ଓଡ୍ରାଫ୍ ଟିମ୍କୁ ନେଇ ମାଳମାଳ ପ୍ରଶ୍ନ
ଭିଡ଼ ହଟାଇବାରେ ପୁଲିସର ନିଷ୍କ୍ରିୟତା
ବନ ବିଭାଗର ‘ନିଆଁହୁଳାରେ ପ୍ରଶ୍ନଚିହ୍ନ
କଟକ : ମହାନଦୀର ମୁଣ୍ଡଳୀରେ ‘ଅପରେସନ ଗଜରାଜ’ ଅଘଟଣ ପାଇଁ ଦାୟୀ କିଏ? ଇଏ ଏକ ଦୁର୍ଘଟଣା ନା ପ୍ରଶାସନିକ ବେପରୱା ପଦକ୍ଷେପର ପରିଣାମ? ଏ ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଏଭଳି ଦୁର୍ଭାଗ୍ୟଜନକ ଅଘଟଣ ପଛରେ ଏବେ ୩ଟି ପ୍ରମୁଖ କାରଣ ଥିବା କୁହାଯାଉଛି। ପ୍ରଥମତଃ ସକାଳ ସମୟରେ ମୁଣ୍ଡଳୀ ପୋଲ ଉପରେ ଅନିୟନ୍ତ୍ରିତ ଭିଡ ହଟାଇବାରେ ପୁଲିସ ବିଫଳ ହେଲା। ଦ୍ବିତୀୟରେ କୌଣସି ଅଧିକାର ନଥାଇ ଏବଂ ବନ ବିଭାଗର ଅନୁମତି ନ ନେଇ ହାତୀ ମୁହଁକୁ ଯିବା ପାଇଁ ଓଡ୍ରାଫ୍ ଟିମ୍ ନିଷ୍ପତ୍ତି ନେଲା। ଏବଂ ଶେଷରେ ୧୫ ଘଣ୍ଟା ବିଳମ୍ବରେ ବନ ବିଭାଗ ହାତୀକୁ ବାଟକୁ ଆଣିବା ପାଇଁ ନିଆଁହୁଳା ଅପରେସନ୍ କଲା। ଏଭଳି ଘଟଣା ଏକ ବ୍ୟବସ୍ଥାର ମିଳିତ ବିଫଳତା ବୋଲି କୁହାଯାଉଛି।
/sambad/media/post_attachments/wp-content/uploads/2021/09/MUNDALI-6-1-scaled.jpg)
କିନ୍ତୁ ଏଭଳି ବିଫଳତାରେ ଦୁଇ ଦିନ ଭିତରେ ୨ଟି ହାତୀ ଓ ୩ ଜଣ ମଣିଷଙ୍କ ଜୀବନ ଚାଲି ଯାଇଛି। ଗତକାଲି ଏହି ଅପରେସନ ସମୟରେ ନିଖୋଜ ହୋଇ ଯାଇଥିବା ଓଡ୍ରାଫ୍ ଡାଇଭର୍ ସୀତାରାମ ମୁର୍ମୁଙ୍କ ମୃତଦେହ ଆଜି ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ପଞ୍ଚାୟତ ମାହାଳପଡ଼ା ଗ୍ରାମର ଘୁମେଇସାହି ନିକଟ ମହାନଦୀ କୂଳରୁ ଉଦ୍ଧାର କରାଯାଇଛି। ହାତୀର ମୃତ୍ୟୁ ଏକପ୍ରକାର ସ୍ପଷ୍ଟ ହୋଇ ସାରିଥିଲେ ବି ଏଯାଏ କିନ୍ତୁ ନଈ ଭିତରୁ ତାହାକୁ ଉଦ୍ଧାର କରାଯାଇ ପାରି ନାହିଁ। ଗତକାଲି ପାଣି ଭିତରେ ଫସି ରହିଥିବା ଦନ୍ତାହାତୀକୁ ବାଟ ଦେଖାଇବା ପାଇଁ ପାୱାର ବୋଟରେ ଯାଇଥିବା ୫ ଜଣ ଓଡ୍ରାଫ ଯବାନ ଓ ଦୁଇ ଜଣ ସାମ୍ବାଦିକଙ୍କ ମଧ୍ୟରୁ ସାମ୍ବାଦିକ ଅରିନ୍ଦମ ଦାସ ଓ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ଏପଟେ ସେହି ହାତୀପଲର ୬ ହାତୀ ନରାଜ ଆଡକୁ ଗତକାଲି ରାତିରୁ ଚାଲି ଆସିଥିବା ବେଳେ ଗୋଟିଏ ହାତୀ ନରାଜରେ ମାଛ ଧରିବାକୁ ଯାଉଥିବା ମତ୍ସଜୀବୀ ସୁଶାନ୍ତ ବେହେରା(୩୬)ଙ୍କୁ କଚାଡି ମାରି ଦେଇଛି। ହାତୀପଲରେ ଥିବା ଏକ ୪ ମାସର ଛୁଆ ହାତୀର ମୃତଦେହକୁ ଆଠଗଡ଼ ରେଞ୍ଜର ପାଟେଣିଗାଁ ବିଟ୍ ଅନ୍ତର୍ଗତ ମହାନଦୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଛି।
ଗତକାଲି ଓ ଆଜି ମଧ୍ୟରେ ୩ଟି ମଣିଷ ଜୀବନ ଯାଇଥିବା ବେଳେ ୨ଟି ହାତୀ ପ୍ରାଣ ହରାଇଛନ୍ତି। ଏଭଳି ଦୁର୍ଭାଗ୍ୟଜନକ ଘଟଣା ବ୍ୟବସ୍ଥାଗତ ପରିଚାଳନା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଏଭଳି ଅଘଟଣକୁ ଡାକି ଆଣିଛି। ଓଡ୍ରାଫ୍ ବୋଟ୍ରେ ସାମ୍ବାଦିକଙ୍କୁ ନିଆଯିବା ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏବେ ଓଡ୍ରାଫ୍ ଟିମ୍ ନଈ ଭିତରକୁ କାହିଁକି ଯାଇଥିଲା, ତାହା ସବୁଠୁ ବିବାଦର ପ୍ରସଙ୍ଗ ହୋଇଛି।
/sambad/media/post_attachments/wp-content/uploads/2021/09/MUNDALI-1.jpg)
ଓଡ୍ରାଫ୍ ଯବାନଙ୍କୁ ସବୁବେଳେ ସାଧାରଣ ଲୋକଙ୍କ ଓ ଧନଜୀବନର ସୁରକ୍ଷା ପାଇଁ ମୁତୟନ କରାଯାଏ। କିନ୍ତୁ କେବେ ବି ହାତୀ ଭଳି ବନ୍ୟପ୍ରାଣୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ କରାଯିବାର ନଜିର ନାହିଁ ବୋଲି ଜଣେ ବରିଷ୍ଠ ବନ ଅଧିକାରୀ କହିଛନ୍ତି। ହାତୀକୁ ବଂଚାଇବା ପାଇଁ ଓଡ୍ରାଫ୍ ଟିମ୍କୁ କିଏ ଡାକିଥିଲା? କାହା ଅନୁମତି ନେଇ ସେମାନେ ଏଭଳି ଏକ ଅପରେସନ୍ ଆରମ୍ଭ କରିଥିଲେ? ହାତୀଭଳି ଉଗ୍ର ଓ ପାଣି ଭିତରେ ଘଣ୍ଟା ଘଣ୍ଟା ଫସି ରହି ପାରୁଥିବା ବନ୍ୟପ୍ରାଣୀ ପାଇଁ କଣ ଓଡ୍ରାଫ୍ର ଅପରେସନ୍ ଜରୁରୀ ଥିଲା? ଓଡ୍ରାଫ ପାୱାର ବୋଟରେ ଦୁଇ ଜଣ ସାମ୍ବାଦିକ କେଉଁ କାରଣରୁ ବସିଥିଲେ? ବନ ବିଭାଗ ପକ୍ଷରୁ ଏ ପ୍ରଶ୍ନ ଉଠୁଥିବା ବେଳେ ଅନ୍ୟପଟେ ପ୍ରଶ୍ନ ଉଠୁଛି ଏହି ଘଟଣାରେ ପୁଲିସର ପଦକ୍ଷେପ ଏବଂ ବନ ବିଭାଗର ରାତିର ‘ନିଆଁହୁଳା ଅପରେସନକୁ ନେଇ।
/sambad/media/post_attachments/wp-content/uploads/2021/09/munduli-333.jpg)
ମୁଣ୍ଡଳୀ ପୋଲ ଉପରେ ସକାଳୁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା। ପୋଲର ଅଧା ଅଂଶ ଗ୍ରାମାଞ୍ଚଳ ପୁଲିସ ଅଧୀନରେ ଯାଉଥିବା ବେଳେ ଅଧାଅଂଶ ରହିଛି କଟକ କମିସନରେଟ୍ ପୁଲିସ ଅଧୀନରେ। ଭିଡ, ପାଟିତୁଣ୍ଡ, ଘୋଘା ଯୋଗୁଁ ହାତୀ ପାଣି ଭିତରେ ଫସି ରହିଲା। କୂଳକୁ ଆସି ବି ଲୋକଙ୍କ ପାଟିତୁଣ୍ଡରେ ଘାବରେଇ ଯାଇ ପୁଣି ପାଣି ଭିତରକୁ ଚାଲି ଯାଇଥିଲା। ଦୁଇ ତିନି ଥର ହାତୀଟି ଏଭଳି କରିଥିଲା। ପୁଲିସ ପାଇଁ ଭିଡ ହଟାଇବା କଣ ଅସମ୍ଭବ ଥିଲା। ଭିଡ ହଟି ଯାଇଥିଲେ ବି ହାତୀଟି ନିଜ ଢଙ୍ଗରେ କୂଳକୁ ଉଠି ଆସିଥାନ୍ତା ବୋଲି ଅନେକ ବିଶେଷଜ୍ଞ ଏବେ ମତ ଦେଉଛନ୍ତି। ପୁଲିସର ଏଭଳି ନିଷ୍କ୍ରିୟତା ଦୁର୍ଘଟଣାର ପରୋକ୍ଷ କାରଣ ବୋଲି ଏବେ ମତ ପ୍ରକାଶ ପାଇଛି। ଅନ୍ୟପଟେ ଭୋର ୪ଟାରୁ ଫସି ରହିଥିବା ହାତୀକୁ ଉଦ୍ଧାର କରିବା ପାଇଁ ରାତି ୯ଟା ପରେ ଅଣ୍ଟା ଭିଡ଼ି ଥିଲା ବନ ବିଭାଗ। ଆରମ୍ଭ କରିଥିଲା ‘ନିଆଁ ହୁଳା ଅପରେସନ୍। ଲମ୍ବା ବାଉଁଶରେ ତାର ବାନ୍ଧି ସେଥିରେ ନିଆଁ ପିଣ୍ଡୁଳା ଲଗାଇ ହାତୀକୁ ଦେଖାଇଥିଲେ ବନ ବିଭାଗର କର୍ମଚାରୀ। ସକାଳୁ ରାତି ଯାଏ ପାଣିର ପ୍ରବଳ ସ୍ରୋତର ପ୍ରତିକୂଳରେ ରହି ଅତ୍ୟନ୍ତ ଦୁର୍ବଳ ହୋଇ ପଡିଥିବା ଦନ୍ତାହାତୀ ନିଆଁ ହୁଳାରେ ଭୟଭୀତ ହୋଇ ଶେଷରେ ପାଣିର ସୁଅରେ ଭାସି ଯିବାକୁ ଲାଗି ଥିଲା। ଏବଂ ଯେଉଁ ହାତୀକୁ ବଂଚାଇବା ମିସନରେ ଦୁଇଟି ଅମୂଲ୍ୟ ମଣିଷ ଜୀବନ ଚାଲି ଯାଇଥିଲା, ସେହି ହାତୀ ବି ଆଉ ବଂଚିଲାନି।
ଏହି ଘଟଣାକୁ ନେଇ ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ପରୋକ୍ଷରେ ଓଡ୍ରାଫ୍ ଟିମ୍ର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ଯାଦବ କହିଛନ୍ତି ଯେ ଦନ୍ତା ହାତୀକୁ ଘଉଡାଇବା ପାଇଁ ଓଡ୍ରାଫ ଟିମକୁ ବିଭାଗ ଡାକି ନଥିଲା ବି ଏଥିପାଇଁ ସେ ଅନୁମତି ବି ଦେଇ ନଥିଲେ। ଏପରିକି ଏହି ଟିମ୍ ବନବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ସହ କୌଣସି ଆଲୋଚନା ନ କରି ହାତୀ ଘଉଡାଇବା ପାଇଁ ନଈ ଭିତରକୁ ଚାଲି ଯାଇଥିଲେ। ଘଟଣାସ୍ଥଳରେ ପ୍ରବଳ ଭିଡ ଯୋଗୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହାତୀ ଘଉଡା ଅପରେସନ୍ ପାଇଁ ବନ ବିଭାଗକୁ ଅପେକ୍ଷା କରିବାକୁ ପଡିଲା। ଏହି ଦୁର୍ଘଟଣାକୁ ଏକ ମିଳିତ ବ୍ୟବସ୍ଥାର ବିଫଳତା ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/elephant-res-1.jpg)