ରାଉରକେଲା ଏନ୍‌ଆଇଟିରେ ନୂଆ ଉଦ୍ଭାବନ : ସମସ୍ୟାର କାରଣ ଖୋଜିବ ଇଣ୍ଟେଲିଜେନ୍‌ସ ମଡେଲ୍‌

ରାଉରକେଲା : ଆର୍ଟିଫିସିଆଲ୍‌ ଇଣ୍ଟେ‌ଲିଜେନ୍‌ସ ଉପରେ ଏନ୍‌ଆଇଟିର ଜଣେ ପ୍ରଫେସର ଓ ତାଙ୍କ ଛାତ୍ର ଏକ ନୂଆ ଉଦ୍ଭାବନ କରିଛନ୍ତି। ଏହି ‘ମଲ୍ଟିଭେରିଏଟ୍‌ ଏଡିଟିଭ୍‌ ନଏଜ୍‌ ମଡେଲ’ (ଏମ୍‌ଏଏନ୍‌ଏମ୍‌) ଆମେ ସାମ୍‌ନା କରୁଥିବା ବିଭିନ୍ନ ସମସ୍ୟା ପଛରେ ଥିବା କାରଣଗୁଡ଼ିକୁ ଖୋଜି ବାହାର କରିବ। କମ୍ପ୍ୟୁଟର ପ୍ରୋଗ୍ରାମିଂ ମାଧ୍ୟମରେ ଉଦାହରଣ ଦେଇ ପ୍ରତ୍ୟେକ ଘଟଣା ପଛରେ ବୈଜ୍ଞାନିକ କାରଣ ରହିଥିବା ଏହି ମଡେଲ ପ୍ରମାଣିତ କରିବ। ଏହାଦ୍ବାରା ସମସ୍ୟାଗୁଡ଼ିକୁ ନେଇ ଲୋକଙ୍କ ଭିତରେ ରହି ଆସିଥିବା ଅନ୍ଧବିଶ୍ବାସ ଦୂର ହୋଇ ପାରିବ ବୋଲି ଆଶା କରା ଯାଉଛି। ଏନ୍‌ଆଇଟି, ରାଉରକେଲାର ଗଣିତ ବିଭାଗର ପ୍ରଫେସର ସ୍ନେହାଶିଷ ଚକ୍ରବର୍ତୀଙ୍କ ସହ ତାଙ୍କ ଛାତ୍ର ପ୍ରମୋଦ କୁମାର ପରିଡ଼ା ଓ ଜୋହାନ୍ସବର୍ଗ ବିଶ୍ବବିଦ୍ୟାଳୟ (ଦକ୍ଷିଣ ଆଫ୍ରିକା)ର ଟିହିଲିଡିଜୀ ମାରବାଲା ଏହି ଉଦ୍ଭାବନ କରିଛନ୍ତି।

ଯେତେବେଳେ କୌଣସି ମଣିଷର ଜୀବନରେ କିଛି ଖରାପ ଘଟଣା ଘଟେ, ସେତେବେଳେ ସେ ତା’ ପଛର କାରଣ ଖୋଜେ ତଥା ତାହାକୁ ଅନ୍ଧବିଶ୍ବାସ ସହିତ ଯୋଡ଼ିଥାଏ ା ଲୋକମାନଙ୍କର ମନରେ ଅନ୍ଧବିଶ୍ବାସ ରହିଛି ଯେ ବାଟରେ ଯିବାବେଳେ ଯଦି ବିଲେଇ ରାସ୍ତା କାଟିଦିଏ କିମ୍ବା ଛାତ ଉପରେ ଯଦି ପେଚା ବସେ ତା’ହେଲେ କିଛି ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି ା କିନ୍ତୁ ସବୁ ଖରାପ ଘଟଣା ପଛରେ ବୈଜ୍ଞାନିକ କାରଣ ଅଛି ବୋଲି ଏହି ମଡେଲ୍‌ ପ୍ରମାଣିତ କରିଛି। ଏମ୍‌ଏଏନ୍‌ଏମ୍‌ ମଡେଲ୍‌ ଗୋଟିଏ ସମସ୍ୟାର ବିଭିନ୍ନ କାରଣଗୁଡିକର ଅନୁସନ୍ଧାନ କରିବାରେ ସକ୍ଷମ। ଏହି ମଡେଲ୍‌ ଦ୍ବାରା ପ୍ରମାଣିତ କରିହେବ ଯେ, ବିଲେଇ ରାସ୍ତା କାଟିବା ଓ ଦୁର୍ଘଟଣା ଘଟିବା ମଧୢରେ କିଛି ହେଲେ ସମ୍ପର୍କ ନାହିଁ ା ଏନେଇ ପ୍ରଫେସର ସ୍ନେହାଶିଷ ଚକ୍ରବର୍ତୀ କହନ୍ତି, ଆମର ଗୋଟିଏ ଧାରଣା ରହିଛି ଯେ ଯଦି ଛାତ ଉପରେ ପେଚା ରହେ, ତେବେ ସେହି ଘର ଋଣରେ ବୁଡିଯାଏ ା କିନ୍ତୁ କୌଣସି ଛାତ ଉପରେ କାହିଁକି ପେଚା ବସାବାନ୍ଧେ ଏବଂ ଏକ ପରିବାର କାହିଁକି ବା କିପରି ଋଣଗ୍ରସ୍ତ ହୋଇଯାଏ ତା’ର ବିଭିନ୍ନ କାରଣ ରହିଛି। ଆମ ଜୀବନରେ ଯାହା ଘଟେ, ତା’ର ସ˚ପର୍କ ବିଲେଇ ଅଥବା ପେଚା ସହ ନ ଥାଏ, ବର˚ ଏହା ପଛରେ ଅନ୍ୟ ଅନେକ କାରଣ ଥାଏ। ଏହି ମଡେଲ୍‌ ସେହି ବିଭିନ୍ନ କାରଣଗୁଡ଼ିକୁ ଖୋଜିବାରେ ସକ୍ଷମ ା ଅନ୍ୟତମ ଉଦ୍ଭାବକ ପ୍ରମୋଦ କହନ୍ତି, କୌଣସି ଲୋକ ଋଣର ବୋଝ ତଳେ ଦବିଥିଲେ କିମ୍ବା ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଥିଲେ, ତା’କୁ ସେ ଭାଗ୍ୟ ସହିତ ଯୋଡ଼େ ଓ ଅନ୍ଧବିଶ୍ବାସରେ ପଡ଼ି ଭୁଲ୍ ବାଟରେ ଯାଏ। କିନ୍ତୁ ସେ ସମସ୍ୟା ପଛରେ ଅନ୍ୟ ଅନେକ ଅନେକ କାରଣ ଥାଏ। ଏହିସବୁ କାରଣ ଏହି ମ‌ଡେଲ୍‌ ଦ୍ବାରା ଖୋଜା ଯାଇ ପାରିବ ା ‌ଏହା ଜରିଆରେ ଘରର ଆୟ ବ୍ୟୟ ଆଦିର ହିସାବ ମଧ୍ୟ ଚମତ୍କାର ଭାବେ ରଖାଯାଇ ପାରିବ। ଏମ୍‌ଏଏନ୍‌ଏମ୍‌ ‘ଡାଇରେକ୍‌ଟେଡ୍‌ଏସିକ୍ଲିକ ଗ୍ରାଫ୍‌’ (ଡିଏଜି) ଉପରେ ଆଧାରିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର