବା ପରେ ପୌରପରିଷଦ ପକ୍ଷରୁ ଉକ୍ତ ସ୍ଥାନରୁ ଶହ ଶହ ଟ୍ରାକ୍ଟର ମଇଳା ଆବର୍ଜ୍ଜନା ସେଠାରୁ ହଟାଇ ଦିଆଯାଇଥିଲା। ତେବେ କିଛିଦିନ ହେବ ପୁଣିଥରେ ସହରର ବିଭିନ୍ନ ସ୍ଥାନର ଅଳିଆ ଆବର୍ଜନା ଟ୍ରାକ୍ଟର ସାହାର୍ଯ୍ୟରେ ପକାଯାଉଛି। ବର୍ତ୍ତମାନ ଛଟ ପାହାଡ ସଦୃଶ୍ୟ ହେଉଛି। ବର୍ତ୍ତମାନ ବର୍ଷା ଋତୁ ଥିବାରୁ ବର୍ଷା ପାଣିରେ ଅଳିଆ ଭାସି ଆସି୍ ୨୨୦ ନଂ ଜାତୀୟ ରାଜପଥରେ ମଧ୍ୟ ଅଳିଆ ଜମିଗଲାଣି। ଯାହାଫଳରେ ଉକ୍ତ ଜାତୀୟ ରାଜପଥ ଦେଇ ଗଲେ ତାଙ୍କ ନାକ ମଧ୍ୟ ଫାଟିଯାଉଛି। ଏଣୁ ଉକ୍ତ ସ୍ଥାନରେ ଅଳିଆ ନ ପକାଇ ଅନ୍ୟ ସ୍ଥାନରେ ଅଳିଆ ପକାଯାଉ ବୋଲି ଦାବି ହେଉଛି। ଏ ସମ୍ବନ୍ଧରେ ପୌରପରିଷଦର ନିର୍ବାହୀ ଅଧିକାରୀ ପୀତାମ୍ବର ନାୟକଙ୍କ ସହିତ ଯୋଗାଯୋଗ କରିବାରୁ ସେ ଆସନ୍ତାକାଲି ଉକ୍ତ ସ୍ଥାନକୁ ଯାଇ ଦେଖିବେ ଏବଂ ସେଠାରୁ ଅଳିଆ ଆବର୍ଜନା ହୋଇଟାଇବା ପାଇଁ ସଫେଇ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।