ଅଢ଼େଇ ବର୍ଷରେ ନିର୍ମାଣ ହେବ ବିଧାୟକଙ୍କ ପାଇଁ ବହୁତଳ କ୍ବାର୍ଟର୍ସ, ପ୍ରକଳ୍ପର ସମୀକ୍ଷା କଲେ ବାଚସ୍ପତି

୮ ବିଧାୟକ ୨୫ତାରିଖ ସୁଦ୍ଧା କ୍ବାର୍ଟର୍ସ ଛାଡ଼ିବେ

ଭୁବନେଶ୍ବର : ୟୁନିଟ-୪ସ୍ଥିତ ବିଧାୟକ କଲୋନିର କ୍ବାର୍ଟର୍ସ ଭାଙ୍ଗି ସେଠାରେ ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ ସରକାରୀ କ୍ବାର୍ଟର୍ସ ନିର୍ମାଣ କରିବାକୁ ଦୀର୍ଘ ୩ବର୍ଷ ହେଲା ଯୋଜନା ହେଲାଣି। ହେଲେ ଏବେ ସୁଦ୍ଧା କାମ ଆରମ୍ଭ ହୋଇପାରୁନି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୋମବାର ଦିନ ଏହି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବିଧାନସଭାରେ ବାଚସ୍ପତିଙ୍କ କାର୍ଯ୍ୟାଳୟରେ ବସିଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି ଯେ, ୨୭୫କୋଟିର ଏହି ପ୍ରକଳ୍ପ ଆସନ୍ତା ଅଢେଇ ବର୍ଷ ମଧ୍ୟରେ ଶେଷ ହେବ।

‌େବୖଠକ ପରେ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ବିଧାୟକ/ବିଧାୟିକାଙ୍କ ପାଇଁ ନିର୍ମାଣ ହେବାକୁ ଥିବା ସରକାରୀ କ୍ବାର୍ଟର୍ସ ପାଇଁ ସମସ୍ତ ପ୍ରତିବନ୍ଧକ ହଟିଛି। ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ। ପ୍ରାରମ୍ଭିକ କାମ ପାଇଁ ଓବିସିସିକୁ ରାଜ୍ୟ ସରକାର ୫୦କୋଟି ଦେଇଛନ୍ତି। ବାକି ୨୨୫କୋଟି ଦୁଇ ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ଦିଆଯିବ। ଆଜି ସୁଦ୍ଧା ବିଧାୟକ କଲୋନିରୁ ୮ଜଣ ବିଧାୟକ ସେମାନଙ୍କୁ ଆବଣ୍ଟନ ହୋଇଥିବା କ୍ବାର୍ଟର୍ସ ଛାଡ଼ିନାହାନ୍ତି। ‌େସମାନେ ଚଳିତ ମାସ ୨୫ତାରିଖ ସୁଦ୍ଧା କ୍ବାର୍ଟର୍ସ ଛାଡ଼ିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକମାନେ କ୍ବାର୍ଟର୍ସ ଛାଡ଼ିଲେ ସେଗୁଡ଼ିକୁ ତୁରନ୍ତ ଭଙ୍ଗାଯିବ। ଟେଣ୍ଡର କାର୍ଯ୍ୟକୁ ଚଳିତ ମାସ ୩୦ତାରିଖ ସୁଦ୍ଧା ଶେଷ କରାଯାଇ ପରବର୍ତ୍ତୀ ୧୦ରୁ ୧୫ଦିନ ମଧ୍ୟରେ କାର୍ଯ୍ୟାଦେଶ ପ୍ରଦାନ କରାଯିବ। ଏହି ପ୍ରକଳ୍ପ ‌ପାଇଁ ହୋଇଥିବା ଟେଣ୍ଡରରେ ଜାତୀୟ ସ୍ତରର ରିଅଲ ଇଷ୍ଟେଟ୍ ସଂସ୍ଥା ଭାଗ ନେଇଛନ୍ତି। ତେଣୁ ପ୍ରକଳ୍ପ ଆରମ୍ଭ କରିବାକୁ ବିଶେଷ ସମସ୍ୟା ନାହିଁ। ଏହି ବହୁତଳ ସରକାରୀ କ୍ବାର୍ଟର୍ସ ନିର୍ମାଣ ହେଲେ ଏଠାରେ ମାର୍କେଟ କମ୍ପ୍ଲେକ୍ସ, ବ୍ୟାୟାମ ସ୍ଥଳ, ଏକକାଳୀନ ୨ହଜାରରୁ ୩ହଜାର ଲୋକ ଭୋଜି ଖାଇବା ଭଳି କଲ୍ୟାଣ ମଣ୍ଡପ, ରେଳ ଓ ଉଡ଼ାଜାହାଜ ଟିକେଟ୍ ବୁକିଂ କାଉଣ୍ଟର, ଚିକିତ୍ସା ସୁବିଧା, ପୁଲିସ ଷ୍ଟେସନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରହିବ ବୋଲି ନିଷ୍ପତ୍ତି ହୋଇଛି।

ଏହି ବୈଠକରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ପୂର୍ତ୍ତ ଓ ଓବିସିସିର ଉଚ୍ଚ କର୍ତ୍ତୃପକ୍ଷ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର