ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଉରକେଲାବାସୀଙ୍କ ଗୁହାରି ଜଣାଇବାକୁ ୭ ଦିନ ତଳୁ ପଦଯାତ୍ରାରେ ଆସିଥିବା ମୁକ୍ତିକାନ୍ତ ବିଶ୍ବାଳ ବୁଧବାର ଦିନ ଭୁବନେଶ୍ବରକୁ ହୁଲୁସ୍ତୁଲ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଖାକରିବାକୁ ସୁଯୋଗ ନଦେବାରୁ ସେ ବୁଧବାର ଦିନ ଆତ୍ମାହୁତି ଉଦ୍ୟମ କରି ରାଜଧାନୀରେ ହଇଚଇ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଦାବି କରି ସେ ଶିଶୁଭବନ ଛକସ୍ଥିତ ଏକ ୫୦ ଫୁଟ୍‌ ଉଚ୍ଚର ବିଜ୍ଞାପନ ହୋର୍ଡିଂ ଉପରୁ ତଳକୁ ଡେଇଁପଡ଼ିବାକୁ ଧମକ ଦେଉଥିବା ବେଳେ ପୁଲିସ ଓ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିବାକୁ ନାକେଦମ୍‌ ହୋଇଛି। ପ୍ରାୟ ସାଢ଼େ ୫ ଘଣ୍ଟାର ଝାଳନାଳବୁହା ଅପରେସନ୍‌ ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଏବଂ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମାନସିକସ୍ଥିତି ସନ୍ତୁଳିତ ଅବସ୍ଥାରେ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ବହୁ ଦୂର ଚାଲିବା, ଥଣ୍ଡାରେ ଧାରଣା ଦେଇ ବସିବା ଭଳି ବିଭିନ୍ନ କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବାରୁ ମାନସିକ ଅବସ୍ଥା ଭଲ ନାହିଁ। ତେବେ ଚିକିତ୍ସା ଆରମ୍ଭ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ହସ୍ପିଟାଲରୁ ବାହାରିବା ପ‌ରେ ତାଙ୍କୁ ଗିରଫ କରାଯିବ କି ପରିବାର ଲୋକଙ୍କ ଜିମାରେ ଛଡ଼ାଯିବ, ସ୍ପଷ୍ଟ ହୋଇନାହିଁ।

Advertisment

publive-image

ବୁଧବାର ସକାଳ ପ୍ରାୟ ସାଢ଼େ ୯ଟା ବେଳେ ହଠାତ୍ ଶିଶୁଭବନ ଛକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଯାନବାହାନ ସବୁ ଅଟକି ଯାଇଥିଲେ। ଜଣେ ଯୁବକ ୫୦ ଫୁଟ୍‌ ଉଚ୍ଚର ହୋର୍ଡିଂ ଉପରେ ରହି ଚିତ୍କାର କରୁଥିଲେ। ତଳକୁ ଡେଇଁପଡ଼ି ଆତ୍ମହତ୍ୟା କରିବେ ବୋଲି ଧମକ ଦେଉଥିଲେ। ତଳେ ଥିବା କିଛି ପୁଲିସ କର୍ମଚାରୀ ତାଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ସେ କିଛି ଶୁଣୁନଥିଲେ। ବୁଝୁବୁଝୁ ଜଣାଗଲା ଯେ ସେ ହେଉଛନ୍ତି ମୁକ୍ତିକାନ୍ତ ବିଶ୍ବାଳ। ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ସେ ରାଉରକେଲାରୁ ଚାଲିଚାଲି ଭୁବନେଶ୍ବର ଆସିଥିଲେ। ମାତ୍ର ପୁଲିସ ଅଟକାଇବାରୁ ସେ ଶିଶୁଭବନ ଛକରେ ଧାରଣାରେ ବସିଥିଲେ। ଏହା ଭିତରେ ୭ ଦିନ ବିତିଯିବାରୁ ଆଜି ସେ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ। ଏହି ଖବର ପ୍ରଚାରିତ ହୋଇଯିବା ପରେ ସେଠା‌ରେ ଉଚ୍ଚପଦସ୍ଥ ପୁଲିସ ଅଧିକା‌ରୀମାନଙ୍କ ସହ ଅଗ୍ନିଶମ ବାହିନୀ ପହଞ୍ଚିଥିଲା।

publive-image

ପୁଲିସ ଓ ଅଗ୍ନିଶମ ବିଭାଗ ଅଧିକାରୀ, କର୍ମଚାରୀମାନଙ୍କୁ ଦେଖିବା ପରେ ସେ ଆହୁରି ରାଗି ଯାଇଥିଲେ ଏବଂ ଦେହରେ ଡିଜେଲ୍‌ ଢାଳି ନିଆଁ ଲଗାଇଦେବେ ବୋଲି ଚେତାବନୀ ଦେଇଥିଲେ। ତାଙ୍କ ହାତରେ ଏକ ଡିଜେଲ୍‌ ଭର୍ତ୍ତି ବୋତଲ ଦେଖି ସମସ୍ତେ ଉଦ୍ଧାର କାର୍ଯ୍ୟରୁ ପଛଘୁଞ୍ଚା ଦେଇଥିଲେ। ତେବେ ପୁଲିସ ଅଧିକାରୀମାନେ ମୁକ୍ତିକାନ୍ତଙ୍କୁ ବୁଝାସୁଝା କରିବା ଜାରି ରଖିଥିଲେ। ଏମିତିକି ତଳକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କୁ ନିଶ୍ଚୟ ଭେଟ କରାଯିବ ବୋଲି ଅଧିକାରୀମାନେ କହିଥିଲେ। କିନ୍ତୁ ମୁକ୍ତିକାନ୍ତଙ୍କ ଗୋଟିଏ ଜିଦ୍‌ ଥିଲା ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ଲିଖିତ ପ୍ରତିଶ୍ରୁତି ଦେଲେ ସେ ତଳକୁ ଓହ୍ଲାଇବେ। ଏମିତି କଥା କଟାକଟିରେ ସମୟ ଗଡ଼ିଚାଲିବା ସହ ଶିଶୁଭବନ ଛକରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିଲା। ତେଣୁ ପୁଲିସ ଓ ଅଗ୍ନିଶମ ବିଭାଗ ଅଧିକାରୀମାନେ ଆଉ କାଳବିଳମ୍ବ ନକରି ଅପରେସନ୍‌ ଆରମ୍ଭ କରିଦେଲେ। ହୋର୍ଡିଂ ତଳେ ଜାଲ ବିଛାଇ ଦିଆଗଲା ଏବଂ ଡିଜେଲ୍‌ରେ ନିଆଁ ନଧରିବା ପାଇଁ ମୁକ୍ତିକାନ୍ତ ଉପରକୁ ପ୍ରବଳ ପାଣି ମାଡ଼ କରାଗଲା। ତଳୁ ଓ ନିକଟସ୍ଥ କୋଠାର ଛାତରେ ରହି ଅଗ୍ନିଶମ କର୍ମଚାରୀମାନେ ତାଙ୍କ ଉପରକୁ ପାଣି ମାଡ଼ କରିଥିଲେ। ଏହା ଭିତରେ କିଛି କର୍ମଚାରୀ ହୋର୍ଡିଂରେ ଚଢ଼ିବା ବେଳେ ଆଉ କିଛି କର୍ମଚାରୀ ହାଇଡ୍ରୋଲିକ୍‌ ଲିଫ୍‌ଟ ସାହାଯ୍ୟରେ ହୋର୍ଡିଂ ଉପରକୁ ଯାଇଥିଲେ। ଶେଷରେ ହୋର୍ଡିଂ ଉପରେ ହିଁ ତାଙ୍କୁ କାବୁ କରାଯାଇଥିଲା ଏବଂ ତଳକୁ ଅଣଯାଇଥିଲା। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀର ୩ଜଣ ଅଫିସର, ୩୦ଜଣ କର୍ମଚାରୀ ସାମିଲ ହୋଇଥିଲେ ବୋଲି ଅପରେସନ୍ ନିୟନ୍ତ୍ରଣ କରୁଥିବା ଡେପୁଟି ଫାୟାର୍‌ ଅଫିସର ଅବନୀ କୁମାର ସ୍ବାଇଁ କହିଛନ୍ତି।

publive-image

ମୁକ୍ତିକାନ୍ତଙ୍କ ଅଭିଯୋଗ ଯେ ୯ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଏଲ୍‌ ବ୍ୟାରେଜ୍, କୋଏଲ୍ ନଦୀ ପାର୍ଶ୍ବରେ ରିଂ-ରୋଡ୍ ନିର୍ମାଣ ପାଇଁ ଶୁଭ ଦେଇଥିଲେ। ଆର୍‌ଜିଏଚ୍‌ରେ କ୍ୟାପିଟାଲ ହସ୍ପିଟାଲ ଭଳି ଚିକିତ୍ସା ସେବା ମିଳିବ ଘୋଷଣା କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇପାରିନାହିଁ। ସେହିପରି ସହର ଉପକଣ୍ଠ ବିଶ୍ରା ଓ ନୂଆଗାଁ ପରିବା ଚାଷର ଗନ୍ତାଘର ହୋଇଥିଲେ ମଧ୍ୟ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏଥିପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସେ ଭୁଲିଯାଇଥିବାରୁ ପୁଣି ମନେପକାଇ ଦେବାକୁ ସେ ଭୁବନେଶ୍ବର ଆସିଥିଲେ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିନପାରିଲେ ସେ ଆଗାମୀ ଦିନରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଚଢ଼ି ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।