ସ୍ୱୀକୃତିପ୍ରାପ୍ତ ପଞ୍ଜିିକାର ତିଥି ହିଁ ଗ୍ରହଣୀୟ: ମୁକ୍ତିମଣ୍ଡପ

ପୁରୀ : ମହାଶିବରାତ୍ରି ତିଥିକୁ ନେଇ ବିବାଦ ଦେଖାଦେବା ପରେ ପାଞ୍ଜିକୁ ନେଇ ପ୍ରଶ୍ନ ଉଠିଛି। ପାଞ୍ଜିରେ ତିଥି ମେଳ ଖାଉନଥିବାରୁ ସାଧାରଣ ଜନତା ଦ୍ଵନ୍ଦ୍ୱରେ ପଡ଼ୁଛନ୍ତି। ପାଞ୍ଜିଗଣନାକୁ ନେଇ ବିଭିନ୍ନ ବଡ଼ ବଡ଼ ପର୍ବର ତିଥିବାର ଧାର୍ଯ୍ୟ ହେଉଥିବା ବେଳେ ପାଞ୍ଜି ଉପରେ ପ୍ରତ୍ୟେକେ ନିର୍ଭର କରୁଥିବାରୁ ଏଭଳି ଦ୍ଵନ୍ଦ୍ୱ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରୁଛି। ଓଡ଼ିଶାର ଗୋଟିଏ ପାଞ୍ଜି ଓ ରାଜ୍ୟ ବାହାରେ ସବୁଠି ୧୩ ତାରିଖରେ ମହାଶିବରାତ୍ରି ପାଳନ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଓଡ଼ିଶାର ଅନ୍ୟ ସମସ୍ତ ପାଞ୍ଜିରେ ୧୪ ତାରିଖ ପାଳନୀୟ ଦର୍ଶାଯାଇଛି। ଏହି ପାଞ୍ଜିଗୁଡ଼ିକ ଗଣନା ମୁତାବକ ମହାଶିବରାତ୍ରି ୧୪ରେ ପାଳିତ ହୋଇଛି। ତେବେ ଆଗକୁ ଦୋଳ ପୂର୍ଣ୍ଣିମା ଆସୁଛି। ଏହି ପୂର୍ଣ୍ଣିମାରେ ମଧ୍ୟ ଗଣନା ଭୁଲ ହୋଇଥିବା ଖଡ଼ିରତ୍ନ ପାଞ୍ଜିର ଗଣକ ଗଙ୍ଗାଧର ମିଶ୍ର କହିଛନ୍ତି। ତେବେ ମୁକ୍ତିମଣ୍ଡପ ପଣ୍ଡିତ ସଭା ଏହାକୁ ନେଇ ସ୍ପଷ୍ଟ କରିଛି। ୨୦୧୮-୧୯ ମସିହା ପାଇଁ ରାଧାରମଣ ପ୍ରେସ୍‌ର ଜଗନ୍ନାଥ ପଞ୍ଜିକା, ବିଶୁଦ୍ଧ ଖଡ଼ିରତ୍ନ ପଞ୍ଜିକା ଓ ଭାଗ୍ୟଜ୍ୟୋତି ପ୍ରେସ୍‌ର ଶ୍ରୀଜଗନ୍ନାଥ ପଞ୍ଜିକା, ବିସ୍ତୃତ ଖଡ଼ିରତ୍ନ ପଞ୍ଜିକାର ପାଣ୍ଡୁଲିପି ମୁକ୍ତିମଣ୍ଡପ ପଣ୍ଡିତସଭା ଦ୍ଵାରା ସଂଶୋଧିତ ହେବା ସହ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କ ଅନୁମୋଦନ ଲାଭ କରିଛି। ଏହା ଛଡ଼ା ବଜାରରେ ଯେଉଁ ପାଞ୍ଜି ସବୁ ବିକ୍ରି ହେଉଛି ତାହା ସ୍ୱୀକୃତି ପାଇ ନାହିଁ। ଏଣୁ ପଣ୍ଡିତସଭା ଦ୍ଵାରା ସ୍ୱୀକୃତି ଲାଭ କରିଥିବା ପଞ୍ଜିକାରେ ଯଦି କୌଣସି ତିଥିକୁ ନେଇ ବିସଙ୍ଗତି ପରିଲକ୍ଷିତ ହୁଏ ତେବେ ପଣ୍ଡିତସଭା କାର୍ଯ୍ୟାଳୟରେ ଯୋଗାଯୋଗ କରି ସନ୍ଦେହ ମୋଚନ କରାଯାଇ ପାରେ ବୋଲି ସାଧାରଣ ସମ୍ପାଦକ ଭଗବାନ ମହାପାତ୍ର ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର