ଅଘଟଣକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର

ଖଣ୍ଡପଡ଼ା : ରାସ୍ତା କଡ଼ରେ ବିଦ୍ୟାଳୟ ସମ୍ମୁଖରେ ମୁକୁଳା ପଡିଛି ଉଚ୍ଚ ବିଦ୍ୟୁତ ଶକ୍ତି ସମ୍ପନ୍ନ ଟ୍ରାନ୍ସଫର୍ମର। ଖଣ୍ଡପଡା ବ୍ଲକ୍‌ ବନମାଳିପୁର ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ମୁକୁଳା ଟ୍ରାନ୍ସଫର୍ମର ଏବେ ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

ନିୟମ ଅନୁଯାୟୀ ଟ୍ରାନ୍ସଫର୍ମର ଚାରିପାଖେ ତାର ବାଡ଼ ଦ୍ବାରା ଆବଦ୍ଧ କରି ଏକ ସୁରକ୍ଷିତ ଉଚ୍ଚତାରେ ବସାଯିବା କଥା। ମାତ୍ର ଦୀର୍ଘ ବର୍ଷ ହେବ ବିନା କୌଣସି ସୁରକ୍ଷାରେ ବିଦ୍ୟାଳୟ ସମ୍ମୁଖରେ ଏହା ରହିଥିଲେ ସୁଦ୍ଧା ବିଦ୍ୟୁତ୍‌ ବିଭାଗର ଦୃଷ୍ଟି ପଡୁନି। ନିକଟର ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ବିଦ୍ୟାଳୟର ରୂପରେଖ ପରିବର୍ତ୍ତନ ପାଇଁ ବିଭିନ୍ନ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏ ଅବସରରେ ସ୍ଥାନୀୟ ବିଡିଓଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉକ୍ତ ସ୍ଥାନ ପରିଦର୍ଶନ କରୁଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ସତେ ଯେମିତି ଆଖି ବୁଜିଦେଇଛନ୍ତି।

ବିଦ୍ୟାଳୟକୁ ପ୍ରତିଦିନ କୋମଳମତି ଶିଶୁମାନେ ଆସୁଥିବାବେଳେ ଅଳ୍ପ ଉଚ୍ଚତା ତଥା ବିନା ସୁରକ୍ଷାରେ ଟ୍ରାନ୍ସଫର୍ମରଟି ଥିବାରୁ କେତେବେଳ ଯେ ଅଘଟଣ ଘଟିବ ତାହା କହିହେବ ନାହିଁ। ଅନ୍ୟପକ୍ଷରେ ପ୍ରାୟ ବର୍ଷେରୁ ଅଧିକ ସମୟ ଧରି ଟାଟା ପାୱାର ବିଦ୍ୟୁତ୍‌ ବ୍ୟବସ୍ଥା ହାତକୁ ନେଇଥିଲେ ମଧ୍ୟ ଏହି ଗୁରୁତ୍ବପୂର୍ଣ ଦିଗ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ରାସ୍ତା କଡରେ ଥିବାରୁ ଗୃହପାଳିତ ପଶୁ ପକ୍ଷୀ ମଧ୍ୟ ବିଭିନ୍ନ ସମୟରେ ଏହା ସଂସ୍ପର୍ଶରେ ଆସି ପ୍ରାଣ ହରାଉଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ହସ୍ତକ୍ଷେପ କରିବାକୁ ସାଧରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର