ନିରଞ୍ଜନ ଓ ନରସିଂହଙ୍କୁ ଭେଟିଲେ ମୁକ୍ତିକାନ୍ତ

ମୌସୁମୀ ଅଧିବେଶନରେ କଂଗ୍ରେସ ଉଠାଇବ ପ୍ରସଙ୍ଗ

ଭୁବନେଶ୍ୱର : ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲ ଓ ରାଉରକେଲାରେ ଆଇଜିଏଚ୍‌କୁ ସୁପର୍‌ ସ୍ପେସିଆଲିଟି ହସ୍ପିଟାଲ୍‌ ଦାବିରେ ଅଭିଯାନ ଚଳାଇଥିବା ମୁକ୍ତିକାନ୍ତ ବିଶ୍ୱାଳ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟିଛନ୍ତି। ବିଧାନସଭାର ଆସନ୍ତା ମୌସୁମୀ ଅଧିବେଶନରେ କଂଗ୍ରେସ ଦଳ ଏହି ପ୍ରସଙ୍ଗ ଗୃହରେ ଉଠାଇବ ବୋଲି ଉଭୟ ନେତା ପ୍ରତିଶ୍ରୁତି ଦେଇଛନ୍ତି।

ବିରୋଧୀ ଦଳ ନେତା କହିଛନ୍ତି, ଏକ ଆଦିବାସୀ ଜିଲ୍ଲାରୁ ଏହି ଯୁବକ ଓଡ଼ିଶାର ବିକାଶ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ନିମନ୍ତେ ନୂଆଦିଲ୍ଲୀ ଚାଲି ଚାଲି ଯାଇଥିଲେ। କିନ୍ତୁ ନିଜକୁ ଦେଶର ସେବକ ଭାବେ ଦାବି କରୁଥିବା ପ୍ରଧାନମନ୍ତ୍ରୀ ତାଙ୍କୁ ସାକ୍ଷାତ ଦେଲେ ନାହିଁ କି ରାଜ୍ୟ ବିକାଶ କଥା ଆଲୋଚନା ପାଇଁ ଚାହିଁଲେନି। ବିରୋଧୀ ଦଳ ନେତା ଭାବେ ମୁଁ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। ଗରିବଙ୍କ ପାଇଁ କାନ୍ଦୁଥିବା ଓ ସବୁବେଳେ ବିକାଶର କଥା କହୁଥିବା ପ୍ରଧାନମନ୍ତ୍ରୀ ମୋ ଚିଠିର ଉତ୍ତର ଦେବା ଦୂରର କଥା, ପ୍ରାପ୍ତି ସ୍ୱୀକାର ବି ଜଣାଇଲେ ନାହିଁ। ଆସନ୍ତା ବିଧାନସଭା ଅଧିବେଶନରେ କଂଗ୍ରେସ ଏହି ପ୍ରସଙ୍ଗ ଗୃହରେ ଉଠାଇବ।

ମୁକ୍ତିକାନ୍ତ କହିଥିଲେ, ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ। ମୋତେ ଭେଟିବାକୁ ଅନୁମତି ତ ମିଳିଲା ନାହିଁ, ବରଂ ଲଜ୍ଜିତ କରାଗଲା। ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ପରେ ସେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି। ଆଜି ପିସିସି ସଭାପତି ଓ ବିରୋଧୀ ଦଳ ନେତା ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର