ରାଉରକେଲା : ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ନମିଳିବା ଯାଏ ଖରିଆାହାଲ ବସ୍ତିର ଶିଳ୍ପୀ ମୁକ୍ତିକାନ୍ତ ବିଶ୍ୱାଳ ଦିଲ୍ଲୀର ଯନ୍ତରମନ୍ତରଠାରେ ଅନଶନରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ରବିବାର ସକାଳ ୮ଟାଠାରୁ ସେ ଅନଶନରେ ବସିବେ ଏବଂ ଏଥିପାଇଁ ସଂସଦମାର୍ଗ ଥାନାକୁ ଅନୁମତି ମାଗିଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିର ୩ ବର୍ଷ ପରେ ବି ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ (ଆଇଜିଏଚ୍) ମେଡ଼ିକାଲ୍ କଲେଜରେ ରୂପାନ୍ତରିତ ନହେବା ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ହୋଇନଥିବାରୁ ମୁକ୍ତିକାନ୍ତ ଗତ ଏପ୍ରିଲ୍ ୧୬ ତାରିଖଠାରୁ ପଦଯାତ୍ରା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶ୍ରୁତି ସ୍ମରଣ କରାଇବା ଉଦ୍ଦେଶ୍ୟରେ ସେ ଏହି ପଦଯାତ୍ରା ଆରମ୍ଭ କରିଥିବାବେଳେ ଗତ ୨୭ ତାରିଖରେ ଦିଲ୍ଲୀରେ ପହଞ୍ଚଥିଲେ। ମୁକ୍ତିକାନ୍ତଙ୍କ କହିବାନୁସାରେ, ଆବାସିକ କାର୍ଯ୍ୟାଳୟ (ପିଏମ୍ଆର୍ଓ)କୁ ସେ ଦୁଇ ଦିନ ଧରି ଦୌଡ଼ିଥିଲେ। ତେବେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ଅନୁମତି ମିଳିବ କି ନାହିଁ, ସେ ସମ୍ପର୍କରେ ୭ ଦିନ ପୂର୍ବରୁ କୌଣସି ସୂଚନା ଦେବା ଅସମ୍ଭବ ବୋଲି ପିଏମ୍ଆର୍ଓର ଅଫିସର୍ମାନେ କହିଛନ୍ତି। ଫଳରେ, ସେ ଯନ୍ତରମନ୍ତରରେ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।
ଅନ୍ୟପକ୍ଷରେ, ମୁକ୍ତିକାନ୍ତଙ୍କ ପଦଯାତ୍ରାକୁ କଂଗ୍ରେସ ପ୍ରାୟୋଜିତ କହି ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ନିମନ୍ତେ ସାହାଯ୍ୟ କରିବାକୁ ମନା କରିବା ପରେ ମିଳିତ ଯୁବ ସଂଗଠନର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।