ପ୍ରକଳ୍ପ ମଡେଲ କାନ୍ଧରେ ବୋହି ପଦଯାତ୍ରାରେ ମୁକ୍ତିକାନ୍ତ

ରାଉରକେଲା : ସହରର ସ୍ବାର୍ଥ ପାଇଁ ଭୁବନେଶ୍ବର, ଦିଲ୍ଲୀ ପଦଯାତ୍ରା କରିଛନ୍ତି ମୁକ୍ତିକାନ୍ତ। କେତେବେଳେ କେନ୍ଦ୍ର ତ ଅନ୍ୟ କେତେବେଳେ ରାଜ୍ୟ ସରକାରଙ୍କ ଅବହେଳା। ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପଦଯାତ୍ରାରେ ଭୁବନେଶ୍ବର ବାହାରିଛନ୍ତି ମୁକ୍ତିକାନ୍ତ। ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ଓ କୋଏଲ ବ୍ୟାରେଜ୍‌, କୋଏଲ ନଦୀ ପାର୍ଶ୍ବ ରିଂରୋଡ ପ୍ରକଳ୍ପର ମଡେଲ୍‌ କାନ୍ଧରେ ବୋହି ସକାଳ ୭ଟାରେ ସେକ୍ଟର-୨ ବିଜୁ ପଟ୍ଟନାୟକ ଛକରୁ ଆରମ୍ଭ କରିଛନ୍ତି ପଦଯାତ୍ରା। ଦୈନିକ ୨୨ କି.ମି.ରୁ ଅଧିକ ପଦଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ରାଉରକେଲାକୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବାକୁ ଅନୁରୋଧ କରିବେ।

ପଦଯାତ୍ରା ପୂର୍ବରୁ ମୁକ୍ତିକାନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଉରକେଲା କୋଏଲ ବ୍ୟାରେଜ୍‌, କୋଏଲ ନଦୀ ପାର୍ଶ୍ବରେ ରିଂ ରୋଡ ନିର୍ମାଣ ଶିଳାନ୍ୟାସ କରିଥିଲେ। କିନ୍ତୁ ଆଜି ଯାଏ ତାହା କେବଳ ଶିଳନ୍ୟାସରେ ରହିଯାଇଛି। ଆର୍‌ଜିଏଚ୍‌କୁ ଭୁବନେଶ୍ବର ପରି କ୍ୟାପିଟାଲ ସୁବିଧା ମିଳୁନି। ଆର୍‌ଜିଏଚ୍‌ରେ ଭେଣ୍ଟିଲେଟର, କାର୍ଡିଲୋଜିଷ୍ଟ, ନେଫ୍ରୋଲୋଜିଷ୍ଟ, ନ୍ୟୁରୋଲୋଜିଷ୍ଟ ଆଦି ଡାକ୍ତର ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଓଡ଼ିଶାର ବିଶ୍ରା ଓ ନୂଆଗାଁ ପରିବା ଚାଷର ଗନ୍ତାଘର। ଆଜି ଏହି ଦୁଇଟି ବ୍ଲକରେ ଶୀତଳଭଣ୍ଡାର ହୋଇପାରିଲାନି। ଫଳରେ ପରିବାଚାଷୀ ସ୍ବଳ୍ପ ଦାମରେ ପନିପରିବା ବିକିବାକୁ ବାଧ୍ୟ ହେଉଛନ୍ତି।

ସହରବାସୀଙ୍କ ସ୍ବାର୍ଥଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରନ୍ତୁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୮ ଏପ୍ରିଲ ୧୬ରେ ମୁକ୍ତିକାନ୍ତ ଦ୍ବିତୀୟ ବ୍ରାହ୍ମଣୀ ସେତୁ, ଆଇଜିଏଚ୍‌ ସୁପରସ୍ପେଶିଆଲିଟି ହସ୍ପିଟାଲ କାର୍ଯ୍ୟକ୍ଷମ ଦାବିରେ ରାଉରକେଲାରୁ ୧୬୦୦ କି.ମି. ଦିଲ୍ଲୀ ପଦଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ନ ହେବାରୁ ଫେରି ଆସିଥିଲେ। ପରେ ରାଉରକେଲାରୁ ଭୁବନେଶ୍ବର ପଦଯାତ୍ରା ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଦୁଇଟି ପ୍ରକଳ୍ପକୁ ରାଜ୍ୟ ସରକାର କରନ୍ତୁ ବୋଲି ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର