ମୁଣ୍ଡଳୀ ଟ୍ରାଜେଡି ଘଟଣା: ଦନ୍ତାହାତୀ ମୃତ୍ୟୁକୁ ନେଇ ଲୋକାୟୁକ୍ତରେ ଅଭିଯୋଗ କଲେ ସାମାଜିକ କର୍ମୀ ପୂରବୀ

କଟକ : ମୁଣ୍ଡଳୀ ଟ୍ରାଜେଡିକୁ ଦେଢମାସ ହେଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଖୋଜା ସରୁନି ଏଭଳି ଦୃଦୟବିଦାରକ ଘଟଣାର କାରଣ। ଭୁଲ ‌କେଉଁଠି ରହିଲା ବା କାହାର ଭୁଲ ପାଇଁ ହାତୀ ଘଉଡ଼ା ଅଭିଯାନ ପାଇଁ ଫେଲ୍‌ ମାରିଲା? ଏପରିକି ଓଡ୍ରାଫ୍‌ ଟିମ୍‌ ଯାହା ପାଇଁ ଅଭିଯାନ କଲା ଶେଷରେ ସେଇ ଦନ୍ତାହାତୀର ଜୀବନ ବି ଗଲା। ମହାନଦୀ ଜଳସମାଧିରେ ଲିନ ହେଲେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ, ଓଡ୍ରାଫ୍‌ ବୁଡାଳି ସୀତାରାମ ମୁର୍ମୁ ଓ ଗଜରାଜ। ଆଜି ପର୍ଯ୍ୟନ୍ତ ସରକାରୀସ୍ତରରେ ଘଟଣାର ତଦନ୍ତ ଠିକ୍‌ ଢଙ୍ଗରେ ହେଉ ନଥିବା ବେଳେ ଶେଷରେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ କାମ କରୁଥିବା ସାମଜିକ କର୍ମୀ ପୂରବୀ ପାତ୍ର ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଲୋକାୟୁକ୍ତରେ ଅଭିଯୋଗ କରିଥିବା ଜଣାପଡିଛି।

ତାଙ୍କ ଅଭିଯୋଗପତ୍ରରେ ସେ ଦର୍ଶାଇଛନ୍ତି ଯେ ବନବିଭାଗର ପଦସ୍ଥ ଅଧିକାରୀ ମୁଣ୍ଡଳୀ ଘଟଣା ସମୟରେ ସେଠାରେ ଉପସ୍ଥିତ ଥିଲେ ସୁଦ୍ଧା କଣ ପାଇଁ ପୁଲିସ ସାହାର୍ଯ୍ୟରେ ଦନ୍ତାହାତୀକୁ ଉଦ୍ଧାର ପାଇଁ ଯୋଜନା କଲେନି କି ଭିଡ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କଲେନି। ଏପରିକି ସେଦିନର ଘଟଣାକୁ ନେଇ ପୂରବୀ ପାତ୍ର ପ୍ରଶ୍ନ ଉଠାଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୪ରେ ମହାନଦୀ ପାରି ହେଉଥିବାବେଳେ ମୁଣ୍ଡଳୀ ବ୍ୟାରେଜ୍‌ରେ ଏକ ଦନ୍ତାହାତୀ ଫଶି ଯାଇଥିଲା। ପାଣିର ପ୍ରଖର ସ୍ରୋତରେ ହାତୀଟି ନଦୀ ପାରି ହୋଇନପାରି ଫଶି ରହିଥିଲେ ସୁଦ୍ଧା ଯେଉଁଭଳି ଢଙ୍ଗରେ ହାତୀକୁ ଉଦ୍ଧାର କରାଯିବା କଥା, ସେଭଳି ପଦକ୍ଷେପ ବନବିଭାଗ, ପୁଲିସ ପକ୍ଷରୁ ଗ୍ରହଣ କରାଯାଇ ନଥିଲା। ଯାଫଳରେ ହାତୀକୁ ଘଉଡାଇବା ପାଇଁ ଓଡ୍ରାଫ୍‌ ଟିମ୍‌ ବୋଟରେ ଯାଇଥିବାବେଳେ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ଏପରିକି ଶେଷରେ ପାଣିରେ ଅଟକି ରହିଥିବା ଦନ୍ତାହାତୀର ମଧ୍ୟ ମୃତ୍ୟୁ ହୋଇଥିବା ବେଳେ ୩ଦିନ ପରେ ଜଗତ୍‌ପୁର ନିକଟ ଗୁଜରପୁରଠାରୁ ହାତୀର ମୃତଦେହ ବନବିଭାଗ ଉଦ୍ଧାର କରିଥିଲା। ‌

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ହାତୀ ମୃତ୍ୟୁର ବ୍ୟବଚ୍ଛେଦ ରିପୋର୍ଟରୁ ଶକ୍‌ କାରଣରୁ ହାତୀର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ଘଟଣାର ତଦନ୍ତ ଚାଲିଥିବା ଦର୍ଶାଇ ସରକାରୀସ୍ତରରେ ସମସ୍ତେ ନିରବ ରହିଥିବାବେଳେ ପୂରବୀଙ୍କ ଅଭିଯୋଗ ପରେ ଲୋକାୟୁକ୍ତ ଏହାକୁ ଗ୍ରହଣ କରୁଛନ୍ତି ନା ନାହିଁ ଓ ଏହି ଘଟଣାରେ କଣ ଆଭିମୁଖ୍ୟ ଗ୍ରହଣ କରିବେ ତାକୁ ନେଇ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର