ଦୁର୍ବିସହ ଜୀବନ ବିତାଉଛନ୍ତି ମୁଣ୍ଡପୋତା କେଳା : ମିଳୁନି ମୌଳିକ ସୁବିଧା, ବୁଡ଼ିବାକୁ ଯାଉଛି କୌଳିକ ବୃତ୍ତି

ଦଶପଲ୍ଲା : ଦିନ ଥିଲା ନିଜ ପାଖରେ ଥିବା କଳା କୌଶଳ ବା ଯାଦୁ ବିଦ୍ୟାକୁ ନେଇ ସେମାନେ ସମସ୍ତଙ୍କ ମନ ଜିଣୁଥିଲେ। ପେଟ ପାଇଁ ଦାନା ମୁଠାଏ ସଂଗ୍ରହ କରିବାକୁ ସହର ବଜାରଠାରୁ ଆରମ୍ଭ କରି ଗାଁ ଗହଳିର ଗଳିକନ୍ଦିରେ ବୁଲି ଧୁଡ଼ୁକି ବଜାଉଥିଲେ। ବିଭିନ୍ନ ପ୍ରକାରର କେଳା ନୃତ୍ୟ ପ୍ରଦର୍ଶନ କରି ସେମାନେ କିଛି ଅର୍ଥ ଉପାର୍ଜନ କରୁଥିଲେ। ଏବେ ସମୟ ବଦଳିବା ସାଙ୍ଗକୁ ଦାରିଦ୍ର୍ୟର କଷାଘାତରେ ଦୁର୍ବିସହ ଜୀବନଯାପନ କରୁଛନ୍ତି ମୁଣ୍ତପୋତା କେଳା ସମୁଦାୟର କିଛି ପରିବାର। ତେବେ ଏମାନେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ମତଦାନ ଅଧିକାର ସାବ୍ୟସ୍ତ କରୁଥିଲେ ମଧ୍ୟ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଖମାରସାହି ପଞ୍ଚାୟତର ସୁବଳୟା ସ୍କୁଲ୍‌ ପଛପାଖରେ ଥିବା ବାର ଡୁବୁରୀ ପାହାଡ଼ ଉପରେ ବସବାସ କରିଆସୁଥିବା ଏହି ମୁଣ୍ତପୋତା କେଳାମାନେ ନିଜକୁ ମାଟିଆ କେଳା ବୋଲି କହିଥାନ୍ତି।

ଏହି ସମୁଦାୟର ୫ଟି ପରିବାର ପ୍ରଥମେ ସୁବଳୟାସ୍ଥିତ ଏକ ଆମ୍ବତୋଟାରେ ବସବାସ କରି ଆସୁଥିଲେ। ଦୀର୍ଘ ବର୍ଷ ଧରି ଏହି ତୋଟାରେ ବସବାସ କରିବା ଦ୍ବାରା ଏହି ତୋଟା ମାଟିଆ ତୋଟା ନାମରେ ପରିଚିତ ହୋଇଥିଲା। ମାତ୍ର ଏହି ତୋଟାଟି ଜଣେ ବ୍ୟକ୍ତିଙ୍କ ସ୍ଥାନ ହୋଇଥିବା ବେଳେ କାଳକ୍ରମେ ଏସବୁ ପରିବାର ସେଠାରୁ ବିତାଡ଼ିତ ହୋଇଥିଲେ। କିଛି ପରିବାର ଏଣେତେଣେ ପଳାଇ ଯାଇଥିବା ବେଳେ କୌଣସି ଉପାୟ ନପାଇ ବିରଞ୍ଚି ପ୍ରଧାନ ଓ ପତ୍ନୀ ଲକ୍ଷ୍ମୀ ବିଦ୍ୟାଳୟ ପଛପାଖରେ ଥିବା ଏହି ବାର ଡୁବୁରୀ ପାହାଡ଼କୁ ଚାଲି ଆସିଥିଲେ। ସେମାନଙ୍କର ଗୋଟିଏ ପୁଅ ଏବଂ ୪ଟି ଝିଅ ଥିବା ବେଳେ, ବିବାହ ପରେ ଏବେ ସମସ୍ତ ପରିବାର ପ୍ରାୟ ୪୦ ବର୍ଷ ଧରି ଅଲଗା ହୋଇ ଏହି ପାହାଡ଼ ଉପରେ ବସବାସ କରିଆସୁଛନ୍ତି। ସେମାନଙ୍କର ମୁଖ୍ୟ ଜୀବିକା ହେଉଛି ମୁଣ୍ତ ପୋତିବା ଏବଂ ନୃତ୍ୟ ପ୍ରଦର୍ଶନ କରିବା। ଏମାନେ ଗାଁ’ରୁ ସହର ଘୂରିବୁଲିବା ସହ ଧୁଡ଼ୁକି ବଜାଇ ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ଏପରିକି ମାଟି ଭିତରେ ଦୀର୍ଘ ସମୟ ଧରି ନିଜ ମୁଣ୍ତ ପୋତି ରଖିବା ସହ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରି ଓଡ଼ିଶାର ପରମ୍ପରାକୁ ବଜାୟ ରଖିଥାନ୍ତି। ଏହି ପାହାଡ଼ରେ ବିରଞ୍ଚିଙ୍କ ପୁଅ ସୁରେଶଙ୍କ ସମେତ ୪ ଝିଅ ସୂର୍ଯ୍ୟକାନ୍ତୀ, ବାସନ୍ତୀ, ଯଶୋଦା ଓ ସସ୍ମିତାଙ୍କ ସହ ୨୪ ଜଣ ସଦସ୍ୟ ବସବାସ କରିଆସୁଛନ୍ତି।

ଜାତୀୟ ରାଜପଥଠାରୁ ପ୍ରାୟ ୭ ଶହ ମିଟର ଦୂରରେ ବସବାସ କରୁଥିବା ଏହି ପରିବାରଙ୍କ ପାଇଁ ସରକାରୀ ଯୋଜନା ସତେ ଯେପରି ଉପହାସ ପାଲଟିଛି। ସେମାନଙ୍କ ବାସସ୍ଥାନ ନିକଟକୁ ଯିବା ପାଇଁ ରାସ୍ତାଟିଏ ନଥିବା ବେଳେ ବିଦ୍ୟୁତ୍ ଏବଂ ପାନୀୟ ଜଳ ସମସ୍ୟା ମଧ୍ୟ ରହିଛି। ପାହାଡ଼ ନିକଟରେ ଥିବା ହରିଶ୍ଚନ୍ଦ୍ର ପୋଖରୀରେ ସେମାନେ ଗାଧୋଉଥିବା ବେଳେ ପାନୀୟ ଜଳ ପାଇଁ ବିଲ ହୁଡ଼ା ଓ ନାଳ ଡେଇଁ ବିଦ୍ୟାଳୟ ମଧ୍ୟକୁ ଆସିବାକୁ ପଡ଼ିଥାଏ। ଛୋଟଛୋଟ ପଥର ଖଣ୍ତ ଉପରେ ଝାଟିମାଟିର ନୁଆଣିଆ ତାଳପତ୍ର ଘେରା ଝୁମ୍ପୁରି କୁଡ଼ିଆ ମଧ୍ୟରେ ଏସବୁ ପରିବାର ବସବାସ କରି ଆସୁଛନ୍ତି। ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ନିଜନିଜ ପିଲାଛୁଆଙ୍କୁ ଧରି ସମସ୍ତେ ବିଭିନ୍ନ କାର୍ଯ୍ୟରେ ଘରୁ ବାହାରି ଯାଆନ୍ତି। କିଏ ଧୁଡ଼ୁକି ବଜାଇ କଳା କୌଶଳ ପ୍ରଦର୍ଶନ କରିଥାଏ ତ କିଏ ପାହାଡ଼ ପର୍ବତରୁ ଜଙ୍ଗଲୀ ଫଳମୂଳ ସଂଗ୍ରହ କରିବା ପାଇଁ ଚାଲିଯାଆନ୍ତି। ଏଭଳି ପରିସ୍ଥିତିରେ କୁନିକୁନି ଛୁଆମାନେ ମଧ୍ୟ ପାଠପଢ଼ାରୁ ବଞ୍ଚିତ ହୋଇ କୌଳିକ ବୃତ୍ତିରେ ଭିତରକୁ ଯାଇଥାନ୍ତି। ମହିଳାମାନେ ମଧ୍ୟ ଜିଲ୍ଲାର ବିଭିନ୍ନ ଗାଁକୁ ଯାଇ ଧୁଡ଼ୁକି ବଜାଇବା ସହ ନୃତ୍ୟ ପ୍ରଦର୍ଶନ କରି ରୋଜଗାର କରିଥାନ୍ତି। କେହି କେହି ଏସବୁରୁ ଦୂରେଇ ଯାଇ ଖଜୁରୀ ପତ୍ରରେ ପହଁରା ତିଆରି କରୁଥିବା ମଧ୍ୟ ଦେଖିବାକୁ ମିଳିଛି, ଯାହାକୁ ନେଇ ହଜିବାକୁ ଯାଉଛି ଏହି ମାଟିଆ କେଳା ବା ମୁଣ୍ତପୋତା କେଳାଙ୍କ କୌଳିକ ବୃତ୍ତି। ସଞ୍ଜ ନଇଁବା ପୂର୍ବରୁ ସମସ୍ତେ ଘରକୁ ଚାଲି ଆସୁଥିବା ବେଳେ ଖୋଲା ଆକାଶ ତଳେ ଏମାନେ ରୋଷେଇ କରିଥାନ୍ତି। ନିକଟସ୍ଥ ରଙ୍ଗୁଆ ପାହାଡ଼, କାଳମ୍ବା, କେରାଣ୍ତିଖୋଲ, ବେଲବଣି, ରଗଡିପଡା ଏବଂ ପଟାଙ୍ଗି ପାହାଡ଼ ପ୍ରଭୃତି ବୁଲି ପାଣି ଆଳୁ, ମସିହା ଫଳ, କଡ଼ବା ଫଳ, କସା ଆଳୁ, କଂଟା ଆଳୁ, ନିଧୁଆ ଆଳୁ ଏବଂ ରୁବି ଆଳୁ ପ୍ରଭୃତି ସଂଗ୍ରହ କରି ଗାଁ ଗହଳି ଓ ହାଟବଜାରରେ କିଲୋ ପ୍ରତି ୩୦ରୁ ୪୦ ଟଙ୍କା ମୂଲ୍ୟରେ ବିକ୍ରୟ କରିଥାନ୍ତି। ଅତିବେଶୀରେ ଦିନକୁ ୫ରୁ ୬ କିଲୋ ଏସବୁରୁ ସଂଗ୍ରହ କରି ତାହାକୁ ବିକ୍ରିବଟା କରି ସେଥିରେ ଗୁଜୁରାଣ ମେଣ୍ଟାଇଥାନ୍ତି।

ଏପଟେ କିନ୍ତୁ ଦୀର୍ଘ ୪୦ ବର୍ଷ ଧରି ଏମାନେ ସେଠାରେ ବସବାସ କରି ଆସୁଛନ୍ତି। ତେବେ ଏମାନେ ଏବେ ମୂଳତଃ ଭୂମିହୀନ। ସରକାର ଓ ପ୍ରଶାସନ ଏମାନଙ୍କୁ ଜମିପଟ୍ଟା, ଆବାସ ଯୋଗାଇ ଦେବା ସହ ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା, ବିଦ୍ୟୁତ୍‌ ଯୋଗାଇ ଦେବାର ଆବଶ୍ୟକତା ରହିଛି। ତେବେ ଏ ସଂପର୍କରେ ତହସିଲଦାର ପ୍ରମୋଦ କୁମାର ଦଳବେହେରାଙ୍କୁ ପଚାରିବାରୁ, ଖୁବ୍‌ଶୀଘ୍ର ସେମାନଙ୍କୁ ଜମିପଟ୍ଟା ଦେବାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି। ଚଳିତ ବର୍ଷ ଏହି ପରିବାର ସବୁରୁ ପ୍ରଥମ କରି ୩ଟି ପିଲା ବିଦ୍ୟାଳୟ ଯାଇଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା କିଛି ଚାଉଳ ଏମାନଙ୍କ ପାଇଁ କେବଳ ସାହାରା ସାଜିଛି। କିନ୍ତୁ ବଡ଼କଥା ହେଉଛି ସ୍ବଚ୍ଛ ଭାରତ ମିଶନ ଯୋଜନାରେ ଏମାନଙ୍କ ପାଇଁ ପାଇଖାନା ଆସିଥିବା ବେଳେ ଏହି ଅର୍ଥକୁ ବାଟମାରଣା କରି ନିଆଯାଇଛି। କିଛି କାନ୍ଥ ଉଠାଯିବା ସହ ଟାଙ୍କି ନିର୍ମାଣ ନହୋଇ ହଜାର ହଜାର ଟଙ୍କା ଆତ୍ମସାତ୍ କରି ନିଆଯାଇଛି। ଏମାନଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର

Comments are closed.