ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସ

୧୩୩ତମ ଜୟନ୍ତୀ ଉପଲକ୍ଷେ

ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ହେଉଛନ୍ତି ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସ। ଆଜି ତାଙ୍କର ୧୩୩ ତମ ଜନ୍ମଜୟନ୍ତୀ। ସ୍ବର୍ଗତଃ ଦାସ ୧୮୮୭ ମସିହା ଅଗଷ୍ଟ ମାସ ୧୨ ତାରିଖରେ ବାଲେଶ୍ବର ଜିଲ୍ଲାର ଖଇରା ବ୍ଲକ ଗଣ୍ତିବେଡ ନିକଟବର୍ତ୍ତୀ ପାର୍ବତୀପୁରରେ ଜନ୍ମଗ୍ରହଣ କରିଥିଲେ। ଜଣେ ସାଧାରଣ ଶିକ୍ଷକ ହରପ୍ରସାଦ ଦାସଙ୍କ ୩ ପୁଅ ଏବଂ ୧ ଝିଅ ମଧ୍ୟରେ ମୁକୁନ୍ଦ ଦାସ ଥିଲେ ଜ୍ୟେଷ୍ଠ ପୁତ୍ର। ନିଜ ଗାଁରୁ ପ୍ରଥମିକ ଶିକ୍ଷା ସମାପ୍ତି ପରେ କଟକରୁ ମାଟ୍ରିକ ପାସ୍‌ କରିଥିଲେ। ଆବଶ୍ୟକ ସୁବିଧା ସୁଯୋଗର ଅଭାବ ଯୋଗୁଁ ଗାଁରେ ପାଠ ପଢି କଲିକତାରେ ପରୀକ୍ଷା ଦେଇ ମୁକ୍ତାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥଲେ। ବାଲେଶ୍ବରରେ ମୁକ୍ତାର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କର କାର୍ଯ୍ୟ ଦକ୍ଷତା ଅନେକ ବିଚାରପତିଙ୍କୁ ଆତ୍କୃଷ୍ଟ କରିଥିଲା। ମୁକୁନ୍ଦ ପ୍ରସାଦଙ୍କ ପ୍ରଗାଢ ଆତ୍ମବିଶ୍ବାସ ଓ ନିଷ୍ଠାପରତା ଯୋଗୁଁ ବିଶିଷ୍ଟ ଆଇନଜୀବୀ ଭାବେ ସାଧାରଣରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ସମୟକ୍ରମେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରଣିତ ହୋଇ ସମାଜସେବା ଓ ରାଜନୀତିରେ ଯୋଡି ହୋଇଯାଇଥିଲେ। ବରିଷ୍ଠ ଆଇନଜୀବୀ ଭାଗବତ ପ୍ରସାଦ ମହାପାତ୍ରଙ୍କ କନ୍ୟା ଜାହ୍ନବୀ ଦେବୀଙ୍କୁ ବିବାହ କଲା ପରେ ଉଭୟେ ସଂମ୍ପୂର୍ଣ୍ଣ ଭାବେ ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ।

ସେ ଥିଲେ ଜାତୀୟବାଦୀ, ସ୍ବାଧୀନତା ପ୍ରେମୀ, ହିତାକାଂକ୍ଷୀ ଓ ଉଦାରପନ୍ତ୍ରୀ। ତାଙ୍କ ଘର ଓ ସପରିବାର ଥିଲା ସ୍ବାଧୀନତା ସଂଗ୍ରାମୀମାନଙ୍କ ଆଶ୍ରୟସ୍ଥଳୀ। ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ସେ ନିଜେ ଏବଂ ତାଙ୍କ ପରିବାର ବ୍ରିଟିଶ ଶାସନ ସମୟରେ ବହୁବାର ଜେଲବରଣ କରିଥିଲେ। ବ୍ରିଟିଶ ସରକାରଙ୍କ ୧୯୩୫ ମସିହା ଭାରତ ଆଇନ ଅନୁଯାୟୀ ଓଡିଶା ବିହାରରୁ ଅଲଗା ହୋଇ ସ୍ବତନ୍ତ୍ର ପ୍ରଦେଶ ହେଲା। ୦୧.୦୪.୧୯୩୬ ମସିହାରେ ବିଧିବଦ୍ଧଭାବେ ସ୍ବତନ୍ତ୍ର ରାଜ୍ୟ ହେବା ପରେ ୨୮.୦୭.୧୯୩୬ ମସିହାରେ ସ୍ବତନ୍ତ୍ର ରାଜ୍ୟ ପ୍ରଶାସନ ବ୍ୟବସ୍ଥା ହୋଇଥିଲା। ସେତେବେଳେ ୬୦ଆସନ ବିଶିଷ୍ଠ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନରେ ଉତ୍କଳ ୟୁନିଅନ କଂଗ୍ରେସରୁ ବାଲେଶ୍ବରରୁ ଜୟଲାଭ କରିଥିଲେ ମୁକୁନ୍ଦ ବାବୁ। ଉତ୍କଳ ୟୁନିଅନ କଂଗ୍ରେସର ସଂଖ୍ୟା ଗରିଷ୍ଠତା ଥାଇ ସୁଦ୍ଧା ବ୍ରିଟିଶ ସରକାରଙ୍କ ସହ ମତାନ୍ତର ଯୋଗୁଁ ପାରଳାଖେମୁଣ୍ତିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡିଶାର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ନିର୍ଦ୍ବନ୍ଦ୍ବରେ ମୁକୁନ୍ଦ ପ୍ରସାଦ ଦାସ ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ। ତତ୍କାଳୀନ ଓଡିଶାର ରାଜଧାନୀ କଟକ ରେଭେନ୍ସା କଲେଜ ହଲଠାରେ ୧୯୩୭ ମସିହା ଜୁଲାଇ ୨୮ ତାରିଖ ବୁଧବାର ୧୧ ଘଟିକାରେ ପ୍ରଥମ ବିଧାନସଭା ଆରମ୍ଭ ହୋଇଥିଲା।

ବିଧାନସଭା ପରିଚାଳନରେ କୌଣସି ଧାରଣା ନ ଥିବା ସତ୍ତ୍ବେ ନିଜର ଉପସ୍ଥିତ ବୁଦ୍ଧି ଓ ବିଚକ୍ଷଣ କାର୍ଯ୍ୟଦକ୍ଷତା ବଳରେ ସହଜ ଓ ସୁନ୍ଦର ଭାବରେ ଗୃହକୁ ପରିଚାଳନା କରୁଥିଲେ। ବିଧାନସଭା ପରିଚାଳନା, ତା’ର ନିୟମ ଓ ସଭାଗୃହର ସମ୍ମାନ ବଜାୟ ରଖିବା ପାଇଁ ବିଭିନ୍ନ ନିୟମମାନ ପ୍ରଣୟନ କରିଥିଲେ ମୁକୁନ୍ଦ ବାବୁ। ଓଡିଶାରେ ଏମ.ଏ ତଥା ବି.ଏଲ. ପାଠପଢାର ବନ୍ଦୋବସ୍ତ କରିବାରେ ତାଙ୍କର ପ୍ରଚେଷ୍ଠା ପ୍ରଶଂସନୀୟ। ସେହିପରି ଖୋର୍ଦ୍ଧା–ସମ୍ବଲପୁର ରେଳପଥ କାର୍ଯ୍ୟକ୍ଷମ ହେବା ଦ୍ବାରା ରାଜ୍ୟରେ ଯାତାୟାତ ଓ ବାଣିଜ୍ୟ ବୃଦ୍ଧି ପାଇବ ବୋଲି ଯୁକ୍ତି ବାଢିଥିଲେ। ତାଙ୍କରି ପ୍ରଚେଷ୍ଟା ଯୋଗୁଁ ୧୯୬୧ ମସିହାରେ କେନ୍ଦ୍ରରେ ଶ୍ରୀ ଅଶୋକ ସେନ ଆଇନ ମନ୍ତ୍ରୀ ଥିବାବେଳେ ଆଡ୍‌ଭୋକେଟ ଆଇନ ଅନୁସାରେ ସମସ୍ତ ମୁକ୍ତାରମାନଙ୍କୁ ଓକିଲ କରି ଦିଆଯାଇଥିଲା। ସର୍ବଦା କୃଷକମାନଙ୍କ ପାଇଁ ଚିନ୍ତିତ ଥିବା ମୁକୁନ୍ଦ ବାବୁ ରାଜ୍ୟରେ କୃଷିର ବିକାଶ ପାଇଁ ଅନେକ ସଂସ୍କାରମୁଳକ କାର୍ଯ୍ୟ କରିଥିଲେ। ସ୍ବାଧୀନତା ପରେ ଓଡିଶା ଭୂସଂସ୍କାର କମିଶନ ବସିବା ସମୟରେ ରୟତମାନଙ୍କୁ ସଂଗଠିତ କରି ରାଜ୍ୟର କୃଷକମାନଙ୍କ ଦାବି ଉପସ୍ଥାପିତ କରିଥିଲେ। କୃଷି ବ୍ୟତୀତ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସଙ୍ଗୀତର ସୁରକ୍ଷା ପାଇଁ ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ଥିଲା। ନିଜର ଆବଶ୍ୟକତା ପାଇଁ କିଛି କିଛି ସ‌ୟ କରିବା ସହ କିଛି ଅର୍ଥ ସମାଜର କଲ୍ୟାଣ କ୍ଷେତ୍ରରେ ବିନିଯୋଗ କରିବା ପାଇଁ ସର୍ବଦା ମତ ରଖୁଥିଲେ।

ଓଡିଶା ବିଧାନସଭାରେ ତା.୨୮.୦୭.୧୯୩୭ ରୁ ତା.୨୯.୦୫.୧୯୪୬ ପାର୍ଯ୍ୟନ୍ତ ସୁରୁଖୁରୁରେ ଦାୟିତ୍ବ ତୁଲାଇଥିଲେ। ଜୀବନର ଶେଷ ନିଃଶ୍ବାସ ଥିବା ପର୍ଯ୍ୟନ୍ତ ସମାଜର ମଙ୍ଗଳ କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିବା ମୁକୁନ୍ଦ ପ୍ରସାଦ ଦାସ ୧୯୬୯ ମସିହା ନଭେମ୍ବର ୬ ତାରିଖରେ ଇହଧାମ ତ୍ୟାଗ କରିଥିଲେ। ଆଜିର ଦିନରେ ତାଙ୍କୁ ମନେ ପକାଇ ତାଙ୍କ ନିଃସ୍ବାର୍ଥପର ଦେଶ ସେବାର ଜୀବନଶୈଳୀରେ ଅନୁପ୍ରାଣିତ ହେବା ତାଙ୍କ ପାଇଁ ଶ୍ରେଷ୍ଟ ଶ୍ରଦ୍ଧାଞ୍ଜଳି ହେବ।

-ଗୁରୁକଲ୍ୟାଣ ମହାପାତ୍ର, ଭୁବନେଶ୍ବର

ସମ୍ବନ୍ଧିତ ଖବର