ରାଉରକେଲା: ସରକାରଙ୍କ ମୁକ୍ତା ଯୋଜନାରେ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଆତ୍ମନିର୍ଭରଶୀଳ ହେଉଛନ୍ତି। ଏହି ଯୋଜନା ଅଧୀନରେ ସେକ୍ଟର-୨୦ ମିଶ୍ର ଖଟାଲଠାରେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ହୋଇଛି। ରାଉରକେଲା ମହାନଗର ନିଗମ (ଆରଏମ୍‌ସି) ପକ୍ଷରୁ ସେକ୍ଟର-୨୦ ଅଞ୍ଚଳର ୫ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏହି ପ୍ରକଳ୍ପ କାମ ଦିଆଯାଇଥିଲା। ମହିଳା ଗୋଷ୍ଠୀର ସଦସ୍ୟାମାନେ ଜଣେ ଠିକାଦାରଙ୍କୁ ସେହି ପ୍ରକଳ୍ପ ନିର୍ମାଣ କାମ ଦେଇଥିଲେ। ପ୍ରକଳ୍ପ ନିର୍ମାଣ ଶେଷ ହୋଇଗଲା କିନ୍ତୁ ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଦିନେ ବି ସେହି ସ୍ଥାନକୁ ଯାଇ ଯାଞ୍ଚ କଲେନି। ପ୍ରକଳ୍ପ ନିର୍ମାଣ ହେବାର ଦୁଇ ମାସ ବି ଯାଇନି, ସିମେଣ୍ଟରେ ଯୋଡ଼ା ହୋଇଥିବା ଇଟାଗୁଡ଼ିକ ସବୁ ଖସି ଗଲାଣି। ପ୍ରକଳ୍ପ ନିର୍ମାଣ ହେବା ବେଳେ ଲୋକେ ଠିକାଦାରଙ୍କୁ ବିରୋଧ କରିଥିଲେ। ଆର୍‌ଏମ୍‌ସି କମିସନରଙ୍କୁ ଏ ସଂପର୍କରେ ଜଣାଇଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଦିନେ ହେଲେ ସ୍ଥାନୀୟ ଲୋକଙ୍କ ସପକ୍ଷରେ ଆର୍‌ଏମ୍‌ସି ଅଧିକାରୀ କିମ୍ବା କର୍ମଚାରୀ ବାହାରିନାହାନ୍ତି। ସ୍ଥାନୀୟ ଲୋକଙ୍କ ଦାବି ଉପରେ ଆରଏମ୍‌ସି କର୍ତ୍ତୃପକ୍ଷ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି।

Advertisment

ସୂଚନା ଅନୁଯାୟୀ, ମିଶ୍ର ଖଟାଲରେ ଏକ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା। ସେହି ସ୍ଥାନରେ ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଆରଏମ୍‌ସି ପକ୍ଷରୁ ସ୍ଥିର କରାଯାଇଥିଲା। ସେକ୍ଟର-୨୦ ଅଞ୍ଚଳର ୫ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ୪୦ ଲକ୍ଷରୁ ଅଧିକ ଟଙ୍କାରେ ଏହି ପ୍ରକଳ୍ପ ନିର୍ମାଣ କାମ ଦିଆଯାଇଥିଲା। ୧୨୦ରୁ ଅଧିକ ପିଟ୍ ଓ ଚ୍ୟାମ୍ବର ନିର୍ମାଣ ହେବ ବୋଲି ଯୋଜନା ଥିଲା। ଆର୍‌ଏମ୍‌ସି ପକ୍ଷରୁ କେଉଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କେତୋଟି ଚ୍ୟାମ୍ବର ନିର୍ମାଣ କରିବେ ତାହା ମଧ୍ୟ ବଣ୍ଟନ କରାଯାଇଥିଲା। ଗୋଟିଏ ପିଟ୍ ନିର୍ମାଣ ପାଇଁ ୩୨,୫୦୦ ଟଙ୍କା ଖର୍ଚ୍ଚ ହୋଇଛି। ମହିଳା ଗୋଷ୍ଠୀର ସଦସ୍ୟାମାନେ ନିଜେ ଏହି ପ୍ରକଳ୍ପ ନିର୍ମାଣ ନକରି ଜଣେ ଠିକାଦାରଙ୍କୁ ଏହି କାମ ଦେଇଥିଲେ। ଗତ ବର୍ଷ ନଭେମ୍ବର-ଡିସେମ୍ବର ମାସରେ ଠିକାଦାର ପ୍ରକଳ୍ପ ନିର୍ମାଣ କରିଥିଲେ।

ନିମ୍ନମାନର କାମ ହେଉଥିବାର ଦେଖି ଲୋକେ ଠିକାଦାରଙ୍କୁ ଭୀଷଣ ବିରୋଧ କରିଥିଲେ। ସ୍ଥାନୀୟ ଲୋକଙ୍କ ସହ ଠିକାଦାରଙ୍କ କଥା କଟାକଟି ହୋଇଥିଲା। ପରେ ଆର୍‌ଏମ୍‌ସି କମିସନରଙ୍କୁ ଭେଟି ଏ ସଂପର୍କରେ ଜଣାଇଥିଲେ। ଅଳ୍ପ କେତେ ଦିନ ପାଇଁ ଠିକାଦାର ଜଣଙ୍କ କାମ ବନ୍ଦ କଲେ। ତା’ ପରେ ପୁଣି କାମ ଆରମ୍ଭ ହୋଇଥିଲା। କାମ ଶେଷ ହେବାର ୨ ମାସ ଯାଇନି, ସିମେଣ୍ଟରେ ଯୋଡ଼ା ହୋଇଥିବା ଇଟାଗୁଡ଼ିକ ହାତ ମାରୁମାରୁ ଉଠି ଯାଉଛି। ଏହାର ଫାଇଦା ନେଇ କିଛି ସ୍ଥାନୀୟ ଲୋକେ ଇଟାଗୁଡ଼ିକ ଚୋରି କରିନେଉଛନ୍ତି। ବର୍ଷା ଜଳକୁ ସଂରକ୍ଷଣ କରିବା ପାଇଁ ସରକାର ଯେଉଁ ଉଦ୍ଦେଶ୍ୟ ନେଇ ଯୋଜନା କରିଥିଲେ, ତାହା ଏବେ ପାଣି ଭଳି ମି‌ଳେଇ ଗଲାଣି। ଏଠାରେ ପ୍ଲାନ୍ ଅନୁଯାୟୀ କୌଣସି କାର୍ଯ୍ୟ ହୋଇନାହିଁ। ବର୍ଷା ପାଣି ପିଟ୍ ଚ୍ୟାମ୍ବରରେ ସଂରକ୍ଷଣ ହୋଇଥାଏ। ଏଠାରେ କିନ୍ତୁ ପିଟ୍ ଯଦି ପାଣି ଆସେ ତେବେ ପିଟ୍‌ରୁ ହିଁ ବାହାରକୁ ପାଣି ବାହାରି ଯିବ। ସ୍ଥାନୀୟ ଲୋକେ ଏସବୁ କାମ ଦେଖି ବିରୋଧ କରିଥିଲେ ମଧ୍ୟ ଆରଏ୍‌ମସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।