ନୂଆଦିଲ୍ଲୀରେ ମୁକ୍ତିକାନ୍ତଙ୍କ ଆତ୍ମଦାହ ଉଦ୍ୟମ: ଗିରଫ ପରେ ଜାମିନରେ ମୁକୁଳିଲେ

ରାଉରକେଲାରେ ଏମ୍‌ସ ସ୍ଥାପନ ଦାବିରେ ପଦଯାତ୍ରା କରିଥିଲେ

ରାଉରକେଲା: ନୂଆଦିଲ୍ଲୀରେ ଯୁବ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ଆତ୍ମହତ୍ୟା ଉଦ୍ୟମ କରି ଗିରଫ ହୋଇଛନ୍ତି। ଗତକାଲି ଗିରଫ ପରେ ପାର୍ଲାମେଣ୍ଟ୍‌ ଷ୍ଟ୍ରିଟ୍‌ ପୁଲିସ୍‌ ଷ୍ଟେସନରେ ତାଙ୍କୁ ରାତିସାରା ଅଟକ ରଖାଯାଇଥିଲା। ଆଜି ମଧ୍ୟାହ୍ନରେ କୋର୍ଟଚାଲାଣ କରାଯାଇଥିବାବେଳେ ଶେଷରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଯାଇଛି। ସେ ଆଗାମୀଦିନରେ ସଂସଦଭବନ ପାଖ ବିଜୟ ଛକ କିମ୍ବା ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ପ୍ରବେଶ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆସନ୍ତା ଜୁଲାଇ ୪ ତାରିଖରେ କୋର୍ଟରେ ହାଜର ହେବାକୁ ବି ନିର୍ଦ୍ଦେଶ ରହିଛି। ରାଉରକେଲାରେ ଏମ୍ସ ସ୍ଥାପନ ଓ ରାଉରକେଲା ଏୟାରପୋର୍ଟକୁ ୪ସି ଲାଇସେନ୍ସ ପ୍ରଦାନ ପାଇଁ ଗତ ଏପ୍ରିଲ ୧ ତାରିଖରେ ମୁକ୍ତିକାନ୍ତ ପଦଯାତ୍ରା ଆରମ୍ଭ କରିଥିଲେ। କାନ୍ଧରେ ପାଳରେ ତିଆରି ଶବ ଓ ହାତରେ ତ୍ରିରଙ୍ଗା ପତାକା ଧରି ରାଉରକେଲାରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ପାଖାପାଖି ୭୫ ଦିନ ପଦଯାତ୍ରା କରି ତଥା ୧୪୫୦ କିଲୋମିଟର ଅତିକ୍ରମକରି ସେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ସୋମବାର ଦିନ ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ରାଉରକେଲାବାସୀଙ୍କ ଦାବି ପ୍ରତି କେନ୍ଦ୍ର ସରକାର ଅଣଦେଖା କରୁଥିବା ଅଭିଯୋଗରେ ମୁକ୍ତିକାନ୍ତ ସଂସଦ ଭବନ ପାଖ ବିଜୟ ଛକ ନିକଟରେ ଆତ୍ମଦାହ ଉଦ୍ୟମ କରିଥିଲେ। ଦେହରେ ଡିଜେଲ ଢାଳି ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୁଲିସ ତାଙ୍କୁ କାବୁ କରିନେଇଥିଲା। ସୁରକ୍ଷିତ ଉଦ୍ଧାର ପରେ ତାଙ୍କୁ ପାର୍ଲାମେଣ୍ଟ୍‌ ଷ୍ଟ୍ରିଟ୍‌ ପୁଲିସ ଥାନାକୁ ନିଆଯାଇଥିଲା। ସେଠାରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବାସହ ରାତିସାରା ହାଜତ ଭିତରେ ରଖାଯାଇଥିଲା।

ଏ ସଂପର୍କରେ ନିଜ ପ୍ରତିକ୍ରିୟାରେ ମୁକ୍ତିକାନ୍ତ କହିଛନ୍ତି, ‘ ଗତ ୧୫ ଦିନ ହେଲା ମୁଁ ଦିଲ୍ଲୀରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିବାକୁ ଏକାଧିକବାର ଦୃଷ୍ଟି ଆକର୍ଷଣ କରିଛି। କିନ୍ତୁ ସୁଫଳ ମିଳିଲାନି। ଏମିତିକି ଧାରଣା ଦେବାକୁ ଅନୁମତି ମିଳୁନାହିଁ। ମୁଁ କିନ୍ତୁ ଦାବିପୂରଣ ନ ହେବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବି। ’
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମୁକ୍ତିକାନ୍ତ ଦ୍ଵିତୀୟ ବ୍ରାହ୍ମଣୀ ସେତୁ ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ଦାବିରେ ନୂଆଦିଲ୍ଲୀ ପଦଯାତ୍ରା କରି ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ଚେହେରା ପାଲଟିଥିଲେ।

ସମ୍ବନ୍ଧିତ ଖବର