ରାଇରଙ୍ଗପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ମୟୂରଭଞ୍ଜ ଜିଲ୍ଲାରେ ବିପୁଳ ବିଜୟ ହାସଲ କରିଛି। ଏପରି ସମୟରେ ଦୀର୍ଘ ୨୫ ବର୍ଷ ଧରି ରାଇରଙ୍ଗପୁର ଏନ୍ଏସି ତଥା ମ୍ୟୁନିସିପାଲିଟିକୁ ଅକ୍ତିଆର କରିଥିବା ବିଜେପି ହାତରୁ ଏନ୍ଏସିକୁ କିପରି ଛଡ଼ାଯିବ, ସେନେଇ ବିଜେଡିର ନେତୃବୃନ୍ଦ ବିଭିନ୍ନ ରଣକୌଶଳ ଆପଣେଇଲେଣି। ହେଲେ ପୌରାଧ୍ୟକ୍ଷ ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ ଦଳକୁ ଚିନ୍ତାରେ ପକାଇଥିବା କୁହାଯାଉଛି।
ରାଇରଙ୍ଗପୁର ପୌରାଧ୍ୟକ୍ଷ ପଦ ପାଇଁ ବିଜେଡିର ଅନେକ ଅଶାୟୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ଯୁବ ସଭାପତି ଅଭିଷେକ ପଟ୍ଟନାୟକ, ମୋରଡ଼ା ବିଧାୟକଙ୍କ ପତ୍ନୀ ପ୍ରୀତିଲତା କାନୁନଗୋ, ପୂର୍ବତନ କାଉନ୍ସିଲର ମମିତା ଚୌଧୁରୀ, ଦଳର ବରିଷ୍ଠ ନେତା ପାର୍ଥସାରଥୀ କବି, ବିଜେଡି ମୁଖପାତ୍ର ରତିକାନ୍ତ ପରୀକ୍ଷା, ସମାଜସେବୀ ଦୀପ୍ତିମାନ ବଳ ରହିଛନ୍ତି।
ବିଶିଷ୍ଟ କଂଗ୍ରେସ ନେତା, ସମାଜସେବୀ ତଥା ରାଇରଙ୍ଗପୁର ଏନ୍ଏସିରେ ୮ ବର୍ଷ ଧରି (୧୯୮୪ ମସିହା ଠାରୁ ୧୯୯୨ ମସିହା) ଚେୟାରମ୍ୟାନ୍ ଥିବା ସ୍ବର୍ଗତ ପରିମଳ ପଟ୍ଟନାୟକଙ୍କ ପୁଅ ଅଭିଷେକ ଜଣେ ସମାଜସେବୀ ଓ ଦକ୍ଷ ସଂଗଠକ ଭାବେ ବେଶ ପରିଚିତ। ସେହିପରି ମମିତା ଚୌଧୁରୀ ହେଉଛନ୍ତି ରାଇରଙ୍ଗପୁର ଏନ୍ଏସିର ପୂର୍ବତନ କାଉନ୍ସିଲର। ତାଙ୍କ ସ୍ବାମୀ ସୁଶାନ୍ତ ଚୌଧୁରୀ ବିଜେଡିର ଜଣେ ଟାଣୁଆ ନେତା ଓ ଦକ୍ଷ ସଂଗଠକ। ବିଜେଡିର ପୁରୁଖା ନେତା ତଥା ଉଚ୍ଚଶିକ୍ଷିତ ପାର୍ଥସାରଥୀ କବି ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ପ୍ରତିନିଧି ଦାୟିତ୍ବ ତୁଲାଇଛନ୍ତି। ରତିକାନ୍ତ ପରୀକ୍ଷା ସାମ୍ବାଦିକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ବିଜେଡି ସହ ଜଡ଼ିତ ରହି ବିଭିନ୍ନ ପଦରେ କାମ କରିଛନ୍ତି। ଦୀପ୍ତିମାନ ବଳ ରାଇରଙ୍ଗପୁର ଅଞ୍ଚଳର ଅନ୍ୟତମ ଯୁବନେତା ଓ ଦକ୍ଷ ସଂଗଠକ ଭାବେ ବେଶ୍ ପରିଚିତ।
ତେବେ ଏପରି ସମୟରେ ଦଳ କାହାକୁ ପ୍ରାର୍ଥୀ କରିବ, ସେନେଇ ଚିନ୍ତାରେ ପଡ଼ିଛି। ଦଳକୁ ଆଉ ଏକ ଚିନ୍ତା ମଧ୍ୟ ଘାରିଛି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜେଏମ୍ଏମ୍ ଉପଖଣ୍ତ ଅଧୀନ ୩ଟି ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିଛି। ରାଇରଙ୍ଗପୁର ପୌର ନିର୍ବାଚନରେ ଜେଏମ୍ଏମ୍ ଯଦି ଜନସମର୍ଥନ ପାଏ, ତେବେ ତାହା ହୁଏତ ବିଜେଡିକୁ କ୍ଷତି ପହଞ୍ଚାଇବ!