କୋରାପୁଟ/ବୋରିଗୁମ୍ମା: ଚାକିରି ଡାଟା ଏଣ୍ଟ୍ରି ଅପରେଟର୍। ସମ୍ପତ୍ତି କିନ୍ତୁ ଅଚଳାଚଳ। ବଡ଼ବଡ଼ କୋଠା ଠାରୁ ଆରମ୍ଭ କରି ଜମି, ସୁନା, ରୁପା କୌଣସିରେ କମ୍ ନାହିଁ। ଭିଜିଲାନ୍ସ ଯୁଆଡ଼େ ହାତ ମାରୁଛି ପୁଳା ପୁଳା ସମ୍ପତ୍ତି ପାଉଛି। କୋଟପାଡ଼ ବ୍ଲକ୍ ବତାସନା ପଞ୍ଚାୟତର ଆକାଉଣ୍ଟାଣ୍ଟ୍ ତଥା ଡାଟା ଏଣ୍ଟ୍ରି ଅପରେଟର ଏସ୍. ପାର୍ଥସାରଥୀ ବିଷୋୟୀଙ୍କ ସମ୍ପତ୍ତି ଦେଖି ତାଜୁବ୍ ହୋଇଯାଇଛି ଭିଜିଲାନ୍ସ ଟିମ୍। ବୋରିଗୁମ୍ମା ବ୍ଲକ ଚମ୍ପିଆ ବାସଭବନ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ ଜାରି ରଖିଛି ଟିମ୍। ଭିଜିଲାନ୍ସର ଖୋଳତାଡ଼ ସମୟରେ ୩ଟି କୋଠା, ୧୫ ପ୍ଲଟ୍, ୨୮୫ ଗ୍ରାମ ସୁନା, ୭୦୬ ଗ୍ରାମ ରୁପା, ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ଠାବ କରାଯାଇଛି। ଏଥି ସହିତ କାଜୁ ପ୍ରକ୍ରିୟାକରଣ ୟୁନିଟ୍, ୩ଟି ଟ୍ରାକ୍ଟର, ଗୋଟିଏ ବୋଲେରୋ, ଦୁଇଟି କଂକ୍ରିଟ୍ ମିକ୍ସର ମେସିନ୍, ଦୁଇଟି ଧାନର ମାନ ଯାଞ୍ଚ ମେସିନ୍, ଗୋଟିଏ ପାଣି ଟାଙ୍କି ଜବତ କରିଛି ଭିଜିଲାନ୍ସ। ଗୁରୁବାର ଭୋରରେ ଜୟପୁର ଭିଜିଲାନ୍ସ ଟିମ୍ ଚଢ଼ଉ ଆରମ୍ଭ କରିଥିଲା। ଚମ୍ପିଆସ୍ଥିତ ବାସଭବନ ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନସ୍ ଚଢ଼ଉ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି।
ବୋରିଗୁମ୍ମା ପାଇଲୁ ସାହିରେ ପାର୍ଥ ସାରଥୀଙ୍କ ୪୫୦୦ ବର୍ଗଫୁଟର ଏକ ତିନି ମହଲା କୋଠା ରହିଛି। ଏଥି ସହିତ ଚମ୍ପିଆ ଗ୍ରାମରେ ୨୪୦୦ ବର୍ଗଫୁଟର କୋଠା ସହ ଅନ୍ୟ ଏକ କୋଠା ଏବଂ ୮୫୬୧ ବର୍ଗଫୁଟରେ ସାଈକ୍ରିଷ୍ଣା ଏଣ୍ଟରପ୍ରାଇଜର୍ସ ନାମରେ ଥିବା କାଜୁ ପ୍ରକ୍ରିୟାରଣ ୟୁନିଟ୍କୁ ଭିଜିଲାନସ୍ ଠାବ କରିଛି। ସେହିପରି ଚମ୍ପିଆରେ ୬୦ ସେଣ୍ଟ୍, ୫୯ ସେଣ୍ଟ, ୫୦ ସେଣ୍ଟ, ୧.୧୮ଏକର, ୧ ଏକର, ୧.୪୦ ଏକର, ୦. ୪୮ସେଣ୍ଟ, ୭.୩୯ ଏକର, ବୋରିଗୁମ୍ମା ଦୁଲ୍ଲାଗୁଡ଼ା, ଜୟପୁର ଗାଗାନାପୁର ନିକଟରେ ୪ସେଣ୍ଟ ଲେଖାଏଁ ୨ଟି ଓ ନବରଙ୍ଗପୁର ଗାନ୍ଧୀନଗରରେ ୧୫ସେଣ୍ଟ ଏଭଳି ୧୫ଟି ପ୍ଲଟ୍ ଠାବ ହୋଇଛି। ପାର୍ଥ ସାରଥୀଙ୍କ ପୈତୃକ ଘର ସହିତ ତାଙ୍କ ଭାଇଙ୍କ ଘର, ସମ୍ପର୍କୀୟଙ୍କ ଘର, ବତାସନା ପଞ୍ଚାୟତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଭିଜିଲାନ୍ସ ଛାନ୍ଭିନ୍ ଜାରି ରଖିଛି। ଚଢ଼ଉରେ ୨ ଜଣ ଅତିରିକ୍ତ ଏସ୍ପି, ୪ ଡିଏସ୍ପି, ୬ ଇନ୍ସପେକ୍ଟର, ୬ ଏଏସ୍ଆଇ ସାମିଲ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/14/1VHxhOlWavnyn9e5LBar.jpg)